ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ଉଭୟ ନେତା ଜାତି,ଧର୍ମ, ସମ୍ପ୍ରଦାୟ ଓ ଭାଷାକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା । ଉଭୟ ଦଳ ପରସ୍ପର ବିରୋଧରେ ଏହି ଅଭିଯୋଗ ସହ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ଉଭୟ ନେତାଙ୍କୁ ଆୟୋଗ ନୋଟିସ ଜାରି କରି ଉତ୍ତର ମାଗିଛନ୍ତି । ଉଭୟ 29 ତାରିଖ ପୂର୍ବାହ୍ନ 11 ଟା ସୁଦ୍ଧା ଆୟୋଗଙ୍କ ନିକଟରେ ଉତ୍ତର ରଖିବାକୁ ଜାରି ନୋଟିସରେ ନିର୍ଦ୍ଦେଶ ରହିଛି ।
କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏକାଧିକ ଥର ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇସାରିଛି । ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ତମାମ ବିଜେପି ନେତା ସମାଲୋଚନା କରିଥିଲେ । ଏହି ଇସ୍ତାହାର କେବଳ ମୁସଲିମ ଲିଗର ବିଚାରଧାରାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଏକ ନିର୍ବାଚନୀ ସଭାମଞ୍ଚରେ କହିଥିଲେ । ଏହାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲା । ବରିଷ୍ଠ ନେତା ସଲମାନ ଖୁର୍ସିଦ୍ଦଙ୍କ ନେତୃତ୍ବରେ କଂଗ୍ରେସ ଟିମ୍ ନିର୍ବାଚନ ଆୟୋଗଙ୍କୁ ଭେଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲା । ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ଓ ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ସତ୍ତ୍ବେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମଧ୍ୟ କଂଗ୍ରେସ ସେତେବେଳେ ଅଭିଯୋଗ କରିଥିଲା ।