ବଲାଙ୍ଗୀର/ ବ୍ରହ୍ମପୁର/ ଫୁଲବାଣୀ: ଧରାବତରଣ କଲେ ପ୍ରଭୁ ଯୀଶୁ । ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ଧରାପୃଷ୍ଠକୁ ସ୍ୱାଗତ କଲେ ଖ୍ରୀଷ୍ଟିଆନ ଭାଇଭଉଣୀମାନେ । ମଧ୍ୟରାତ୍ରୀରେ ସବୁଠି ସେଲିବ୍ରେସନ । ପରସ୍ପରକୁ ମେରୀ ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇଲେ ଖ୍ରୀଷ୍ଟିଆନ ଭାଇଭଉଣୀ । ଚର୍ଚ୍ଚ ଗୁଡିକରେ ପ୍ରବଳ ଭିଡ ।
ଧରାପୃଷ୍ଠକୁ ପ୍ରଭୁ ଯୀଶୁଖୀଷ୍ଟଙ୍କ ଆଗମନ :
ପାଳନ ହୋଇଛି ଖ୍ରୀଷ୍ଟିଆନ ଭାଇଭଉଣୀମାନଙ୍କ ସବୁଠୁ ବଡ ପର୍ବ ମେରି କ୍ରିସମାସ । ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ଧରାପୃଷ୍ଠକୁ ସ୍ୱାଗତ କରାଯାଇଛି । ଯୀଶୁଙ୍କ ଜନ୍ମ ଜୟନ୍ତୀ ପାଳନ କରିବାକୁ ସମସ୍ତ ଚର୍ଚ୍ଚଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । କିମ୍ବଦନ୍ତୀ ଅନୁସାରେ ମେଣ୍ଢାଶାଳରେ ମାତା ମେରୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜନ୍ମ ଦେଇଥିଲେ । ରୀତିନୀତି ଅନୁସାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀମାନେ ଉତ୍ସୁକତାର ସହିତ ଏହି ସମୟକୁ ଅପେକ୍ଷା କରିଥିଲେ । ମେଣ୍ଢାଶାଳ ଓ ଉପାସନା ଗୃହ ଗୁଡିକ ସାଜସଜ୍ଜା ହୋଇଛି । ସାମୂହିକ ପ୍ରାର୍ଥନା ସହ ନୃତ୍ୟ ସଂଗୀତରେ ଉତ୍ସବମୁଖର ହେବ ଉପାସନା ଗୃହ ।
ବଲାଙ୍ଗୀରରେ ବ୍ୟାପକ ପ୍ରସ୍ତୁତି
ବଲାଙ୍ଗୀରରେ ଗାଁରୁ ପଲ୍ଲୀ ସବୁଠି ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ପାଳନ କରିବାକୁ ବେଶ ଉତ୍ସାହିତ। ରାତି ଉଜାଗର ରହି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଭକ୍ତିର ସହ ନାଚ ଗୀତ ତଥା ସୁସ୍ୱାଦୁ ଭୋଜନ ଖାଇ ସମସ୍ତେ ମିଳିମିଶି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି । ସେପଟେ ନେତା ମନ୍ତ୍ରୀ ସମସ୍ତେ ଏହି ଅବସରରେ ଦେଇଛନ୍ତି ଶୁଭେଚ୍ଛା ବାର୍ତ୍ତା । ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇଭଉଣୀମାନେ ତାଙ୍କର ପବିତ୍ର ମାସ ମେରି ଖ୍ରୀଷ୍ଟ ମାସ ପାଳନ କରୁଛନ୍ତି । ଅନ୍ୟକୁ ପ୍ରେମ ସମ୍ମାନ ଓ ମାନବ ସେବା ଭଳି ଯୀଶୁଙ୍କ ବାର୍ତ୍ତାକୁ ନେଇ ଖ୍ରୀଷ୍ଟିଆନ ଭାଇ ଭଉଣୀ ନିତି ଦିନ ପ୍ରାର୍ଥନା ସଭା ଆୟୋଜନ କରୁଛନ୍ତି ।
ଜଣେ ଖ୍ରୀଷ୍ଟ ଧର୍ମାବଲମମ୍ବୀ ଶ୍ରଦ୍ଧାଳୁ ଜୋହାନ ଦୀପ କହିଛନ୍ତି " ବଡଦିନର ସପ୍ତାହେ ପୂର୍ବରୁ ଆମେ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମ ଦିନ ପାଳନ ଆରମ୍ଭ କରିଥାଉ । ପ୍ରଭୁ ଯୀଶୁଙ୍କ ବାର୍ତ୍ତାର ପ୍ରଚାର ପ୍ରସାର ପାଇଁ ଉଦ୍ଦୀପନା ସଭା କରିଥାଉ । ଏଥିରେ ଆମ ସହିତ ସମସ୍ତେ ମିଳିମିଶି ଏହାକୁ ପାଳନ କରିଥାଉ ।"ସେହିପରି ଜଣେ ଖ୍ରୀଷ୍ଟିଆନ ଭଉଣୀ ଜ୍ୟୋସ୍ନାମୟୀ ଦୀପ କହିଛନ୍ତି, " ଆମ ପାଇଁ ନୁହେଁ ସାରା ଜଗତର ଉଦ୍ଧାର ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୃଥିବୀକୁ ଆସିଥିଲେ । ଜଗତରେ ପ୍ରେମ ,ଅନ୍ୟକୁ ସମ୍ମାନ ସହ ମାନବ ସେବା ପାଇଁ ସେ ବାର୍ତ୍ତା ଦେଇଥିଲେ । ତେଣୁ ଆମେ ତାଙ୍କ ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପଞ୍ଚାଇବାକୁ ଆସିଛୁ । ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ମଧ୍ୟ ଆମେ ଧୂମ ଧାମରେ ପାଳନ କରିବୁ। ରାତି ଉଜାଗର ରହିବୁ । ନାଚ ଗୀତ ସହ ହର୍ଷଉଲ୍ଲାସରେ ଏହାକୁ ପାଳନ କରିବୁ" ।
ସେପଟେ ବଡଦିନ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀଙ୍କ ସହ ମିଶି ଖୁସି ମନାଇଛନ୍ତି । ସେ କହିଛନ୍ତି," ବଡ ଦିନ ଉପଲକ୍ଷେ ସମସ୍ତ ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କୁ ମୁଁ ହୃଦୟରୁ ଅଶେଷ ଶୁଭେଚ୍ଛା ଜଣାଉଛି । ମୁଁ ମଧ୍ୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସହିତ ମିଶି ତାଙ୍କ ପ୍ରାର୍ଥନା ସଭାରେ ସାମିଲ ହୋଇଛି ଓ ସମସ୍ତଙ୍କ ମଙ୍ଗଳ କାମନା କରୁଛି ।"
ସୁରକ୍ଷା ବ୍ୟବସ୍ଥା କଡାକଡି
ସେପଟେ ବଡଦିନକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାରେ 25 ପ୍ଲାଟୁନ୍ ପୋଲିସ ଫୋର୍ସ, 9 ଜଣ ଡିଏସପି ପାହ୍ୟାର ଅଧିକାରୀ, ଜଣେ ଆଡିସନାଲ ଏସପିଙ୍କୁ ମୁତୟନ କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳଗୁଡିକ ଉପରେ ନଜର ରଖିଛି ପୋଲିସ । ସଦର ମହକୁମା ଫୁଲବାଣୀ, ବାଲିଗୁଡା, ଜି. ଉଦୟଗିରି ସମେତ ଅନେକ ସ୍ଥାନରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି । ବଡ଼ ଦିନକୁ ଦୃଷ୍ଟିରେ ରଖି ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଇନ୍ସପେକ୍ଟର, ସବ ଇନ୍ସପେକ୍ଟର ଓ ଏଏସଆଇ ସମେତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି ।ସମସ୍ତ ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ଗୁଡିକରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଚଳିତ ବର୍ଷ ବଡ଼ଦିନ ପର୍ବ ଯେପରି ଯାକ ଜକମରେ ପାଳିତ ହେବ, ସେଥିପାଇଁ ଫୁଲବାଣୀ, ବାଲିଗୁଡ଼ାର, ଦାରିଙ୍ଗବାଡ଼ି, ରାଇକିଆ, ଜି ଉଦୟଗିରି ଅଞ୍ଚଳରେ ବିଭିନ୍ନ କ୍ୟାଥଲିକ ଓ ବାପଟିଷ୍ଟ ଚର୍ଚ୍ଚ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ।
ବାଲୁକାକଳାରେ ସାନ୍ତାକ୍ଲଜ
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ବାଲୁକା କଳାରେ ସାନ୍ତାକ୍ଲଜ ତିଆରି କରି ବଡଦିନର ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା କଳାରେ ନିର୍ମିତ ଏହି ସାନ୍ତାକ୍ଲଜର ଓସାର ୧୨ଫୁଟ ରହିଥିବା ବେଳେ ଉଚ୍ଚତା ରହିଛି ୪ ଫୁଟ । ଏହାକୁ ପ୍ରସ୍ତୁତ କରିବାକୁ ତାଙ୍କୁ ୪ ଘଣ୍ଟା ସମୟ ଲାଗିଥିଲା ।
ବଲାଙ୍ଗୀର/ ବ୍ରହ୍ମପୁର/ ଫୁଲବାଣୀ, ଇଟିଭି ଭାରତ