ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ଶେଷ ହେଉ ହେଉ ଓଡ଼ିଶା କଂଗ୍ରେସକୁ ପୁଣିଥରେ ଏହାର ପୁରୁଣା ରୋଗ ଆକ୍ରାନ୍ତ କରିଛି । ୯ରୁ ୯୦ ନାରା ଦେଇଥିବା କଂଗ୍ରେସ କେବଳ ୧୪ରେ ସୀମିତ ରହିଯାଇଛି । ହେଲେ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ପରସ୍ପରକୁ ଦୋଷ ଲଦି ଏବେ ନିଜ ଭାବମୂର୍ତ୍ତିକୁ ରକ୍ଷା କରିବାରେ ଲାଗିଛନ୍ତି ଦଳର ବରିଷ୍ଠ ନେତାଗଣ । ଏହାରି ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । ଦଳ ଢାଞ୍ଚା ପରିବର୍ତ୍ତନ ନକଲେ ଉଠିପରିବ ନାହିଁ ବୋଲି ସେ କହିଛନ୍ତି ।
ତାରା କହିଛନ୍ତି, "କଂଗ୍ରେସକୁ ଭାଗ ଭାଗ କରା ନଯାଉ । ଗୋଷ୍ଠୀ ବିବାଦ ନକରନ୍ତୁ । ମୁଁ ଦିଲ୍ଲୀରେ ଏଆଇସିସିର ସମସ୍ତ ବଡ଼ ବଡ଼ ନେତାଙ୍କୁ ଭେଟି କଥା ହୋଇଛି । କଂଗ୍ରେସକୁ କିପରି ଅଧିକ ସଶକ୍ତ କରାଯିବ, ସେନେଇ ଆଲୋଚନା ମଧ୍ୟ କରିଛି । ମୋ ଜିତିବାର ଶ୍ରେୟ ଜୟପୁରବାସୀଙ୍କର । ବିଧାନସଭାରେ କଂଗ୍ରେସର ସ୍ବର ସବୁବେଳେ ଉଚ୍ଚା ରହିବ । ମୋତେ କଂଗ୍ରେସ ଦଳ ବିଧାୟକ ଦଳ ନେତା କରୁ ବା ନକରୁ, ମୋ ଦଳ ପାଇଁ, ମୋ ମାଆ ମାଟି ପାଇଁ ମୁଁ ମୋ କର୍ତ୍ତବ୍ୟ କରିବି । ମୋ ସ୍ବର କୋରାପୁଟର ସ୍ବର, ଗରିବ ଖଟିକିଆଙ୍କ ସ୍ବର । କୋରାପୁଟରେ କଂଗ୍ରେସର ବିପୁଳ ବିଜୟ ହୋଇଛି । ସାଂସଦଠାରୁ ଆରମ୍ଭ କରି ୭ ବିଧାୟକ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳ ହିଁ ଗୃହରେ ମୁଖ୍ୟ ବିରୋଧୀ ଦଳ ଭୂମିକା ଗ୍ରହଣ କରିବ । ମୋ ସ୍ବରକୁ କେହି ଅଟକାଇପାରିବେ ନାହିଁ ।"