ନିଆଳି:ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ତିନି ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବା ପାଇଁ ରଣନୀତି ପ୍ରସ୍ତୁତି କରିଛନ୍ତି । କଟକ ଜିଲ୍ଲା ତଥା ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀରେ ଆସନ୍ତା ଜୁନ ୧ ତାରିଖ ଦିନ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ କଂଗ୍ରେସ, ବିଜେଡି ଓ ବିଜେପି ଦଳର ପ୍ରାର୍ଥୀମାନେ ନିଜ ଆଡକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ବୈଠକ ଓ କର୍ମୀ ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ଭିତ୍ତିକରି ଭୋଟରଙ୍କ ମନ ଜିଣୁଛନ୍ତି ।
ନିଆଳି ବିଧାନସଭା ଆସନ ପାଇଁ ଏଥର କଂଗ୍ରେସ ଦଳ ଜଣେ ଯୁବ ଚେହେରାଙ୍କୁ ପ୍ରାର୍ଥୀ କରି ଦଳକୁ ସଦୃଢ କରିବା ସହିତ ଭୋଟରଙ୍କ ସମର୍ଥନ ଗୋଟାଉଛି । କଟକ ଜିଲ୍ଲା ନିଆଳି ବ୍ଳକ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କୁ କଂଗ୍ରେସ ନିଆଳି ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି । ସୂଚନାଯୋଗ୍ୟ ଯେ ୨୦୨୨ ମସିହାରେ ଜ୍ୟୋତି ରଞ୍ଜନ ମଲ୍ଲିକ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଭାବରେ ନିର୍ବାଚନ ହୋଇଛନ୍ତି । ଏକ ରାଜନୈତିକ ପରିବାରରୁ ଆସୁଥିବା ଜ୍ୟୋତି ରଞ୍ଜନ ଇଞ୍ଜିନିୟରିଂ ପାଠ ପଢିଥିବା ସହ ବାଙ୍ଗାଲୋରରେ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଛନ୍ତି । ଜ୍ୟୋତି ରଞ୍ଜନଙ୍କ ବାପା ଆର୍ତ୍ତତ୍ରାଣ ମଲ୍ଲିକ ୨୦୦୯ ମସିହାରେ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ଏବଂ ୪୦ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇଥିଲେ । ଜ୍ୟୋତି ରଞ୍ଜନଙ୍କ ମାଆ ଗୀତାଞ୍ଜଳି ମଧ୍ୟ କଂଗ୍ରେସ ଦଳରୁ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ଲଢ଼ିଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକ - Pramod Mallick Files Nomination