ଭୁବନେଶ୍ବର:ମେଣ୍ଟକୁ ନେଇ ପୁଣି ବଢିଲା ଚର୍ଚ୍ଚା । ମେଣ୍ଟ ଚର୍ଚ୍ଚା ଭିତରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ଓ ଟିମ୍ । ଡାକରା ଆସିବା ଦିଲ୍ଲୀ ଗସ୍ତ କଲେ ରାଜ୍ୟ ବିଜେପି ଟିମ୍ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି । ଏନେଇ ବିଜୟ ପାଲ ସିଂ ତୋମାର କହିଛନ୍ତି, "ସବୁ ସିଟ ଉପରେ ଆଲୋଚନା ହେବ । ପର୍ଯ୍ୟବେକ୍ଷକ ମାନଙ୍କଠାରୁ ରିପୋର୍ଟ ଉପରେ ଆଲୋଚନା ହେବ । ମେଣ୍ଟ ଉପରେ ଚର୍ଚ୍ଚା ହୋଇନାହିଁ । ଅତୀତରେ ବିଜେଡ଼ି ମେଣ୍ଟ ସମର୍ଥନ ଦେଇଥିଲା । 147 ବିଧାନସଭା ଏବଂ 21 ଲୋକସଭା ଉପରେ ଆଲୋଚନା ହେବ । ମୋ ଜାଣିବାରେ ମେଣ୍ଟ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ।"
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟାରେ କହିଛନ୍ତି, "ଦିଲ୍ଲୀରୁ ଯେତେବେଳେ ଡାକରା ଆସିବ ସେତେବେଳେ ଯିବୁ । କୌଣସି ବୈଠକ ସ୍ଥିର ହୋଇନାହିଁ । ଡାକରା ଆସିଲେ ଟିମ୍ ଦିଲ୍ଲୀ ଯିବ । ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେବେ କଣ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀଙ୍କ 'ମିଛ ଓ ଗୁଜବ' ମନ୍ତବ୍ୟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନମୋହନ । ସେ କହିଛନ୍ତି, "ସେସବୁ ଉପରେ ଟିପ୍ପଣୀ କରିବା ମୋର ଠିକ୍ ହେବ ନାହିଁ ।"ଓଡ଼ିଶା ରାଜନୀତିରେ ମିଥ୍ୟା ଗୁଜବ କରାଯାଉଛି କି ବୋଲି ପ୍ରଶ୍ନରେ ମନମୋହନ କହିଛନ୍ତି, "ଜନସାଧାରଣ ବେଷ୍ଟ ଜଜ୍ । ସେମାନେ ହିଁ ନିଷ୍ପତ୍ତି ନେବେ ।"