ଭୁବନେଶ୍ବର/କଟକ:ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି । ତିନି ଦଳର ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି । ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ,"ରେଭେନ୍ସା ସାହେବଙ୍କ ପାଇଁ ନଅଙ୍କ ଦୁର୍ଭିକ୍ଷ ପଡିଥିଲା । ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଇଥିଲା । ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟର ନାମକରଣ ହେବା ଅନୁଚିତ । ଏହାକୁ ପରିବର୍ତ୍ତନ କରିବା ଦରକାର । ଏହା ମୋର ବ୍ୟକ୍ତିଗତ । ଯାହାକୁ ନେଇ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ଏବଂ କଂଗ୍ରେସ ।
ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ୍:
ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,"ରେଭେନ୍ସା ଏକ ସାଧାରଣ ଅନୁଷ୍ଠାନ ନୁହେଁ । ଏହା ଏକ ବ୍ରାଣ୍ଡ । ଏହାକୁ ତିଆରି କରିବାକୁ ବହୁତ କଷ୍ଟ କରିବାକୁ ପଡିଛି । ବ୍ରାଣ୍ଡକୁ ନଷ୍ଟ କରିବାକୁ ଏ ସରକାର ଚେଷ୍ଟା ନ କରୁ । ଏହା ଉଚ୍ଚ ଶିକ୍ଷାର ବଡ଼ ଅନୁଷ୍ଠାନ । ନାଁ ବଦଳାଇ ସରକାର ନିଜର ହୀନ ମାନସିକତା ଦେଖାଉଛନ୍ତି । "
କ୍ଷମା ମାଗନ୍ତୁ ଧର୍ମେନ୍ଦ୍ର ବାବୁ:
ସେହିପରି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି,"ମୁଁ ରେଭେନ୍ସାର ଛାତ୍ର ଥିଲି । ଏହା ଓଡ଼ିଶାର ଗର୍ବ ଓ ଗୌରବ । ଗତକାଲି କେନ୍ଦ୍ରମନ୍ତ୍ରୀ ଯେଉଁ କଥା କହିଲେ ତାହା ସମସ୍ତଙ୍କୁ ଆଚମ୍ବିତ କରିଛି । ଓଡ଼ିଶା ଅସ୍ମିତାର ଆଳ ଦେଖାଇ କେନ୍ଦ୍ରମନ୍ତ୍ରୀ ଏହା କହିବାକୁ ଚେଷ୍ଟା କରିଛନ୍ତି । ନଅଙ୍କ ଦୁର୍ଭିକ୍ଷର ଚିତ୍ର ମଧ୍ୟ କହିଲେ । ସେ ସମୟରେ ରେଭେନ୍ସା ପାଇଁ ଠିକ୍ ସମୟରେ ଶିକ୍ଷାର ପ୍ରସାର ପ୍ରସାର ହୋଇଥିଲା । ଆପଣ ଟିକେ ଇତିହାସ ପଢ଼ିଥାନ୍ତେ । ଧର୍ମେନ୍ଦ୍ର ବାବୁ ମଝିରେ ମଝିରେ ବିଳ ବିଳଇ ହେଉଛନ୍ତି । ଆପଣ ଶିକ୍ଷାମନ୍ତ୍ରୀ । ଶିକ୍ଷକ ଓ ଛାତ୍ରଙ୍କ ଉନ୍ନତି କଥା ଚିନ୍ତା କରିବା ଉଚିତ । ସେ ରେଭେନ୍ସାକୁ ରାଜନୀତି ଭିତରେ ପୁରାନ୍ତୁ ନାହିଁ । ଧର୍ମେନ୍ଦ୍ର ବାବୁଙ୍କ ବ୍ୟକ୍ତିଗତ ମତ ସମସ୍ତଙ୍କୁ ଚିନ୍ତିତ କରିଛି । ସେ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ।"
ନରହନ୍ତା ବ୍ରିଟିଶ ଅଫିସରଙ୍କ ସପକ୍ଷରେ ଯୁକ୍ତି କରୁଛି ବିଜେଡ଼ି:
ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି,"ବିଜେଡ଼ି ଯେବେଠୁ ବିରୋଧୀ ଏବଂ କଂଗ୍ରେସ ତିନି ନମ୍ବର ଦଳ ହେବା ପରେ ସେମାନେ ପ୍ରସଙ୍ଗ ପାଉନାହାନ୍ତି । ପୂର୍ବରୁ ବିଜେଡ଼ି ଅଣ ଓଡ଼ିଶା ଅଫିସର ମାନଙ୍କ ପାଇଁ ଓକିଲାତି କରୁଥିଲା । ଆଉ ଏବେ ଜଣେ ନରହନ୍ତା ବ୍ରିଟିଶ ଅଫିସରଙ୍କ ସପକ୍ଷରେ ଯୁକ୍ତି କରୁଛି ବିଜେଡ଼ି । ବିଜେଡ଼ି ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି । ବିଜେଡ଼ି ସବୁ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି । ରେଭେନ୍ସା ପ୍ରତି ନବୀନ ପଟ୍ଟନାୟକ ଅବହେଳା କରିଛନ୍ତି । ରେଭେନ୍ସା ବିଶ୍ଵବିଦ୍ୟାଳୟ ପାଇଁ ଇଞ୍ଚେ ହେଲେ ଜମି ଦେଇନାହାନ୍ତି ତତ୍କାଳୀନ ବିଜେଡ଼ି ସରକାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣତାନ୍ତ୍ରିକ ଭାବେ ପ୍ରସ୍ତାବ ଦେଇଛନ୍ତି । ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ ବିତର୍କ ହେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ବିଜେଡ଼ି ଭଳି ଜଣେ ବ୍ୟକ୍ତିଙ୍କ କଥାରେ ଚାଲେ ନାହିଁ ବିଜେପି ସରକାର । "
1866 ମସିହା ନଅଙ୍କ ଦୁର୍ଭିକ୍ଷ:
ସେ ଆହୁରି ମଧ୍ୟ କହିଛନ୍ତି,"ବିଜେଡ଼ି ସାମନ୍ତବାଦୀ ବ୍ୟବସ୍ଥାରୁ ବାହାରିବାକୁ ଚାହୁଁନାହିଁ । ଆଉ କେତେ ଦିନ ଏହି ସାମନ୍ତବାଦୀ ବ୍ୟବସ୍ଥାକୁ ନେଇ ବଞ୍ଚିବା । ରେଭେନ୍ସା ବିଶ୍ଵବିଦ୍ୟାଳୟ ସବୁ ଓଡିଆଙ୍କ ପାଇଁ ଗର୍ବର କଥା । ବିଜେଡ଼ି ଭାବୁଛି ରେଭେନ୍ସା ବିଶ୍ଵବିଦ୍ୟାଳୟ କଥା କହି ଲୋକଙ୍କୁ ଭୁଆଁ ବୁଲାଇବ । 1866 ମସିହା ନଅଙ୍କ ଦୁର୍ଭିକ୍ଷର ତଦନ୍ତ ରିପୋର୍ଟ କହୁଛି, ଥୋମାସ ଏଡିସନ୍ ରେଭେନ୍ସା ଓଡ଼ିଆମାନଙ୍କୁ ଉତ୍ସାହ ହୀନ ଏବଂ ଆଳସ୍ୟ ପରାୟଣ କହିଥିଲେ । ସେ ସମୟରେ ଓଡ଼ିଆ ମାନଙ୍କୁ ଅଳସୁଆ କହିବା ପାଇଁ ବାଲେଶ୍ବର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ଉସୁକାଉଥଲେ ରେଭେନ୍ସା । ଏଥିପାଇଁ ଦୁର୍ଭିକ୍ଷ ହେଲା ବୋଲି କହିବାକୁ କହିଥିଲେ ରେଭେନ୍ସା । "