ଭୁବନେଶ୍ବର: ଆସନ୍ତା ମେ ୧୩ ତାରିଖରେ ଓଡିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସେଥିପାଇଁ ବିଜେଡି ଓ ବିଜେପିକୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ଆପଣାଇବାକୁ ଯାଉଛି ସ୍ବତନ୍ତ୍ର ରଣନୀତି । ପୂର୍ବରୁ କଂଗ୍ରେସ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏଲଇଡି ଭ୍ୟାନ ପରିକ୍ରମାର କାର୍ଯ୍ୟକ୍ରମ ଆରମ୍ଭ କରିସାରିଛି । ଯେଉଁଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ତଥା କଂଗ୍ରେସର ସଭିଙ୍କୁ ନ୍ୟାୟ ପ୍ରଦାନ ଏବଂ ଗ୍ୟାରେଣ୍ଟି କାର୍ଡ ସମ୍ପର୍କିତ ଭିଡିଓକୁ ଜନତାଙ୍କୁ ଦେଖାଯାଉଛି ।
ତେବେ ଏହି କ୍ରମରେ ଓଡିଶା କଂଗ୍ରେସ ତେଲେଙ୍ଗାନା ଓ କର୍ଣ୍ଣାଟକର କ୍ୟାମ୍ପେନ ମଡେଲକୁ ପ୍ରୟୋଗ କରିବାକୁ ଯାଉଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଭଳି ଦକ୍ଷିଣ ଭାରତର ବିଜୟୀ ରାଜନେତାମାନେ ଓଡିଶାରେ ଆସି ପ୍ରଚାର କରିବେ । କାରଣ ପୂର୍ବରୁ ବିରୋଧୀଙ୍କୁ ମାତ୍ ଦେଇ ଏହି ରାଜ୍ୟ ମାନଙ୍କରେ କଂଗ୍ରେସ ଶାସନ ଅକ୍ତିଆର କରିଥିଲା । ସେହିପରି କଂଗ୍ରେସ ହେଭିୱେଟ ରାହୁଲ ଗାନ୍ଧୀ ,ପ୍ରିୟଙ୍କା ଗାନ୍ଧୀ, ଏଆଇସିସିର ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ, କଂଗ୍ରେସର ଷ୍ଟାର ପ୍ରଚାରକ କହ୍ନେୟା କୁମାର ଓଡ଼ିଶାରେ ପ୍ରଚାର କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର କଂଗ୍ରେସର ପ୍ରସ୍ତୁତି, 'ୱାର ରୁମ'ରେ ହେବ ରଣନୀତି - War Room By Congress