ରାୟଗଡ଼ା: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ଶେଷ ହୋଇଥିବାବେଳେ ଆଜି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ହୋଇଥିଲା । ବିଷମକଟକ ବିଧାନସଭା ଆସନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ ହୋଇଥିଲା । ଏହାପରେ ବିଷମକଟକ ଆସନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଚିନ୍ତନ କକ୍ଷରେ ଆଜି ନାମାଙ୍କନ ଯାଞ୍ଚ ହୋଇଥିଲା । ଏଥିରେ ବିଷମକଟକ ଆସନରେ ବିଜେଡିରୁ ପୁର୍ନବାର ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପ୍ରାର୍ଥିତ୍ବକୁ ନେଇ ଆପତ୍ତି ଉଠାଇଥିଲେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ । ଜଗନ୍ନାଥ ସାରକା ଦାଖଲ କରିଥିବା ଫର୍ମ-୨୬ରେ ବ୍ୟତିକ୍ରମ ରହିଥିବା ନେଇ ଅଭିଯୋଗ ହୋଇଥିଲା ।
କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକାଙ୍କ ଅଭିଯୋଗ ଅନୁସାରେ ଜଗନ୍ନାଥ ସାରକା ନିର୍ବାଚନ ନିୟମକୁ ଉଲ୍ଲଙ୍ଘନ କରି ୫ ବର୍ଷର ଆୟକର ରିଟର୍ଣ୍ଣ ବଦଳରେ କେବଳ ୨୦୨୩-୨୪ ଆର୍ଥିକ ବର୍ଷର ତଥ୍ୟ ଦେଇଛନ୍ତି । ଉକ୍ତ ଭାଗରେ ୫ ବର୍ଷ ପାଇଁ ପୃଥକ ପୃଥକ ୫ଟି ଧାଡ଼ି ରହିଥିବାବେଳେ କେବେଳ ୨୦୨୩-୨୪ର ମୋଟ ଆୟ ୪୬ ଲକ୍ଷ ୮୯ ହଜାର ୯୮୦ ଟଙ୍କା ଉଲ୍ଲେଖ କରି ବଳକା ୪ଟି ଧାଡ଼ି ଫର୍ମରେ ରଖାଯାଇନାହିଁ ବୋଲି କହିଛନ୍ତି ନୀଳମାଧବ । ଯାହା ନିର୍ବାଚନ ନିୟମକୁ ଉଲ୍ଲଙ୍ଘନ କରୁଛି ବୋଲି ରିଟର୍ଣ୍ଣିଂ ଅଫିସର ଭାସ୍କର ରଇତଙ୍କ ନିକଟରେ ନୀଳମାଧବ ଅଭିଯୋଗ କରିଥିଲେ । ତେବେ ରିଟର୍ଣ୍ଣିଂ ଅଫିସର ଏହି ଅଭିଯୋଗ ପରେ ମଧ୍ୟ ଅଭିଯୋଗ ରଦ୍ଦ ନକରି ଜଗନ୍ନାଥ ସାରକାଙ୍କ ପ୍ରାର୍ଥିତ୍ବକୁ ସ୍ବୀକୃତି ଦେଇଛନ୍ତି । ଏହାକୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି । ଏନେଇ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରର ସାର୍ଟିଫାଇଡ୍ କପି ପାଇଁ ଆବେଦନ କରିଥିବା ପ୍ରକାଶ କରିଛନ୍ତି । ଉକ୍ତ ନାମାଙ୍କନ ପତ୍ର କପିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜଗନ୍ନାଥଙ୍କ ନାମାଙ୍କନ ନାକଚ କରିବା ପାଇଁ ଦାବି କରିବେ ବୋଲି କହିଛନ୍ତି । ମନ୍ତ୍ରୀ ଜଗନ୍ନାଥ ସାରକା ନାମାଙ୍କନ ପତ୍ରରେ ଜନସାଧାରଣଙ୍କୁ ନିଜର ୪ ବର୍ଷର ଆୟ ତଥ୍ୟ ନଦେଇ ନିର୍ବାଚନ ନିୟମକୁ ଉଲ୍ଲଙ୍ଘନ କରିବା ସହିତ ଜନସାଧାରଣଙ୍କୁ କାହିଁକି ଅନ୍ଧାରରେ ରଖୁଛନ୍ତି ବୋଲି ନୀଳମାଧବ ପ୍ରଶ୍ନ କରିଛନ୍ତି ।