ଓଡିଶା

odisha

By ETV Bharat Odisha Team

Published : Apr 16, 2024, 10:56 PM IST

ETV Bharat / politics

ମୟୂରଭଞ୍ଜ ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ବିଶ୍ବେଶ୍ବର ନିରାଶ - BJP Candidate Announcement

BJP Candidate Announcement: ମୟୂରଭଞ୍ଜ ଜିଲ୍ଲାର ବାକିଥିବା 4ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ନିରାଶ ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଧିକ ପଢ଼ନ୍ତୁ

BJP Candidate Announcement
BJP Candidate Announcement

BJP Candidate Announcement

ରାଇରଙ୍ଗପୁର: ଆଜି ଭାରତୀୟ ଜନତା ପାର୍ଟି ପୁଣି ଓଡିଶାର ୨୧ ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି । ସେଥି ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର 4ଟି ନିର୍ବାଚନ ମଣ୍ଡଳୀ ପାଇଁ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଏହି 4ଟି ନିର୍ବାଚନ ମଣ୍ଡଳୀ ହେଲା ରାଇରଙ୍ଗପୁର, କରଞ୍ଜିଆ, ସାରସକଣା ଓ ବାଙ୍ଗିରିପୋଷି । ଏହି 4ଟି ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଦୁଇଟିରେ ବିଜୟୀ ହୋଇଥିବାବେଳେ ବିଜେଡି ଦୁଇଟି ନିର୍ବାଚନ ମଣ୍ଡଳୀ ଦଖଲ କରିଥିଲା । ଏଥର 4ଟି ଯାକ ଆସନ ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ ।

ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ଜୋଲେନ ବାରଦା, କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ପଦ୍ମଚରଣ ହାଇବୁରୁ, ସାରସକଣା ନିର୍ବାଚନ ମଣ୍ଡଳୀ ପାଇଁ ଭାଦବ ହାଁସଦା ଓ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ସଞ୍ଜଲୀ ମୁର୍ମୁଙ୍କ ନାମ ଘୋଷଣା କରାଯାଇଛି । ଏନେଇ ମୟୂରଭଞ୍ଜ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି । ସମସ୍ତ ପ୍ରାର୍ଥୀ ଅତ୍ୟନ୍ତ ଉତ୍ସାହିତ ଥିବାବେଳେ ଜିତିଲେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ କାମ କରିବେ ବୋଲି କହିଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରୀୟ ନେତା ଓ ରାଜ୍ୟର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତ ପ୍ରାର୍ଥୀ ।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ବିଧାନସଭା ପ୍ରାର୍ଥୀ ଜୋଲେନ ବାରଦା ରାଇରଙ୍ଗପୁର ଉପଖଣ୍ଡର ଜଣେ ଜଣାଶୁଣା ପରିଚିତ ଚେହରା । ରାଇରଙ୍ଗପୁର ଉପଖଣ୍ଡର ଜଣେ ଆଦିବାସୀ ସ୍ବାଭିମାନୀ ନେତା ଭାବରେ ବେଶ ପରିଚିତ ଜୋଲେନ । ତାଙ୍କ ଘର ହେଉଛି ତିରିଂ ବ୍ଲକ ଅନ୍ତର୍ଗତ ସାନସାଦମ ଗ୍ରାମରେ । ତେବେ ସେ ତିରିଂ 20ନଂ ଜିଲ୍ଲା ପରିଷଦ ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ । ସେ 2000 ମସିହାରୁ 2012 ପର୍ଯ୍ୟନ୍ତ ବିଜେପିରେ ସକ୍ରିୟ ରାଜନୀତିରେ କାର୍ଯ୍ୟ କରୁଥିବାବେଳେ 2007-2012 ପର୍ଯ୍ୟନ୍ତ ବିଜେପିରୁ 20ନଂ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡି ଦଳରେ ଯୋଗ ଦେଇ 2012-2017 ପର୍ଯ୍ୟନ୍ତ ପୁଣି ତିରିଂ 20ନଂ ଜିଲ୍ଲା ପରିଷଦ ଜୋନ ନିର୍ବାଚନରେ ବିଜୟୀ ହୋଇଥିଲେ । ତେବେ ଏଇ 6 ମାସ ପୂର୍ବରୁ ସେ ବିଜେପିକୁ ପୁଣି ଫେରି ଆସିଥିଲେ । ଅଞ୍ଚଳର ବିକାଶ ଓ ଆଦିବାସୀଙ୍କ ଉନ୍ନତି ପାଇଁ ସଦାସର୍ବଦା ସ୍ବର ଉତ୍ତୋଳନ କରି ଆସୁଛନ୍ତି ଜୋଲେନ ବାରଦା ।

ଏହା ମଧ୍ୟ ପଢ଼ନ୍ତୁ...21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପୁରରୁ ଅମରେନ୍ଦ୍ର - BJP releases candidates list

ଏଠାରେ ସୂଚନାଯୋଗ୍ୟ, ଗତ ୨୦୧୪ ବିଧାନସଭା ନିର୍ବାଚନରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ସାଇବା ସୁଶୀଲ ହାଁସଦା ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନରେ କିନ୍ତୁ ବିଜେଡି ତା'ର ବିଜୟକୁ ରିପିଟ୍ କରି ପାରିନଥିଲା । ବିଜେପିରୁ ନବ ଚରଣ ମାଝୀ, ବିଜେଡିରୁ ବାସନ୍ତି ମାର୍‌ଣ୍ଡି ଓ କଂଗ୍ରେସ-ଜେଏମ୍‌ଏମ୍‌ରୁ ମେଣ୍ଟ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିଲା । ଏଥିରେ ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ ୬୦,୯୦୧ ଖଣ୍ଡ ଭୋଟ ପାଇଥିବା ବିଜୟୀ ହୋଇଥିଲେ । ବିଜେଡିର ବାସନ୍ତୀ ମାର୍‌ଣ୍ଡି ୫୮,୦୫୪ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଓ ରାମଚନ୍ଦ୍ର ମୁର୍ମୁ ୩୦,୫୧୨ ଖଣ୍ଡଭୋଟ ପାଇ 3ୟରେ ରହିଥିଲେ । ବିଜେପି ପ୍ରାର୍ଥୀ ନବଚରଣ ମାଝୀ ୨୮୪୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ । ଗତଥର ଭଳି ଚଳିତ ନିର୍ବାଚନରେ ମଧ୍ୟ ମୋଦି ଲହର ଓ ଡବଲ ଇଞ୍ଜିନ କାମ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସେହିପରି ବାଙ୍ଗିରୀପୋଷି ଆସନରୁ ପୂର୍ବତନ ପ୍ରାର୍ଥୀ ସୁଗଦା ମୁର୍ମୁଙ୍କ ଝିଅ ତଥା ବିଜେପି ମହିଳା ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ସଞ୍ଜଲୀ ମୁର୍ମୁଙ୍କୁ ଦଳ ଏଥର ମହିଳା ପ୍ରାର୍ଥୀ ଭାବେ ଚୟନ କରିଛି । ଠିକ୍ ସେହିପରି ସାରସକଣା ଆସନ କଥା ଯଦି କହିବା ନିକଟରେ ବିଜେଡିରୁ ଦଳ ଛାଡି ପଦ୍ମ ଶିବିରକୁ ଆସିଥିବା ପୂର୍ବତନ ବିଧାୟକ ଭାଦବ ହାଁସଦାଙ୍କ ଉପରେ ଭରସା ରଖି ଦଳ ଟିକେଟ ଦେଇଛି । କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ପଦ୍ମଚରଣ ହାଇବୁରୁ ଜଣେ ଲୋକପ୍ରିୟ ନେତା । ସେ ମଧ୍ୟ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସଦାସର୍ବଦା ସ୍ବର ଉତ୍ତୋଳନ କରି ଆସୁଛନ୍ତି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଦଳରୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ ହାଇବୁରୁ । କିନ୍ତୁ ବିଜେଡିର ବାସନ୍ତି ହେମ୍ବ୍ରମଙ୍କ ଠାରୁ ୮,୭୬୩ ଭୋଟ ପଛରେ ରହି ପରାଜିତ ହୋଇଥିଲେ ।

ମୟୂରଭଞ୍ଜ ଜିଲ୍ଲାରୁ ପୂର୍ବରୁ 5 ବିଧାୟକ ପ୍ରାର୍ଥୀଙ୍କୁ ରିପିଟ୍‌ କରିଥିବାବେଳେ ଆଜି 4 ଆସନର ପ୍ରାର୍ଥୀ ଘୋଷଣା ପରେ ବିଜେପି ମହଲରେ ନୂଆ ଉତ୍ସାହ ପରିଲକ୍ଷିତ ହୋଇଛି । ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଟି ଆସନରେ ବିଜେପି ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିବାବେଳେ ଗତ ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେପି ଦଳର ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ନା ମିଳିଛି ଏଥର ସାଂସଦ ଟିକେଟ ନା ମିଳିଛି ବିଧାୟକ ଟିକେଟ । ବିଶ୍ବେଶ୍ବରଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ମିଳିନଥିଲା । ମୟୂରଭଞ୍ଜ ଜିଲ୍ଲାର ୯ଟି ଆସନରୁ ବିଧାନସଭା ପ୍ରାର୍ଥୀ ଭାବରେ ଗୋଟିଏ ଆସନରୁ ବିଧାୟକ ପ୍ରାର୍ଥୀ ଭାବରେ ବିଧାନସଭା ଟିକେଟ ମିଳିବ ବୋଲି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ହେଲେ ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ କୌଣସି ସୁଯୋଗ ଦିଆଗଲା ନାହିଁ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details