ETV Bharat Odisha

ଓଡିଶା

odisha

ETV Bharat / politics

ମୋଦି 3.0ରେ ଓଡ଼ିଶାରୁ ୩ କେନ୍ଦ୍ରମନ୍ତ୍ରୀ, ଶପଥ ନେଲେ ଧର୍ମେନ୍ଦ୍ର, ଜୁଏଲ୍‌ ଓ ଅଶ୍ବିନୀ - Union Ministers from Odisha - UNION MINISTERS FROM ODISHA

Union Ministers from Odisha: ମୋଦି କ୍ୟାବିନେଟ୍‌ 3.0ରେ ଓଡ଼ିଶାକୁ ମିଳିଛି ୩ ମନ୍ତ୍ରୀପଦ । କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏବଂ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବ । ଅଧିକ ପଢ଼ନ୍ତୁ

Union Ministers from Odisha
Union Ministers from Odisha (ETV Bharat Odisha)
author img

By ETV Bharat Odisha Team

Published : Jun 9, 2024, 11:05 PM IST

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଭାବେ ଏନ୍‌ଡିଏ ନେତା ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ଆଜିଠାରୁ ଦେଶରେ ଆରମ୍ଭ ହୋଇଛି ମୋଦି 3.0 । ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ କ୍ୟାବିନେଟ୍‌ରେ ମୋଟ ୭୨ ଜଣ କେନ୍ଦ୍ରମନ୍ତ୍ରୀ ଶପଥ ନେଇଛନ୍ତି । ଏଥର ଓଡ଼ିଶାକୁ ମିଳିଛି ୩ ମନ୍ତ୍ରୀପଦ । ମୋଦି କ୍ୟାବିନେଟ୍‌ 3.0ରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏବଂ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ବିନୀ ବୈଷ୍ଣବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦିଙ୍କ ସମେତ ତାଙ୍କ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ: ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କର ବେଶ ଅଭିଜ୍ଞତା ରହିଛି । ଓଡ଼ିଶାର ଚର୍ଚ୍ଚିତ ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ଲୋକସଭାକୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି ଧର୍ମେନ୍ଦ୍ର । ତାଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇଲେ, ସେ ୨୦୦୪ ମସିହାରେ ପ୍ରଥମେ ତତ୍କାଳୀନ ଦେବଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ । ଏହାପରେ ୨୦୦୯ରେ ସାଧାରଣ ନିର୍ବାଚନ ହାରିଯାଇଥିଲେ । ୨୦୧୨ରେ ବିହାରରୁ ଓ ୨୦୧୮ରେ ମଧ୍ୟପ୍ରଦେଶରୁ ୨ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଧର୍ମେନ୍ଦ୍ର । ୨୦୧୪ରେ ମୋଦି ସରକାରର ପ୍ରଥମ କ୍ୟାବିନେଟ୍‌ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସମ୍ଭାଳିଥିଲେ ଧର୍ମେନ୍ଦ୍ର । ଏହାପରେ ୨୦୧୭ରେ ସେ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ ହୋଇଥିଲେ । ସେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶରେ ବେଶ ସଫଳତା ପାଇଥିଲା । ସେଥିପାଇଁ ଧର୍ମେନ୍ଦ୍ରଙ୍କୁ 'ଉଜ୍ଜଳା ମ୍ୟାନ' ବୋଲି ମଧ୍ୟ କୁହାଯାଏ । ଏହାପରେ ୨୦୨୧ରେ ତାଙ୍କୁ ଶିକ୍ଷା ବିଭାଗ ଦାୟିତ୍ବ ମିଳିଥିଲା । ଆଜି ତୃତୀୟ ଥର ପାଇଁ ସେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମୁଁ ନରେନ୍ଦ୍ର ଦାମୋଦରଦାସ ମୋଦି ଇଶ୍ବରଙ୍କ ନାଁରେ... - NARENDRA MODI OATH TAKING

ଜୁଏଲ ଓରାମ: ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟର ପ୍ରଥମ ମନ୍ତ୍ରୀ । କେନ୍ଦ୍ରରେ ବାଜପେୟୀ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀର ଅଭିଜ୍ଞତା ରଖିଛନ୍ତି ଜୁଏଲ । ୧୯୯୯ ମସିହାରେ ଅଟଳବିହାରୀ ବାଜପେୟୀ ସରକାର ସମୟରେ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟରେ ସ୍ଥାନ ମିଳିଥିଲା । ୨୦୧୪ରେ ମୋଦିଙ୍କ ପ୍ରଥମ ପାଳିରେ ତାଙ୍କୁ ପୁଣିଥରେ ଆଦିବାସୀ ମନ୍ତ୍ରାଳୟରେ ସ୍ଥାନ ମିଳିଥିଲା । ଅତୀତରେ ଦୁଇ ଦୁଇ ଥର କେନ୍ଦ୍ର କ୍ୟାବିଟେନରେ ସ୍ଥାନ ପାଇଥିବା ଜୁଏଲ ୨୦୧୯ରେ କିନ୍ତୁ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇନଥିଲେ । ୧୯୮୯ ମସିହାରେ ପ୍ରଥମ ଥର ବଣାଇରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ୧୯୯୮, ୧୯୯୯, ୨୦୦୪, ୨୦୧୪, ୨୦୧୯ ଓ ୨୦୨୪ରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ବାରମ୍ବାର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଓଡିଶା ବିଜେପିର ଅନ୍ୟତମ ପ୍ରମୁଖ ଚେହେରା ଜୁଏଲ୍‌ ଓରାମଙ୍କୁ ତୃତୀୟ ଥର କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି ।

ଅଶ୍ବିନୀ ବୈଷ୍ଣବ: ଆଇଏଏସ୍‌ ଅଧିକାରୀରୁ ରାଜନେତା ପାଲଟିଥିବା ଅଶ୍ବିନୀ ବୈଷ୍ଣବଙ୍କ ଘର ଯଦିଓ ରାଜସ୍ଥାନରେ, ତେବେ ସେ ଓଡ଼ିଶା କ୍ୟାଡର ଅଫିସର ଥିଲେ । ସେ ରାଜନୀତିରେ ପାଦ ଥାପିବା ପରେ ତାଙ୍କୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ପଠାଇଥିଲା ବିଜେପି । ୨୦୧୯ରେ ରେଳ ଏବଂ ଟେଲିକମ ମନ୍ତ୍ରାଳୟରେ ଦାୟିତ୍ବ ନିର୍ବାହ କରିଥିଲେ ବୈଷ୍ଣବ । ୨୦୨୧ ମସିହାରେ କ୍ୟାବିନେଟ ଅଦଳବଦଳ ସମୟରେ ଅଶ୍ବିନୀ ବୈଷ୍ଣବଙ୍କୁ ପୁନର୍ବାର କେନ୍ଦ୍ର ରେଳ ବିଭାଗ ମିଳିଥିଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ବିଜେଡି ସମର୍ଥନରେ ଅଶ୍ବିନୀ ରାଜ୍ୟ ସଭାକୁ ଯିବାପରେ ଜାତୀୟ ରାଜନୀତିରେ ପୁଣିଥରେ ଚର୍ଚ୍ଚାକୁ ଆସିଥିଲା ଓଡ଼ିଶା ରାଜନୀତି । ଆଉ ଏଥର ପୁଣି ମୋଦି ନିଜ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସ୍ଥାନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details