ବୌଦ୍ଧ:ସାଧାରଣ ନିର୍ବାଚନ ପାଇଁ ବୌଦ୍ଧଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳର ଶିବିରରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ନିର୍ବାଚନ ତାରିଖ ଘୋଷଣା ସହ ଏବେ ସାରା ଦେଶରେ ଆଚରଣ ବିଧି ଲାଗୁ ହୋଇଛି । ହେଲେ ଜିଲ୍ଲାର ଅନେକ ସ୍ଥାନରେ ଆଚରଣ ବିଧି ଉଲ୍ଲଘଂନ କରାଯାଇଥିବା କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି । ଅନେକ ସ୍ଥାନରେ ବିଜେଡି, ବିଜେପିର ପୋଷ୍ଟର ବ୍ୟାନର ଲାଗି ଥିବାବେଳେ କଂଗ୍ରେସ ନେତାଙ୍କ ନିଜ ଜାଗାରେ ଲାଗିଥିବା ଏକ ହୋର୍ଡିଂ ଉଦ୍ଦେଶ୍ୟମୂଳକ ଭାବେ ଚିରି ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକଙ୍କ ପକ୍ଷରୁ ଜଣେ ସରକାରୀ କର୍ମଚାରୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ।
ବୌଦ୍ଧ ଜିଲ୍ଲାରେ ସରଗରମ ହେବାରେ ଲାଗିଛି ରାଜନୀତି । ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ସମେତ ବିଭିନ୍ନ ଆଶାୟୀ ପ୍ରାର୍ଥୀଙ୍କ ଶିବିରରେ ପ୍ରସ୍ତୁତି ଚାଲିଛି । ମେଣ୍ଟର ଦ୍ବନ୍ଦ ଦୂର ହେବା ପରେ ବର୍ତ୍ତମାନ ଉଭୟ ବିଜେଡି, ବିଜେପି ସହିତ କଂଗ୍ରେସ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି । ସେପଟେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ଆଚରଣ ବିଧି ଲାଗୁ ହୋଇଥିବାରୁ ଜିଲ୍ଲାର ସମସ୍ତ ସର୍ବସାଧାରଣ ସ୍ଥାନରୁ ସରକାରୀ ଯୋଜନା, ବିଜ୍ଞାପନ ଭଳି ସମସ୍ତ ପୋଷ୍ଟର, ହୋର୍ଡିଂ ହଟାଇ ଦିଆଯାଇଛି ।
କିନ୍ତୁ ବର୍ତ୍ତମାନ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଆଚରଣବିଧି ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ତିରଡ ଠାରେ ଥିବା ମେଗା ଉଠାଜଳସେଚନ ବିଭାଗର ହୋର୍ଡିଂକୁ କେବଳ ଧର୍ମକୁ ଆଖି ଠାର ସଦୃଶ ଘୋଡ଼ା ଯାଇଥିବା ବେଳେ ଏହା ଜଳ ଜଳ ହୋଇ ଦିଶୁଛି । ଏଭଳି ଅନେକ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହେଉଥିବା କଂଗ୍ରେସ ଅଭିଯୋଗ କରିଛି ।