ଭୁବନେଶ୍ବର:5T ତଥା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଲୋଗୋ ଥିବା ବ୍ୟାଗରେ ମାଗଣା ଚାଉଳ ବଣ୍ଟନ ପ୍ରସଙ୍ଗ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "୫ କିଲୋ ଏବଂ ୧୦ କିଲୋ ଚାଉଳ ବ୍ୟାଗରେ ବିଜେଡି ଦେବ ଚାଉଳ । ଏ ସରକାର ଜାଣିବା ଦରକାର ଏହା କାହା ଚାଉଳ ଏବଂ କିଏ ଦେଉଛନ୍ତି । ରାଜ୍ୟ ସରକାର ଯେଉଁ ଚାଉଳ ଦେଉଛନ୍ତି ତାକୁ ତାଙ୍କ ବ୍ରାଣ୍ଡ ବ୍ୟାଗରେ ଦିଅନ୍ତୁ, ଆମର କିଛି କହିବାର ନାହିଁ । ହେଲେ ପ୍ରଧାନମନ୍ତ୍ରୀ ଦେଉଥିବା ଚାଉଳକୁ ନ ଦିଆଯାଉ ।"
ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଠିକ୍ ଭାବରେ ଲାଗୁ କରାଯାଉନାହିଁ । କେନ୍ଦ୍ରର ମୋଦି ସରକାର ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଦେଉଛନ୍ତି । ବିଜୁ ବାବୁ ତାଙ୍କ ରାଜନୀତି କାଳରେ କେବେ ଏସବୁ କରିନାହାନ୍ତି । 5T ଏବଂ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଲୋଗୋ ଥିବା ବ୍ୟାଗ ଦେଇ ମାଗଣା ଚାଉଳ ବଣ୍ଟନ କରିବା ନେଇ ଷଡ଼ଯନ୍ତ୍ର କରୁଛନ୍ତି । ଜିଲ୍ଲା ଅଧିକାରୀ ମଧ୍ୟ ଏପରି ଲୋଗୋ ଥିବା ବ୍ୟାଗରେ ମାଗଣା ଚାଉଳ ବଣ୍ଟନ କରିବାକୁ ଯୋଜନା କରିଛନ୍ତି । ଏ ବ୍ୟାଗରେ ରାଜ୍ୟ ସରକାର ମାଗଣା ଚାଉଳ ଦେଇପାରିବେ ନାହିଁ । ମାଗଣା ଚାଉଳ କେନ୍ଦ୍ର ଦେବ । ହେଲେ ରାଜ୍ୟ ସରକାର ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି । ଚୋରି କରିବାର ଗୋଟିଏ ସୀମା ଥାଏ। ନବୀନ ବାବୁଙ୍କ ସରକାର ଏଥିରେ ପିଏଚଡ଼ି କରିଛନ୍ତି । ବିଜେପି ପ୍ରତି ଡିଲର ପଏଣ୍ଟରେ ଏହାକୁ ବିରୋଧ କରିବ ।"