ପୁରୀ:ନିର୍ବାଚନ ଯେତିକି ପାଖେଇ ଆସୁଛି ପୁରୀ ଜିଲ୍ଲା ସତ୍ୟବାଦୀ ବିଜେପିର ଗୋଷ୍ଠୀ କନ୍ଦଳ ସେତେ ସାମ୍ନାକୁ ଆସୁଛି । ପୁରୀ ସତ୍ଯବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଦଳ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି । ଗୋଷ୍ଠୀ କନ୍ଦଳ ଏତେ ମାତ୍ରାରେ ବଢିଯାଇଛି ଯେ ବହୁ ପୁରୁଖା ନେତା ଓ କର୍ମୀ ଦଳ ଛାଡିବାକୁ ଅଣ୍ଟା ଭିଡିଛନ୍ତି ।
ସତ୍ଯବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କୁ ଖୁଲମଖୁଲା ବିରୋଧ କରିଛନ୍ତି ସତ୍ୟବାଦୀ ବିଜେପିର ଅନେକ ତୁଙ୍ଗ ନେତା । ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ତେବେ ବିଜେପି ରାଷ୍ଟ୍ରୀୟ କାର୍ଯ୍ଯକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ଜଗଦେବ କହିଛନ୍ତି ଯେ, ସତ୍ଯବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦଳ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ତାଙ୍କୁ ସତ୍ଯବାଦୀ ଜନସାଧାରଣ ଗ୍ରହଣ କରିପାରୁନାହାନ୍ତି । ସେ ଜଣେ ଅପରାଧି । ଅର୍ଥ ତୋଷାରପାତ ଭଳି ଅନେକ ଅପରାଧିକ ଘଟଣା ସହ ଜଡିତ। ଏଣୁ ଏଭଳି ବ୍ଯକ୍ତିଙ୍କ ପ୍ରାର୍ଥିତ୍ୱ ଦଳ ପାଇଁ ବୁମେରାଂ ସାଜିବ ।
ଏହାମଧ୍ୟ ପଢନ୍ତୁ.. କଟକ-ବାରବାଟୀରେ ନିର୍ବାଚନୀ ଉଷ୍ମତା; ପ୍ରଚାର ଆରମ୍ଭ କଲା ବିଜେଡି, କଂଗ୍ରେସ କହିଲା ଆମର ସରିଲାଣି - Barabati Cuttack Assembly
ଅନ୍ୟପଟେ ସତ୍ଯବାଦୀର ଯୁବସଂଗଠକ କାମାକ୍ଷା ପ୍ରଧାନ କହିଛନ୍ତି, 'ତୁରନ୍ତ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ପ୍ରତ୍ଯାହାର କରାଯାଉ ।" ଅନ୍ୟପଟେ କାମାକ୍ଷାଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିବେଦନ କରିଛନ୍ତି କୃଷ୍ଣ ଜଗଦେବଙ୍କ ଭଳି ପୁରୁଖା ନେତା । ନଚେତ ଆଗାମୀ ନିର୍ବାଚନରେ ଦଳକୁ ୨୦୧୯ ଭଳି ଅବସ୍ଥା ଭୋଗିବାକୁ ପଡିବ ବୋଲି ଚେତେଇ ଦେଇଛନ୍ତି ।
ସେପଟେ ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି କାମାକ୍ଷା । ସମ୍ବିତ ତାଙ୍କ ସହ ଭିତିରି ସମ୍ପର୍କ ରଖି ନିର୍ବାଚନ ବୈତରଣୀ ପାରି ହେବାକୁ ଚକ୍ରାନ୍ତ କରୁଛନ୍ତି । ଦଳୀୟ କର୍ମୀଙ୍କ ପରାମର୍ଶକୁ ଅଣଦେଖା କରି ଯଦି ଦଳ ପ୍ରାର୍ଥୀ ପ୍ରତ୍ଯାହାର ନକରେ ତେବେ ୨୦୨୪ ନିର୍ବାଚନରେ ବହୁମୁଲ୍ଯ ଦେବାକୁ ପଡିବ । ଏହି ନିର୍ବାଚନ ମଣ୍ଡଳୀ ଅଧିନ ବହୁ ବିଜେପି କର୍ମୀ ଦଳ ଛାଡି ପଳାଇଛନ୍ତି । ଏବେବି ଅନେକ ଦଳ ଛାଡିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଯଦି ଦଳ କାମାକ୍ଷାଙ୍କୁ ବିଜେପି ଟିକେଟ ନ ଦିଆଯାଏ ଆଗାମୀ ନିର୍ବାଚନରେ କେହି ସହଯୋଗ କରିବେ ନାହିଁ ବୋଲି କୃଷ୍ଣ ଜଗଦେବ କହିଛନ୍ତି ।
ଅନ୍ୟପଟେ ଏହି ସାମ୍ବାଦିକ ସମ୍ବିଳନୀରେ ବିଜେପି ଯୁବ ସଂଗଠକ କାମାକ୍ଷା ପ୍ରଧାନ, ବିଜେପି ରାଷ୍ଟ୍ରୀୟ କାର୍ଯ୍ଯକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ଜଗଦେବଙ୍କ ସହ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ପୁରୀ