ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ସାମିଲ ହେଲା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲଗୁ ଦେଶମ ପାର୍ଟି ‘ଟିଡିପି’ । ଚନ୍ଦ୍ରବାବୁଙ୍କ ସହ ପବନ କଲ୍ୟାଣଙ୍କ ଜନସେନା ପାର୍ଟି ମଧ୍ୟ ଗେରୁଆ କ୍ୟାମ୍ପରେ ସାମିଲ ହୋଇଛି । ଏଥର 400 ଆସନ ହାସଲ କରିବାର ଲକ୍ଷ୍ୟ ରଖି ନିର୍ବାଚନ ଲଢିବାକୁ ଯାଉଥିବା ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ଏବେ ତାମିଲନାଡୁ ପରେ ଆନ୍ଧ୍ର ପ୍ରଦେଶରେ ମଧ୍ୟ ମେଣ୍ଟରେ ନିର୍ବାଚନ ଲଢିବାକୁ ଯାଇଛି । ଆଜି ଦିଲ୍ଲୀରେ କଥାବାର୍ତ୍ତା ପରେ ମେଣ୍ଟ ସମ୍ପର୍କରେ ନିଜେ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି ।
ଦୀର୍ଘଦିନର ଏହି ଆଜି ଚନ୍ଦ୍ରବାବୁ ଓ ପବନ କଲ୍ୟାଣ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ କରିଥିଲେ । ଅପରାହ୍ନରେ ଏହି ଘୋଷଣାନାମା ସାମ୍ନାକୁ ଆସିଛି । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ଆସନ୍ତା ନିର୍ବାଚନ ପାଇଁ ବିଜେପି, ଟିଡିପି ଏବଂ ଜନସେନା ମଧ୍ୟରେ ମିଳିତ ଚୁକ୍ତିନାମା ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ମିଳିତ ମଞ୍ଚ ହିଁ କ୍ଲିନସ୍ବିପ କରିବ । ଲୋକସଭା ନିର୍ବାଚନ ସହିତ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଚନ୍ଦ୍ରବାବୁ ନାଇଡୁ ଏବଂ ପବନ କଲ୍ୟାଣଙ୍କ ‘ଏନଡିଏ’ ମେଣ୍ଟରେ ଯୋଗଦେବା ନିଷ୍ପତ୍ତିକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ସ୍ୱାଗତ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ 17 ତାରିଖରେ ଆନ୍ଧ୍ର ପ୍ରଦେଶରେ ଗୁଣ୍ଟୁରରେ ଟିଡିପି-ବିଜେପିର ପ୍ରଥମ ମିଳିତ ରାଲି ହୋଇପାରେ ।