ଭୁବନେଶ୍ବର: ଆଜି କଂଗ୍ରେସ 6 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏ ଗୁଡିକ ମଧ୍ୟରେ ଗୋଟିଏ ଆସନରେ ନୂତନ ଘୋଷଣା ସହ 5ଟି ଆସନରେ ପୂର୍ବ ଘୋଷିତ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଛି ଦଳ । ନୀଳଗିରି ଆସନରେ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ଟିକଟ ଦେଇଛି । ସେହିଭଳି ଜଳେଶ୍ବର, ବରି, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । କାଲି ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ତାଙ୍କ ପାରମ୍ପରିକ ଯାଜପୁର ବରି ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ ।
ବରି ବିଧାନସଭା ଆସନରୁ ଦଳ ପୂର୍ବରୁ ଆରତି ଦେଓଙ୍କ ନାଁ ଘୋଷଣା କରିଥିଲା । ହେଲେ ତାଙ୍କ ବଦଳରେ ବରିରୁ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ଦଳ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଆସନରୁ ପୂର୍ବରୁ ଦେବୀପ୍ରସନ୍ନ ଚାନ୍ଦଙ୍କ ନାଁ ଘୋଷଣା କରିଥିଲା କଂଗ୍ରେସ । ତାଙ୍କ ସ୍ଥାନରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୁରୀରେ ଦଳର ବରିଷ୍ଠ ନେତା ଉମାବଲ୍ଲଭ ରଥଙ୍କୁ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଟିକଟ ମିଳିଛି । ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକଟ ଦେଇଛି । ପୂର୍ବରୁ ଦଳ ଏହି ଆସନରେ ବିଜୟାନନ୍ଦ ଚାଉଳିଆଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ତାଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ଭାଇ ହିମାଂଶୁଙ୍କ ନା ଘୋଷଣା କରିଛି ଦଳ । ଆଠଗଡ଼ରେ ନୂଆ ମୁହଁ ଭାବେ ସୁଦର୍ଶନ ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ । ଏଠାରୁ ପୂର୍ବରୁ ମେହବୁବ ଅହମ୍ମଦ ଖାନ୍ଙ୍କ ନାଁ ଘୋଷଣା କରାଯାଇଥିଲା । ତାଙ୍କ ଟିକଟ କାଟି ସୁଦର୍ଶନ ସାହୁଙ୍କୁ ଟିକେଟ ଦେଇଛି ଦଳ ।
କଂଗ୍ରେସ ପ୍ରାର୍ଥୀ:-
- ନୀଳଗିରି- ଅକ୍ଷୟ ଆଚାର୍ଯ୍ୟ
- ବରି- ଦେବାଶିଷ ନାୟକ
- ଜଳେଶ୍ବର- ସୁଦର୍ଶନ ଦାସ
- ପୁରୀ- ଉମାବଲ୍ଲଭ ରଥ
- ଆଠମଲ୍ଲିକ- ହିମାଂଶୁ ଚାଉଳିଆ
- ଆଠଗଡ଼- ସୁଦର୍ଶନ ସାହୁ