ଯାଜପୁର: ଧାନ କଟା ମେସିନ ପଡି ଚାଲିଗଲା 2 ଭଉଣୀଙ୍କ ଜୀବନ । ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଯୋଡାବର ଗାଁ ଗଣ୍ଡାନାଳ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ଟ୍ରାକ୍ଟରରେ ଧାନ କଟା ମେସିନ ବିଲକୁ ନିଆଯାଉଥିବା ବେଳେ ନାଳକୁ ଓଲଟି ଏହି ଦୁର୍ଘଟଣା ଘଟିଛି ।
ଧାନ ମେସିନ ପଡି 2 ନାବାଳିକା ମୃତ
ସୂଚନା ଅନୁଯାୟୀ, ଆଜି (ଶନିବାର) ସକାଳ ସମୟରେ ଯୋଡାବର ନିକଟରେ ଏକ ଟ୍ରାକ୍ଟରରେ ଧାନକଟା ମେସିନ, ବିଲକୁ ଧାନ ଅମଳ କରିବାକୁ ନିଆଯାଉଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ନାଳକୁ ଟ୍ରାକ୍ଟରଟି ଓଲଟି ପଡିଥିଲା । ସେହି ମେସିନ ଉପରେ 2 ଭଉଣୀ ବସିଥିବା ବେଳେ ଧାନକଟା ମେସିନଟି ତାଙ୍କ ଉପରେ ପଡିଯାଇଥିଲା । ତାଙ୍କୁ ତୁରନ୍ତ ଯାଜପୁର ରୋଡ ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଦୁର୍ଘଟଣାରେ ଅନ୍ୟଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ବାପାଙ୍କ ପାଇଁ ବିଲକୁ ଖାଇବା ନେଇ ଯାଉଥିବା ବେଳେ ଅଘଟଣ
ମୃତ ଦୁଇ ଭଉଣୀ ମାଝୀସାହି ଅଞ୍ଚଳର ରାଜୁ ହାଂସଦାଙ୍କ ଝିଅ ଦୁଲାରୀ ହାଁସଦା ଓ ରାଣୀ ହାଁସଦା ବୋଲି ଜଣାପଡିଛି । ଜଣେ ନବମ ଶ୍ରେଣୀରେ ପଢୁଥିବା ବେଳେ ଆଉ ଜଣେ ଦଶମ ପାସ କରିଥିଲା । ଦୁଇ ଭଉଣୀ ଟ୍ରାକ୍ଟର ଉପରେ ବସି ବାପାଙ୍କ ପାଖକୁ ଖାଇବା ନେଇ ବିଲକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।
ମୃତା ଦୁଇ ଭଉଣୀଙ୍କ ବାପା ରାଜୁ ହାଁସଦା କହିଛନ୍ତି,"ବିଲକୁ ଖାଇବା ପାଇଁ ନେଇ ଯାଉଥିବା ବେଳେ ଗାଡି 2 ଝିଅ ଉପରେ ଧାନ ମେସିନ ଓଲଟି ପଡିଥିଲା ।"
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, "ଧାନ ମେସିନ ପଲଟି ଯିବାରୁ 2 ଝିଅ ଚାପିହୋଇ ଯାଇଥିଲେ । ଯେଉଁଥିରେ ଏହି ଅଘଟଣ ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ 14 ବର୍ଷର ହୋଇଥିବା ବେଳେ ଆଉ ଜଣେ 16 ବର୍ଷ ବୟସର ।"
ଏହାମଧ୍ୟ ପଢନ୍ତୁ... |
ମୃତଦେହକୁ ଜବତ କରି ଦାନଗଦି ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଯାଜପୁର ରୋଡ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ଯାଜପୁର