ଭୁବନେଶ୍ବର:ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଥମ ଥର ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି," ବିଜେଡି ସରକାର ପରେ ମୋହନ ସରକାର ଜନସାଧାରଣଙ୍କ ଅର୍ଥରେ ବିଦେଶ ଗସ୍ତରେ ଯାଉଛନ୍ତି । କିନ୍ତୁ ରାଜ୍ୟରୁ ବଡ଼ କମ୍ପାନୀ ଫେରିଯାଉଛନ୍ତି, ଯାହା ରାଜ୍ୟ ଲାଗି ଦୁର୍ଭାଗ୍ୟଜନକ ।" ସେପଟେ ବିଜେଡ଼ି କହିଛି,"ପୁଞ୍ଜି ଆଣନ୍ତୁ, ହେଲେ ଦୋଷଦର୍ଶୀ ହେଲେ ହେବନାହିଁ । ଦୂରଦୃଷ୍ଟି ସମ୍ପର୍ଣ୍ଣ ହେବା ଉଚିତ ।"
'ନବୀନ ବାବୁ ଯାହା କରୁଥିଲେ, ଏବେ ମୋହନ ସରକାର ତାହା କରୁଛନ୍ତି':
ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । ତାରା କହିଛନ୍ତି,"ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ 24 ବର୍ଷ ବିଦେଶ ବୁଲିଲେ । କେତେ ନିବେଶ ହେଲା, କେତେ ଶିଳ୍ପ ପ୍ରତିଷ୍ଠା ହେଲା,ତାହା ରାଜ୍ୟବାସୀ ଜାଣିଛନ୍ତି । ଏବେ ମୋହନ ସରକାର ବୁଲୁଛନ୍ତି । ନବୀନ ବାବୁ ଯାହା କରୁଥିଲେ, ମୋହନ ସରକାର ତାହା କରୁଛନ୍ତି । ନବୀନ ବାବୁ ଆଉ ଏବେ ମୋହନ ବାବୁ ସରକାର ଅର୍ଥରେ ବିଦେଶ ବୁଲୁଥିଲେ । ଲୋକଙ୍କ ଟ୍ୟାକ୍ସରେ ପ୍ରଧାନମନ୍ତ୍ରୀ ଦେଶ ବିଦେଶ ବୁଲୁଛନ୍ତି, ଇଏ ମଧ୍ୟ ବୁଲିବେ । ଏମିତି ବୁଲି ବୁଲି ସଫା ହୋଇଯିବେ ।"
'ରାଜ୍ୟକୁ ଧ୍ବଂସ କରିବାକୁ ଏ ବିଦେଶ ଯାତ୍ରା':
ସେ ଆହୁରି ମଧ୍ୟ କହିଛନ୍ତି,"ପୋସ୍କୋ, JSW, ନିପନ୍ନ, ମିତ୍ତଲ ପଳେଇଲା । ଯେତିକି ବିଦେଶକୁ ମାଇନ୍ସ ପଠାଉଛ, ତାକୁ ବନ୍ଦ କରାଯାଉ । ରାଜ୍ୟ ମରୁଭୂମି ହୋଇଗଲାଣି । ଆଜି ଯିଏ ଜନ୍ମ ନେବେ, 20 ବର୍ଷ ପରେପଚାରିବ ଯେ ମୋ ବାପା ମୋ ପାଇଁ କ'ଣ କରିଛନ୍ତି । ରାଜ୍ୟକୁ ଧ୍ବଂସ କରିବାକୁ ଏ ବିଦେଶ ଯାତ୍ରା । ବିଜେଡି 25 ବର୍ଷ ପରେ ବିଜେପିର ଏ ପାଞ୍ଚ ବର୍ଷରେ ସବୁ ସାରି ଦେବେ । ଏହା ଓଡ଼ିଶା ଯୁବକଙ୍କ ପାଇଁ ଦୁର୍ଭାଗ୍ୟ ।"
ଏମିତି କହିଲା ବିଜେଡ଼:
ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,"ନିବେଶମାନଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜ୍ୟ ପରସ୍ପର ସହିତ ପ୍ରତିଯୋଗିତା କରୁଛନ୍ତି । ତେଣୁ ବାହାରକୁ ଯାଇ ରୋଡ଼ ସୋ' କରିବାର ଆବଶ୍ୟକତା ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଯାଇଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ 2016ରେ କନକ୍ଳେଭ ହୋଇଥିଲା । ତା'ପରେ 2018 ଓ ପରବର୍ତ୍ତୀ କନକ୍ଲେଭ କୋଭିଡ କାରଣରୁ ବିଳମ୍ବ ହୋଇ 2022ରେ ହୋଇଥିଲା । ଓଡ଼ିଶାରେ ଖଣି, ପେଟ୍ରୋ କେମିକାଲ ଇଣ୍ଡଷ୍ଟ୍ରି ଆସିଥିଲା । ତେଣୁ ମାନୁଫ୍ୟାକଚରିଂ ୟୁନିଟ ଉପରେ ଆମର ଫୋକ୍ସ ଦିଆଯାଇଥିଲା । ଏଥିରେ 2 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଚୂଡାନ୍ତ ହୋଇଥିଲା । ତା' ପରେ IT ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ତୃତୀୟରେ ଏରୋସ୍ପେସ ଉପରେ ଫୋକସ ଦିଆଗଲା । "