ଓଡିଶା

odisha

ETV Bharat / politics

ଆଞ୍ଚଳିକ ଦଳଙ୍କ ବିଫଳତା ଗଣତନ୍ତ୍ର ପାଇଁ ବିପଦଜ୍ଜନକ ଟ୍ରେଣ୍ଡ: ରାଜନୀତି ସମୀକ୍ଷକ - REGIONAL PARTY VS NATIONAL PARTY

ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରୁଛନ୍ତି ଜାତୀୟ ଦଳ । ବିରୋଧୀ ଦଳ ଦୁର୍ବଳ ହେବା ବିପଦଜ୍ଜନକ ଟ୍ରେଣ୍ଡ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

Regional Party Vs National Party
Regional Party Vs National Party (ETV Bharat Odisha)

By ETV Bharat Odisha Team

Published : Feb 9, 2025, 10:50 PM IST

ଭୁବନେଶ୍ବର: ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ଆମ ଆଦମୀ ପାର୍ଟିକୁ ଲାଗିଛି ଝଟକା । ଆପର ଶୋଚନୀୟ ପରାଜୟ ପରେ ଉତ୍ସବମୁଖର ବିଜେପି ଶିବିର । ଆଞ୍ଚଳିକ ଦଳମାନଙ୍କ ବିଫଳତା ଗଣତନ୍ତ୍ର ରାଷ୍ଟ୍ରରେ ଏକ ବିପଜ୍ଜନକ ଟ୍ରେଣ୍ଡ । ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିଛି ପଦ୍ମ ବାହିନୀ । ସେପଟେ ଆପ୍ କ୍ଷମତାରୁ ହଟିବା ପରେ ଦଳର ବିଫଳତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। କ୍ରମାଗତ ଭାବେ ବିଭିନ୍ନ ରାଜ୍ୟରେ ନିର୍ବାଚନରେ ଆଞ୍ଚଳିକ ଦଳମାନଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଜାତୀୟ ଦଳର ଦବଦବା ଆଞ୍ଚଳିକ ଦଳ ମାନଙ୍କର ଅସ୍ଥିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


ଆଞ୍ଚଳିକ ଦଳର ପତିଆରାରେ ପୂର୍ଣ୍ଣଚ୍ଛେଦ:

ତେଲେଙ୍ଗାନାରେ ବିଆରସ, ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା, ଶରଦ ପାୱାରଙ୍କ ଏନସିପି, ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ, ଅରବିନ୍ଦ କେଜୱାଲଙ୍କ ଆପ ନିର୍ବାଚନରେ ପରାଜିତ ହେବା ପରେ ଦଳର ଭବିଷ୍ୟତ ଏବେ ସନ୍ଦୀହାନ । ସେପଟେ ଏନେଇପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଉଭୟ ଆପ ଏବଂ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, "ଆଗକୁ ଆପ ଭଳି ଓଡିଶାରୁ ବିଜେଡି ମଧ୍ୟ ମୂଳପୋଛ ହୋଇଯିବ ।" ରବିଙ୍କ ଏଭଳି ଟିପ୍ପଣୀକୁ ସହଜରେ ଗ୍ରହଣ କରିପାରିନି ବିଜେଡି । ରାଜ୍ୟରେ ବିଜେପି ସରକାରକୁ ପାଲଟା ଆକ୍ରମଣ କରି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, "ସରକାରଙ୍କ ଅପାରଗତା ଲୋକେ ବୁଝିଲେଣି ।" ସେପଟେ କଂଗ୍ରେସ କହିଛି ଯେ, କିଏ ରହିବ କିଏ ମୂଳପୋଛ ହେବ ସେକଥା ଓଡିଶାବାସୀ ସ୍ଥିର କରିବେ । ସେପଟେ ବିରୋଧୀ ଶକ୍ତି ଦୁର୍ବଳ ହେବା ବିପଦଜ୍ଜନକ ଟ୍ରେଣ୍ଡ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ।

Regional Party Vs National Party (ETV Bharat Odisha)
ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ୍:

ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, "ଦିଲ୍ଲୀ ସହ ଓଡିଶାକୁ ତୁଳନା କରିବା କିମ୍ବା ଆପ ସହିତ ବିଜେଡିକୁ ତୁଳନା କରିବା ହାସ୍ୟାସ୍ପଦ। ଓଡ଼ିଶାରେ ଯେଉଁ ସରକାର ଆସିଛି ସେମାନେ ଓଡିଶାବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କ୍ଷମତା ହାତେଇଛନ୍ତି । ଅନେକ ପ୍ରଲୋଭନ ଦେଖାଇ ତାକୁ ଠିକ ଭାବେ କାର୍ଯ୍ୟକାରୀ କରିନାହାନ୍ତି । 7 ମାସ ହେବ ସରକାରରେ ଆସିଲେଣି କାମ ଶୂନ। ଆଜି ପର୍ଯ୍ୟନ୍ତ କୌଣସି ବିକାଶର ନାଁ ଗନ୍ଧ ନାହିଁ । ରଙ୍ଗ ବୋଳିବା ବ୍ୟତୀତ ଆଉ କିଛି ନାହିଁ । ବିଜେଡି ହତାଶ ହୋଇନାହିଁ । ଦଳର ସୁପ୍ରିମୋ ନବୀନ ଦଳକୁ ନିରନ୍ତର ଭାବେ ସଂଗଠିତ କରି ରଖିଛନ୍ତି। ଆଗାମୀ ଦିନରେ ବିଜେଡି ଏ ସରକାରକୁ ଉଚିତ ଜବାବ ଦେବ ।"

କ'ଣ କହିଲା କଂଗ୍ରେସ?
ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "କିଏ ବୁଡିବ କିଏ ରହିବ ଲୋକ ନିଷ୍ପତ୍ତି ନେବେ । କିଏ ମୂଳପୋଛ ହେବ କିଏ ରହିବ ସମୟ କହିବ। କିନ୍ତୁ ଆଞ୍ଚଳିକ ଦଳମାନେ ବର୍ତ୍ତମାନ ସଫା ହୋଇ ଯାଉଛନ୍ତି । ଯାହା ଏକ ଦେଶପ୍ରତି ଶୁଭଙ୍କର । ମିଛ ସତ ପ୍ରତିଶ୍ରୁତି ଦେଇ ଦୁର୍ନୀତି କରି ଚାଲିଛନ୍ତି । ଆଜି ଭାରତରେ ଲୋକେ ମାନସିକ ସ୍ତରରେ ନିଷ୍ପତ୍ତି ନେଲେଣି । ଆଗାମୀ ନିର୍ବାଚନରେ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ବଢ଼ିଲାଣି ।"

ରାଜନୀତି ସମୀକ୍ଷକଙ୍କ ମତ:
ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି, "ଦଳ ଯେତେବେଳେ ହାରେ ନିଜ ଅପାରଗତା , ଦୋଷ ଦୁର୍ବଳତାକୁ ନେଇ ହାରେ । ନିଜର ଆଭିମୁଖ୍ୟକୁ ଲୋକମାନଙ୍କ ସାମ୍ନାରେ ଉପସ୍ଥାପିତ କରିବାକୁ ବିଫଳ ହୋଇଛି । ନବୀନଙ୍କ ଛବି ଭଲ ଥିଲା ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ଭଲ ଛବି ଅଛି କିନ୍ତୁ ସେ ଛବି ଆଳରେ ଅବାଞ୍ଛିତ ଲୋକମାନେ ଆଗକୁ ଆସି ଶାସନ ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି । ଯେଉଁମାନଙ୍କ ପାଇଁ ସରକାର ବଦନାମ ହୋଇଛନ୍ତି ନବୀନ ସେମାନଙ୍କୁ କୋଳେଇ ରଖିଛନ୍ତି । ଦିଲ୍ଲୀ ନିର୍ବାଚନ ଓଡିଶା ଉପରେ ପ୍ରଭାବ ପଡିବ। ଆଞ୍ଚଳିକ ଦଳ ଯେଉଁ ଆଦର୍ଶରେ ଦଳ ଗଠନ କରିଥିଲେ ତାହା ପରିବର୍ତ୍ତନ ହୋଇଗଲା, ବ୍ୟକ୍ତି କେନ୍ଦ୍ରିକ ଦଳ ହୋଇଗଲା । ତେଣୁ ଲୋକମାନେ ଦୂରେଇ ଗଲେ । ବିରୋଧୀ ଶକ୍ତି ଦୁର୍ବଳ ହେବା ବିପଜ୍ଜନକ ଟ୍ରେଣ୍ଡ । ଗୋଟିଏ ସମୟରେ ଭାରତବର୍ଷରେ ଆଞ୍ଚଳିକ ଦଳ ମାନଙ୍କର ଦବଦବା ବୃଦ୍ଧି ଚାଲିଥିଲା । ଯାହା ଜାତୀୟ ଦଳମାନଙ୍କ ପାଇଁ ଏକ ଦୁଃଖର କାରଣ ପାଲଟିଥିଲା । ଜାତୀୟ ଦଳମାନଙ୍କ ହାତରେ ରାଜନୈତିକ ଡୋରି ରହିବ ଏଭଳି ଏକ ପରିକଳ୍ପନା କରାଯାଉଥିଲା । ବର୍ତ୍ତମାନ ଯେଉଁ ଟ୍ରେଣ୍ଡ ଆରମ୍ଭ ହୋଇଛି ଆଞ୍ଚଳିକ ଦଳ ମାନେ ସେମାନଙ୍କ ଦବଦବା ଅଧିକ ଦିନ ଜାହିର କରିବାରେ ସଫଳ ହେଉନାହାନ୍ତି । ବିରୋଧୀ ଶକ୍ତି ଦୁର୍ବଳ ଶୁଭ ସଂକେତ ନୁହେଁ ।"

ଏହା ବି ପଢନ୍ତୁ...ଦିଲ୍ଲୀ ଜନାଦେଶ: ଆଞ୍ଚଳିକ ଦଳ ପାଇଁ ସତର୍କ ଘଣ୍ଟି କି ? - DELHI ELECTION 2025

ଏହା ବି ପଢନ୍ତୁ...ବିଜେପିର ଦିଲ୍ଲୀ ଦଖଲରେ ଅଛି କି ଓଡିଆ ନେତାଙ୍କ ପ୍ରଭାବ ? ମନମୋହନଙ୍କ ବଡ ବୟାନ, ମୁଖ୍ୟମନ୍ତ୍ରୀ କହିଲେ...

କ'ଣ କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ?

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଥିଲେ, "ଓଡ଼ିଶାରେ ବିଜେଡି ଭଳି ଦିଲ୍ଲୀରେ ଆପ ଓ କେଜ୍ରିୱାଲଙ୍କ ଅହଙ୍କାର ବଢି ଯାଇଥିଲା । ବିକାଶ ନାଁରେ ଏମାନେ କେବଳ ରାଜନୀତି କରୁଥିଲେ । ଲୋକଙ୍କ ପାଖରେ ଭଲ ପାଣି ପହଞ୍ଚି ପାରିଲାନି, ଘର ମିଳିଲାନି, ଜଳ ଜୀବନ ମିଶନରେ ବାଧକ ସାଜିଲେ ତାର ଶାସ୍ତି ପାଇଛନ୍ତି । ଲୋକେ ଉଚିତ ଜବାବ ଦେଇଛନ୍ତି । କେଜ୍ରିୱାଲ କ'ଣ ତାର ଠିକ ଖୁଲାସା କରିଛନ୍ତି ଆନ୍ନା ହଜାରେ । ବିଜେଡି ଯେବେ ତିନି ଚାରି ଥର ଜିତିଥିଲା ସେବେ ଇଭିଏମ କଥା କେତେଥର ଉଠାଇଥିଲା । ବିଜେଡି ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ । ବେଶୀ ନିରାଶ ହେଲେ ବ୍ୟକ୍ତି ଯାହା କରେ ବର୍ତ୍ତମାନ ବିଜେଡି ଭିତରେ ସେହିଭଳି ନିରାଶର ପ୍ରତିଛବି ଦେଖିବାକୁ ମିଳୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details