ପାଟନା:ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କ 'ଆଟ୍ ହୋମ' କାର୍ଯ୍ୟକ୍ରମରେ ସାମିଲ ହେଲେନି ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆରଜେଡି ଓ ଜେଡିୟୁ ମଧ୍ୟରେ ସବୁକିଛି ଠିକ ନଥିବା ଚର୍ଚ୍ଚା ମଧ୍ୟରେ ତେଜସ୍ବୀଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ବାତାବରଣ ଆହୁରି ଉଷ୍ମ ହୋଇଛି । ଏହି କାର୍ଯ୍ୟକ୍ରମରେ ଜେଡିୟୁର ଅନେକ ନେତା ସାମିଲ ହୋଇଥିବା ବେଳେ ଆରଜେଡିର ମାତ୍ର ଜଣେ ନେତାଙ୍କୁ ଦେଖିବାକୁ ମିଳିଛି । ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଲେ 'ତାଙ୍କ ପଚାର' ।
୭୫ତମ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ରାଜଭବନରେ 'ହାଇ-ଟି' ପାର୍ଟି ରଖିଥିଲେ । 'ଏକତା ଏବଂ ସହଯୋଗ'କୁ ସେଲିବ୍ରେଟ କରିବା ଲାଗି ରାଜ୍ୟପାଳ ଏହି ପାର୍ଟିର ଆୟୋଜନ କରିଥିଲେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଅନେକ ଜେଡିୟୁ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହେଲେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଦେଖା ମିଳିନଥିଲା । କେବଳ ଆରଜେଡି ନେତା ଆଲୋକ ମେହତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେଜସ୍ବୀଙ୍କ ଅନୁପସ୍ଥିତି ନେଇ ଯେତେବେଳେ ନୀତିଶଙ୍କୁ ପ୍ରଶ୍ନ କରାଯାଇଥିଲା ସେତେବେଳେ ଏ ନେଇ ଖୋଦ ତେଜସ୍ବୀଙ୍କୁ ପ୍ରଶ୍ନ କରିବାକୁ ନୀତିଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ।
ଏହା ବି ପଢନ୍ତୁ- ବିଜେପି ସହ ମେଣ୍ଟ କରିବେ ନୀତିଶ ! ୨୮ରେ ହୋଇପାରେ ଶପଥ ଗ୍ରହଣ