ନିଆଳି: ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି ଅରବିନ୍ଦ ଢାଲି । ବିଜେଡି ଛାଡି ବିଜେପିରେ ଯୋଗ ଦେବାପରେ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି । ତେବେ ଏହାକୁ ନେଇ ବିଜେପିରେ ନେତା ଓ କର୍ମୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଦୀର୍ଘ ବର୍ଷ ଧରି ସଂଗଠନ ସଜାଡିଥିବା ଜୟଦେବର ବିଜେପି ନେତାମାନେ ନିର୍ବାଚନ ଲଢିବା ପାଇଁ ଆଶାୟୀ ଥିବା ବେଳେ ଅରବିନ୍ଦ ଢାଲିଙ୍କ ପ୍ରାର୍ଥୀତ୍ୱକୁ କଡା ବିରୋଧ କରିଛନ୍ତି ।
ତେଜୁଛି ଢାଲି ହଟାଅ ଜୟଦେବ ବଞ୍ଚାଅ ନାରା: ଜୟଦେବ ଆସନରୁ ବିଜେଡି ଦଳରୁ ଦୁଇଥରର ବିଧାୟକ ଅରବିନ୍ଦ ଢ଼ାଲି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଜେପି ମଧ୍ୟ ତାଙ୍କୁ ଜୟଦେବ ଆସନରୁ ପୁନଃ ପ୍ରାର୍ଥୀ କରିଛି । ତେବେ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିବା ପରେ ଟିକେଟ ଜୟଦେବ ବିଜେପିରେ ସଙ୍କଟ ଏବଂ ଅସନ୍ତୋଷ ଦେଖିବାକୁ ମିଳିଛି । ବିଜେଡି ଦଳକୁ ସଙ୍ଗଠିତ କରିଥିବା ପୁରୁଖା ନେତା ଏବଂ ନୂଆ ନେତାମାନେ ଏହାକୁ ବିରୋଧ କରିବା ସହ 'ଢାଲି ହଟାଅ ଜୟଦେବ ବଞ୍ଚାଅ' ନାରା ଦେଇଥିଲେ । ଆଉମଧ୍ୟ ବିଜେପି ନେତା ବସନ୍ତ ନାୟକ ଏବଂ ସତ୍ୟପ୍ରିୟ ବେହେରାଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ନାରାବାଜି ଦେବା ସହିତ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ।
ଆଶାୟୀଙ୍କ ମନରେ ଅସନ୍ତୋଷ:ଜୟଦେବରେ ବିଜେପି ଏକ ପ୍ରକାର ଅଶାନ୍ତି ଥିବା ଦେଖିବାକୁ ମିଳିଛି । ଦଳ ଅନ୍ତଃକନ୍ଦଳ ଯଦି ନ ଥମେ ତେବେ ଏହାର ସିଧାସଳଖ ଫାଇଦା ଉଠାଇବେ ବିରୋଧି ଦଳମାନେ । ଅନ୍ୟପଟେ ଜୟଦେବ ଟିକଟ ଆଶାୟୀ ଥିବା ବସନ୍ତ ନାୟକ, ଶିବ ମଲ୍ଲିକ, ମାଗୁଣି ସେଠୀ ଏବଂ ସତ୍ୟପ୍ରିୟ ବେହେରା ପ୍ରମୁଖ ଅରବିନ୍ଦ ଢାଲିଙ୍କ ପ୍ରାର୍ଥୀତ୍ୱକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।