ଓଡିଶା

odisha

ETV Bharat / politics

ସିକ୍କିମରେ ପୁଣି ସରକାର କରିବ SKM, ଅରୁଣାଚଳରେ ବିଜେପି - ARUNACHAL SIKKIM ASSEMBLY RESULTS

Arunachal-Sikkim Assembly Election Results 2024: ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ଜାରି ରହିଛି ଭୋଟ ଗଣତି । ଦୁଇ ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ପାର କଲା ଏସକେଏମ ଓ ବିଜେପି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 2, 2024, 1:25 PM IST

Updated : Jun 2, 2024, 2:02 PM IST

Etv Bharat
Etv Bharat (ETV BHARAT ODISHA)

ହାଇଦ୍ରାବାଦ: ସିକ୍କିମରେ ପୁଣି ସରକାର ଗଠନ କରିବ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (SKM) । 32 ବିଧାନସଭା ଆସନ ମଧ୍ୟରୁ 19ଟିରେ ଦଳ ବାଜିମାତ କରିଥିବା ବେଳେ 12ଟିରେ ଲିଡ କରୁଛି । ରାଜ୍ୟରେ ସରକାର ଗଠନ କରିବାକୁ ଦଳ ମ୍ୟାଜିକ ନମ୍ବର ପାର୍ କରି ସାରିଥିବାରୁ କର୍ମୀମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ ପୁଣି ବିଜେପି ସରକାର ଗଠନ କରିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏଠି ବିଧାନସଭା ସିଟ୍ 60 ରହିଥିବା ବେଳେ ରାଜ୍ୟରେ ସରକାର ଗଠନ ପାଇଁ ଦଳ ମ୍ୟାଜିକ ନମ୍ବର ହାସଲ କରିଛି । 60 ଆସନ ମଧ୍ୟରୁ ବିଜେପି 34ଟିରେ ବିଜୟୀ ହୋଇଥିବାବେଳେ 11ଟି ସିଟରେ ଲିଡ କରୁଛି ।

ଏପ୍ରିଲ 19 ତାରିଖରେ ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ମତଦାନ ହୋଇଥିଲା । ଅରୁଣାଚଳ ପ୍ରଦେଶରେ 69.44 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବା ବେଳେ ସିକ୍କିମରେ 70.39 ପ୍ରତିଶତ ଥିଲା । ଆଜି ସକାଳ 6ଟାରୁ ଦୁଇ ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା ।

ଗତ ନିର୍ବାଚନରେ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ସହ ଏସକେଏମର ଜୋରଦାର ଟକ୍କର ହୋଇଥିଲା । ଏସଡିଏଫ 15ଟି ଆସନ ଜିତି ଥିବାବେଳେ ଏସକେଏସ 17ଟିରେ ଆସନରେ ବାଜି ମାରି ସରକାର ଗଠନ କରିଥିଲା । ଚଳିତ ଥର ଏସକେଏମକୁ ବହୁମତ ମିଳିଛି । ସିକ୍କିମ ମୁଖ୍ୟମନ୍ତ୍ରୀ ତଥା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ସୁପ୍ରିମୋ ପ୍ରେମ ସିଂ ତମାଙ୍ଗ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟର ସୋମନାଥ ପୌଡୟାସଙ୍କୁ 7,044 ଭୋଟରେ ପରାସ୍ତ କରି ରେହେନକ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି । ରବିବାର ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ପ୍ରେମ ସିଂ ତମାଙ୍ଗ 10,094 ଭୋଟ୍ ପାଇଥିବା ବେଳେ SDFର ନିକଟତମ ପ୍ରତିଦ୍ୱନ୍ଦ୍ୱୀ 3,050 ଭୋଟ୍ ପାଇଥିବା ଦର୍ଶାଯାଇଥିଲା ।

ସିକ୍କିମରେ ଏସକେଏମ ବହୁମତରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, ''ସିକ୍କିମର ଲୋକଙ୍କୁ ଏବଂ ଦଳର କର୍ମୀଙ୍କୁ ଧନ୍ୟବାଦ । ଆମେ ହୃଦୟ ସହିତ ଲୋକଙ୍କ ପାଇଁ କାମ କରିଛୁ । ସେଥିପାଇଁ ଆମେ ନିର୍ବାଚନରେ ବିଜୟୀ ହୋଇଛି । ''

ଅରୁଣାଚଳ ପ୍ରଦେଶରେ 2019 ନିର୍ବାଚନରେ 41ଟି ବିଧାନସଭା ଆସନରେ ବିଜେପିର ବିଜୟ ହୋଇଥିଲା । ଜେଡିୟୁ ଖାତାକୁ 7ଟି ଆସନ ଯାଇଥିବା ବେଳେ ଏନପିପି 5ଟିରେ ବିଜୟୀ ହୋଇଥିଲା । କଂଗ୍ରେସ 4, ପିପିଏ ଗୋଟିଏ ଆସନରେ ଜିତିଥିଲା । ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଥିଲେ ।

Last Updated : Jun 2, 2024, 2:02 PM IST

ABOUT THE AUTHOR

...view details