ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ପୁସ୍ତକ ରଚନା କରିଛନ୍ତି । ଏହି ପୁସ୍ତକକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ବିଜେଡି ପକ୍ଷରୁ ବହିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅରୁଣ ସାହୁ । ତତ୍କାଳୀନ ବିରୋଧୀ ଦଳ ଓ ବିଭିନ୍ନ ସ୍ଥାନରେ ହେଉଥିବା ଚର୍ଚ୍ଚାକୁ ଭିତ୍ତି କରି ରୁବେନ ବହି ଲେଖିଥିବା କହି ସମାଲୋଚନା କରିଛନ୍ତି ଅରୁଣ । ସେପଟେ ବିଜେପି ମଧ୍ୟ ଏ ପ୍ରସଙ୍ଗରେ ମତ ରଖିଛି ।
ପୁସ୍ତକକୁ ନେଇ ଅରୁଣଙ୍କ ମତ:
ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି, "ସାମ୍ବାଦିକ ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ପୁସ୍ତକ ଲେଖିଛନ୍ତି । ଯିଏ ଓଡ଼ିଶାର ନୁହଁନ୍ତି କିନ୍ତୁ ନବୀନଙ୍କୁ ନେଇ ପୁସ୍ତକ ଲେଖିଛନ୍ତି । ରୁବେନ ବହୁ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି । ସେହିପରି ସେ ନବୀନଙ୍କ ସହ କଥା ହୋଇ ନାହାନ୍ତି କି ଇଣ୍ଟରଭ୍ୟୁ ନେଇ ନାହାନ୍ତି । ତତ୍କାଳୀନ ବିରୋଧୀ ଦଳ ଓ ବିଭିନ୍ନ ସ୍ଥାନରେ ହେଉଥିବା ଚର୍ଚ୍ଚାକୁ ଭିତ୍ତି କରି ସେ ଲେଖିଛନ୍ତି । କାହା ଉପରେ ଲେଖୁଛନ୍ତି ତାଙ୍କ ମତାମତ ନେବା କଥା । ଘଟଣା ବା ପ୍ରସଙ୍ଗର ସୋର୍ସ ଲେଖିବା କଥା । କିନ୍ତୁ ସେ ଏହା କରିନାହାନ୍ତି । ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି, ସେମାନଙ୍କ ମତାମତ ନେଇ ଏକପାଖିଆ ଭାବେ ରୁବେନ ବହି ଲେଖିଛନ୍ତି ।"
ଅରୁଣ ଆହୁରି ମଧ୍ୟ କହିଛନ୍ତି, "ସୌଜନ୍ୟତା ଦୃଷ୍ଟିରୁ ମତାମତ ନେବାର ଥିଲା । କିନ୍ତୁ ସେ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି । ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ବିରୋଧୀ ଦଳର ନେତା ଭାବେ ସେ ତାଙ୍କ ମତ ଦେଇଛନ୍ତି । ତାଙ୍କର ବଡି ଲାଙ୍ଗୁଏଜ ଦର୍ଶାଉଛି ଯେମିତି ସେ ବ୍ୟକ୍ତିଗତ ଭାବେ କ୍ଷତ ବିକ୍ଷତ ହୋଇଛନ୍ତି । ଏହି ଲେଖା କଦାପି ଗ୍ରହଣୀୟ ନୁହେଁ । ଲୋକଙ୍କ ହୃଦୟରେ ନବୀନ ରହିଛନ୍ତି । ସରକାରରୁ ଗଲା ପରେ ମଧ୍ୟ ଲୋକମତ ନବୀନଙ୍କ ସହ ରହିଛି । କିନ୍ତୁ ଚା ଖଟି, ତାସ ଖଟିରେ ଚର୍ଚ୍ଚା ଓ ବିରୋଧୀ ଦଳ ଭାଷାକୁ ନିଜ ବହିରେ ସଜେଇ ଲେଖିଛନ୍ତି । ଏହାକୁ ନିନ୍ଦା କରିବା ସହ ପ୍ରତ୍ୟାଖ୍ୟାନ କରୁଛି ବିଜେଡି ।"
ଏହା ବି ପଢନ୍ତୁ...ନବୀନଙ୍କ ଜୀବନୀକୁ ନେଇ ରୁବେନ ବାନାର୍ଜୀଙ୍କ ପୁସ୍ତକ ଉନ୍ମୋଚିତ, "ପାଣ୍ଡିଆନ ପଜଲ" ରହିଛି ବଡ଼ ଅଧ୍ୟାୟ
ଏହା ମଧ୍ୟ ପଢନ୍ତୁ-ନବୀନ ଆଉଟ୍, ମୋହନ ଇନ୍: ୨୪ ବର୍ଷର ପ୍ରତୀକ୍ଷା, ୨୪ରେ ପୂରଣ - YEARENDER ODISHA POLITICS
ବିଜେପିର ପ୍ରତିକ୍ରିୟା:
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, "ରୁବେନ ବାନାର୍ଜୀ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ନେଇ ବହି ଲେଖିଛନ୍ତି ଓ ଅନେକ କଥା କହିଛନ୍ତି । ତାହା ବିଜେଡି ନେତାଙ୍କୁ ସୁହାଉଥିଲା । ଯେତେବେଳେ ରୁବେନ ବାନାର୍ଜୀ ବର୍ତ୍ତମାନର ସତ କଥା ଆଲୋକପାତ କରିଛନ୍ତି । ତାହା ଶାସକ ଦଳ କଥା ବୋଲି କହୁଛି ବିଜେଡି । ବିଜେଡି ନେତା ଓ କର୍ମୀ ଯାହା ଭାବୁଛନ୍ତି, ତାହା ଲୋକେ କହିବେ କିମ୍ବା ରୁବେନ ବାନାର୍ଜୀ ଲେଖିବେ ନାହିଁ । ଯାହା ସତ୍ୟ ତାହା ଗ୍ରହଣ କରିବା ଉଚିତ ।"
ଇଟିଭି ଭାରତ, ଭୁବନେଶ୍ବର