କୋରାପୁଟ: ଦେଶରେ ଚତୁର୍ଥ ପର୍ଯ୍ୟାୟ ତଥା ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏହି କ୍ରମରେ ଆଜି ବିବାଦୀୟ କୋଟିଆ ଅଞ୍ଚଳର ଅଧିବାସୀ ମାନେ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ତେବେ ସାଧାରଣ ନିର୍ବାଚନରେ ଉଭୟ ରାଜ୍ୟରେ ଭୋଟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୋଟିଆବାସୀ । କୋଟିଆ ପଞ୍ଚାୟତରେ ଓଡିଶା ତରଫରୁ କୋଟିଆ, ତଳ ଗଞ୍ଜେଇପଦର ଭଳି 9ଟି ଗ୍ରାମରେ ମତଦାନ କେନ୍ଦ୍ର ସ୍ଥାପିତ କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ତରଫରୁ ବିଵାଦୀୟ 21ଟି ଗ୍ରାମବାସୀଙ୍କ ପାଇଁ ଓଡିଶା-ଆନ୍ଧ୍ର ସୀମାରେ ଥିବା ନେରେଡିବାଲାସା ଓ ଆନ୍ଧ୍ରପ୍ରଦେଶର ସିକାପାରୁ ଠାରେ ମତଦାନ କେନ୍ଦ୍ର ସ୍ଥାପନା କରାଯାଇଛି ।
କୋଟିଆ ପଞ୍ଚାୟତରେ ଭୋଟ ଦେବା ସମୟରେ ଓଡ଼ିଶାର ପୋଲିଂ ଅଧିକାରୀ ମତଦାତାଙ୍କ ଆଙ୍ଗୁଠିରେ ଭୋଟ ଦେଇଥିବାର ସନ୍ତକ ଭାବେ ନୀଳ ରଙ୍ଗର କାଳି ଲଗାଉନଥିବା ଯୋଗୁଁ ବିଭିନ୍ନ ଗ୍ରାମର ଭୋଟର ପ୍ରଥମେ ଓଡ଼ିଶାର ମତଦାନ କେନ୍ଦ୍ରରେ ଭୋଟ ଦେବା ପରେ ନେରେଡିବାଲାସା ଓ ସିକାପାରୁ ଠାରେ ଆନ୍ଧ୍ର ସରକାରଙ୍କ ଦ୍ବାରା ସ୍ଥାପିତ ମତଦାନ କେନ୍ଦ୍ରରେ ନିର୍ବିଘ୍ନରେ ଭୋଟ ଦେଉଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଅଭିଯୋଗ କରିଛନ୍ତି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକାସଙ୍ଗେ ଦୁଇଟି ସ୍ଥାନରେ ଭୋଟ ଦେବାର ଅଧିକାର ନଥିବା ବେଳେ କୋଟିଆରେ ଏପରି ବ୍ୟବସ୍ଥା ଗଣତନ୍ତ୍ର ପାଇଁ ବିପଦପୂର୍ଣ୍ଣ ବୋଲି ଜୟରାମ ମତ ରଖିଛନ୍ତି । ଏହା ଫଳରେ ସୁପ୍ରିମକୋର୍ଟରେ ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦରେ ଆନ୍ଧ୍ରର ପକ୍ଷ ଆହୁରି ମଜବୁତ ହେବ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଜୟରାମ ।
ଏହା ମଧ୍ୟ ପଢନ୍ତୁ ...ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ଜାରି, ଅପରାହ୍ନ 3ଟା ସୁଦ୍ଧା 52.91% ମତଦାନ - ODISHA ELECTION 2024 FIRST PHASE