ବିଜେଡି ମିଶ୍ରଣ ପର୍ବରେ ସାମିଲ ହେଲେ ବିଜେପି ଓ କଂଗ୍ରେସର ଶତାଧିକ ନେତା ଓ କର୍ମୀ ଭୁବନେଶ୍ବର: ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ହେବା ପରେ ଆରମ୍ଭ ହୋଇଯାଇଛି ଦଳଡିଆଁ ପର୍ବ । ଆଜି ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ଓ କଂଗ୍ରେସର ଶତାଧିକ ନେତା ଓ କର୍ମୀ । ଲାଞ୍ଜିଗତ ଆସନ ପାଇଁ ଆଶାୟୀ ଥିବା ବିଜେପିର ନେତା ତଥା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବସନ୍ତ ପଡ଼ା ସରପଞ୍ଚ ତଥା ଯୁବ ଆଦିବାସୀ ନେତା ଚାଞ୍ଚେର ମାଝୀ ବିଜେଡିରେ ସାମିଲ ହୋଇଛନ୍ତି । ବିଜେପି ଅନ୍ୟ ଜଣଙ୍କୁ ଟିକେଟ ଦେବା ପରେ ଏହାକୁ ବିରୋଧ କରି ଚାଞ୍ଚେର ମାଝୀ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଆଜି ନିଜ ୧୦୦ ଜଣ ସମର୍ଥକଙ୍କ ସହ ଭୁବନେଶ୍ବର ଶଙ୍ଖ ଭବନ ଠାରେ ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ଜିଲ୍ଲା ଆଦିବାସୀ ସଂଘ ସଭାପତି ତଥା କଂଗ୍ରେସ ଆଦିବାସୀ ସେଲର ସଂପାଦକ ଭାବରେ କାର୍ଯ୍ୟ କରି ଆସୁଥିବା ବେଳେ ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ...ଲାଞ୍ଜିଗଡ ଆସନ ପାଇଁ ତିନି ଦଳଙ୍କ ମାଷ୍ଟରପ୍ଲାନ ପ୍ରସ୍ତୁତ, ପ୍ରମୁଖ ମୁଦ୍ଦା 'ବିକାଶ' - Lanjigarh Assembly Constituency
କଂଗ୍ରେସର ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ନିଜର କାର୍ଯ୍ୟ କରି ଆସୁଥିବା ବେଳେ ଦଳ ଓ ଶୀର୍ଷ ନେତୃତ୍ବକୁ ବିରୋଧ କରି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଭୁବନେଶ୍ବର ବିଜେଡି ଶଙ୍ଖ ଭବନରେ ଏନେଇ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, କଳାହାଣ୍ଡି ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉଭୟ ନେତା ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରିଛନ୍ତି ।
ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ କଳାହାଣ୍ଡି ଜିଲ୍ଲା ବିଶେଷକରି ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ଉଭୟ ନେତା କହିଛନ୍ତି । ବିଜେଡ଼ିରେ ସାମିଲ ହୋଇଥିବା ବିଜେପି ଓ କଂଗ୍ରେସ ନେତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଆମେ ଅନୁପ୍ରାଣିତ ହୋଇଛୁ । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛୁ । ନୂଆ ଓଡ଼ିଶା ଗଠନରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ବ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି/ଭୁବନେଶ୍ୱର