ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି (ମାର୍ଚ୍ଚ 5 ତାରିଖ)ରେ ଯାଜପୁରରେ ସରକାରୀ କାର୍ଯ୍ୟକ୍ରମ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି । ପୂର୍ବରୁ ସମ୍ବଲପୁର ଗସ୍ତ ସମୟରେ ମୋଦି ନବୀନ ସରକାର ବିରୋଧରେ ପଦୁଟିଏ ବି କହିନଥିବା ବେଳେ ଯାଜପୁର ଗସ୍ତରେ ମୋଦି କ'ଣ କହିବେ, ନବୀନ ସରକାରଙ୍କ କ୍ଷେତ୍ରରେ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବେ ଏହା ଉପରେ ଏବେ ସାରା ରାଜ୍ୟର ନଜର ।
ମୋଦିଙ୍କ ଗସ୍ତକୁ ନେଇ ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ମୋଦିଙ୍କ ଭାଷଣରୁ ଗୋଟିଏ ଆଭାସ ମିଳିଯିବ । ଆଗାମୀ ନିର୍ବାଚନକୁ ନେଇ ବିଜେଡି ବିଜେପି ଭିତରେ କି ବୁଝାମଣା ହେବ ତାକୁ ନେଇ ଯେଉଁ କଳ୍ପନା ଜଳ୍ପନା ଅଛି ଆସନ୍ତାକାଲି ତାର ଆଭାସ ମିଳିବ । ବର୍ତମାନ ସୁଦ୍ଧା ରାଜ୍ୟରେ ଏହି ଦୁଇ ଦଳ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ । ଜାତୀୟ ସ୍ତରରେ ଏବଂ ନେତୃତ୍ବ ସ୍ତରରେ ଏମାନଙ୍କ ଭିତରେ ଶତ୍ରୁତା ଆମେ ଦେଖୁନାହୁଁ । କିନ୍ତୁ ବୁଝାମଣା ହେବ । ଉଭୟ ଦଳର ଆଶାୟୀଙ୍କ କଥା ବୁଝି ବୁଝାମଣା ହେବ । ଦୁଇଟି ଲକ୍ଷ୍ୟ ରହୁଛି, ଲୋକସଭାରେ ବହୁ ଆସନରେ ମୋଦି ଜିତିବା ଏବଂ ବିଜେଡି ଚାହୁଁଛି ରାଜ୍ୟରେ ଷଷ୍ଠ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହେବେ । ଏହି ଦୁଇଟି ଆଭିମୁଖ୍ୟକୁ ପୁରଣ କରିବା ପାଇଁ ଉଭୟଙ୍କ ମଧ୍ୟରେ କିଛି ବୁଝାମଣା ହୋଇପାରେ । ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିବେ ନାହିଁ ସେ ପ୍ରକାରର କିଛି ଆଭାସ ମିଳିଯିବ । ସମ୍ବଲପୁର ଗସ୍ତରେ ମୋଦିଙ୍କ କଥାରୁ ସ୍ପଷ୍ଟ ହୋଇଥିଲା ଯେ, ସେ ନବୀନଙ୍କ ବିରୋଧରେ ଯାଉନାହାନ୍ତି । ଉଭୟଙ୍କ ମଧ୍ୟରେ ଶତ୍ରୁତା ନାହିଁ । ଏବେ କିନ୍ତୁ ମେଣ୍ଟ ନେଇ ସନ୍ଦେହ ସୃଷ୍ଟି ହୋଇଛି କିନ୍ତୁ ବୁଝାମଣା ନିଶ୍ଚୟ ହେବ । 21ଟି ଲୋକସଭା ଆସନ କିପରି ବିଜେପି ସପକ୍ଷରେ ଯିବ ସେ ବ୍ୟବସ୍ଥା କରାଯାଉଛି ।"
ସେପଟେ ଏନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ମୋଦି ସରକାର ସମୟରେ ଯେପରି ଭାବେ ଲୋକଙ୍କ କଲ୍ୟାଣ ଓ ସାମଗ୍ରିକ ବିକାଶ ପାଇଁ ଯେଉଁ ଯେଉଁ ଯୋଜନା କରିଛନ୍ତି ତାହା କିପରି ଲୋକଙ୍କ ପାଖରେ ପହଞ୍ଚିବ । ଆଗାମୀ ଦିନରେ ଆଉ କେଉଁ କେଉଁ ଯୋଜନା କରାଯିବ ତାର ରୂପରେଖ ପ୍ରକାଶ ପାଇବ । ନବୀନଙ୍କୁ ଟାର୍ଗେଟ କରିବା ଉପରେ ବିଜେପି ବିଶ୍ବାସ କରେ ନାହିଁ । ମୋଦି ଗ୍ୟାରେଣ୍ଟି ଉପରେ ବିଶ୍ବାସ କରିବେ । ମୋଦିଙ୍କ ଫୋକସରେ ଓଡିଶା ରହିଛି । ଲୋକଙ୍କ ବିକାଶ କିପରି ହେବ ମୋଦି ସେ କଥା କହିବେ । ଲୋକେ ହିଁ ବିଚାର କରିବେ କିଏ ଭୋଟ ନେଇ ଠକୁଛି । ସାରା ବିଶ୍ବର ନେତା ମୋଦି । ମୋଦିଙ୍କୁ ଦେଖିବା ପାଇଁ ଲୋକଙ୍କ ଭିତରେ ଆଗ୍ରହ ଓ ଉତ୍ସୁକତା ରହିଛି । ମୋଦିଙ୍କ ଗସ୍ତ 2024 ନିର୍ବାଚନ ଉପରେ ପ୍ରଭାବ ପକାଇବ ।"