ହାଇଦ୍ରାବାଦ: ରାତି ପାହିଲେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । 13ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 88ଟି ଆସନ ଲାଗି ପଡ଼ିବ ଭୋଟ । ତେବେ ଭୋଟ ଦେବାକୁ ଯିବା ସମୟରେ ମୋବାଇଲ ନେବା ଉଚିତ କି ନୁହେଁ ? ନା କେବଳ ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିବିଶେଷ ମୋବାଇଲ ନେଇଯାଇପାରିବେ ? ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି, ତେବେ ଆଜି ଆମେ ଆପଣଙ୍କ ଏହି ଦ୍ବନ୍ଦ୍ବକୁ ଦୂର କରିବୁ । ଏନେଇ ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କ ଗାଇଡଲାଇନ କଣ କହୁଛି ସେ ସମ୍ପର୍କରେ ଜାଣନ୍ତୁ ।
କଣ କହୁଛି ଗାଇଡଲାଇନ ?ଭାରତୀୟ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁସାରେ ମତଦାନ କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି । ପୋଲିଂ ଷ୍ଟେସନ ଭିତରକୁ ମୋବାଇଲ ନେଇ ଯିବାକୁ ମତଦାତାଙ୍କୁ ଦୃଢ ଭାବେ ବାରଣ କରାଯାଇଛି । ମୋବାଇଲ ନେଇ ଗଲେ ମତଦାନ ପ୍ରକ୍ରିୟାର ସ୍ବଚ୍ଛତା ଓ ଶାନ୍ତି ଶୃଙ୍ଖଳାରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଆୟୋଗଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ରହିଛି ।
ମୋବାଇଲ ବ୍ୟତୀତ ଆଉ କଣ ବାରଣ ହୋଇଛି ?ସେଲ୍ ଫୋନ ବ୍ୟତୀତ ସ୍ମାର୍ଟଫୋନ, ସ୍ମାର୍ଟୱାଚ୍ ଓ ୱେରଲେସ୍ ସେଟ ଗୁଡ଼ିକୁ ମଧ୍ୟ ପୋଲିଂ ବୁଥକୁ ନେବାକୁ ବାରଣ କରାଯାଇଛି । ଏନେଇ ଇସିଆଇ କହିଛନ୍ତି, " ମୋବାଇଲ ଫୋନ, ସ୍ମାର୍ଟଫୋନ, ସ୍ମାର୍ଟୱାଚ୍, ୱେରଲେସ ସେଟ ଗୁଡ଼ିକୁ ପୋଲିଂ ବୁଥ ଭିତରକୁ ନେବାକୁ ଅନୁମତି ନାହିଁ ।" ଅନ୍ୟପଟେ ପ୍ରିଜାଇଡିଂ ଅଫିସର ନିଜ ମୋବାଇଲକୁ ମତଦାନ କେନ୍ଦ୍ର ଭିତରକୁ ନେଇ ଯାଇପାରିବେ । କିନ୍ତୁ ଏଥିଲାଗି ଏକ ସ୍ବତନ୍ତ୍ର ନିୟମ ରହିଛି । ପୋଲିଂ ବୁଥ ଭିତରେ ଥିବା ସମୟରେ ଉକ୍ତ ପ୍ରିଜାଇଡିଂ ଅଫିସରଙ୍କ ମୋବାଇଲ ଯେପରି ସାଇଲେଣ୍ଟ ମୋଡରେ ରହିବା ଆବଶ୍ୟକ ।