ଭୁବନେଶ୍ବର: ୱାକଫ ସଂଶୋଧନ ବିଲକୁ ସମର୍ଥନ କରିବନି ବିଜେଡି । ୱାକଫ ସଂଶୋଧନ ବିଲକୁ ଯଦି ରାଜ୍ୟସଭାକୁ ଆସେ ତେବେ ଏହାକୁ ଜୋରଦାର ବିରୋଧ କରିବ ବିଜେଡି । ବିଜୁ ଜନତା ଦଳ ଏନେଇ ନୀତିଗତ ନିଷ୍ପତ୍ତି ନେଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ବିଜେଡ଼ିର ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ଓରଫ ମୁନ୍ନା ଖାଁ ।
ୱାକଫ ସଂଶୋଧନ ବିଲକୁ ସମର୍ଥନ କରିବନି ବିଜେଡି (ETV Bharat Odisha) ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ତଥା ରାଜ୍ୟସଭାସାଂସଦ ମୁନ୍ନା ଖାଁ କହିଛନ୍ତି, "ବିଜେପି ନେତୃତ୍ବାଧୀନ NDA ସରକାର ୱାକଫ ସଂଶୋଧନ ବିଲ ସଂସଦରେ ଆଣିବାକୁ ଚେଷ୍ଟା କରୁଛନ୍ତି । ୱାକଫ ସଂଶୋଧନ ବିଲ ପାଇଁ ଜଏଣ୍ଟ ପାର୍ଲିଆମେଣ୍ଟ୍ରୀ କମିଟି(ଜେପିସି) ଗଠନ ହୋଇଛି । ବିଭିନ୍ନ ଦଳର ସାଂସଦ ଜେପିସିରେ ଅଛନ୍ତି । ୱାକଫ ସଂଶୋଧନ ବିଲକୁ ବିଜେଡି ବିରୋଧ କରିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ସ୍ପଷ୍ଟ ଭାବେ ଆମକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ହିସାବରେ ସଂସଦରେ ଆମେ ଏହି ବିଲକୁ ବିରୋଧ କରିବୁ । ମୋଦି ସରକାର ଯଦି ସଂସଦରେ ଏହି ବିଲ ଆଣନ୍ତି ଆମେ ନିଶ୍ଚୟ ବିରୋଧ କରିବୁ ।"
ବିଲ୍କୁ ବିରୋଧ କରିବୁ:
ମୁନ୍ନା ଆହୁରି ମଧ୍ୟ କହିଛନ୍ତି, "ଆମେ ଜାଣିବାରେ ଜେପିସିର ଏକାଧିକ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ଦିନରେ ଜେପିସି କଣ ରିପୋର୍ଟ ଦେଉଛି ତାହା ଉପରେ ଆମର ନଜର ରହିଛି । ଏହା ପରେ ଆମେ ନିଷ୍ପତ୍ତି ନେବୁ । ୱାକଫ ସଂଶୋଧନ ବିଲ ବାବଦରେ ଆମ ନେତା ନବୀନ ପଟ୍ଟନାୟକ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖି ସାରିଛନ୍ତି । ୱାକଫ ସଂଶୋଧନ ବିଲକୁ ସଂସଦରେ ବିରୋଧ କାରିବାକୁ ସେ ଆମକୁ ସେ ସ୍ପଷ୍ଟ ସବୁଜ ସଙ୍କେତ ଦେଇ ସାରିଛନ୍ତି । ପୂର୍ବରୁ ମୋଦି ସରକାରଙ୍କ ବିଭିନ୍ନ ବିଲକୁ ବିଜେଡି ସାଂସଦ ମାନେ ବିରୋଧ କରିଥିଲେ । ଏହି ବିଲକୁ ମଧ୍ୟ ବିରୋଧ କରିବୁ ।"
ଏହା ମଧ୍ୟ ପଢନ୍ତୁ:ଲୋକସଭାରେ ଆଗତ ହେଲା ୱାକଫ ସଂଶୋଧନ ଅଧିନିୟମ: ବିରୋଧୀଙ୍କ ଜୋରଦାର ବିରୋଧ, କହିଲେ ସମ୍ବିଧାନ ଉପରେ ଆକ୍ରମଣ
କାହିଁକି ବିରୋଧ କରିବ ବିଜେଡି ?
ସେ ଏହା ମଧ୍ୟ କହିଛନ୍ତି, "ଅତୀତ ଦିନରେ ଓଡ଼ିଶାରେ ବିଜେଡିର ସରକାର ଥିଲା । ଏକ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ସହ ତାଳ ଦେଇ ଚାଲୁଥିଲୁ । ଓଡିଶାକୁ ଆଗକୁ ନେବା ଲାଗି ଆମେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛୁ । ବିରୋଧ ମଧ୍ୟ କରିଛୁ । ଯେଉଁ ବିଶ୍ଵାସରେ ଆମେ ବିଜେପିକୁ ସମର୍ଥନ ଦେଇଥିଲୁ, ସେମାନେ ଆମ ବିଶ୍ବାସ ରଖି ନାହାନ୍ତି ।" ବିଜେଡି ପୂର୍ବରୁ ୱାକଫ ସଂଶୋଧନ ବିଲକୁ ନେଇ ବିଜେପିର ସହଯୋଗୀ ଦଳ ମଧ୍ୟ ଆପତ୍ତି ଉଠାଇଛନ୍ତି । ଜେଡିୟୁ, ଲୋକ ଜନଶକ୍ତି ଓ ଟିଡିପି ମଧ୍ୟ ବିଲକୁ ବିରୋଧ କରିଛନ୍ତି । ଦେଶରେ ମୁସଲିମମାନଙ୍କ ସ୍ବାର୍ଥକୁ ଅଧିକ ସୁରକ୍ଷିତ କରିବା ପାଇଁ ପ୍ରସ୍ତାବିତ ଆଇନରେ ପରିବର୍ତ୍ତନ ହେଉ ବୋଲି ବିଭିନ୍ନ ରାଜନୈତିକ ଦଳ ଚାହୁଁଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଅଡିଲେ ବିରୋଧୀ: ଯୁଗ୍ମ ସଂସଦୀୟ କମିଟିକୁ କଲା ଓ୍ବାକଫ ସଂଶୋଧନ ବିଲ୍
ବିଲରେ କଣ ରହିଛି:
ୱାକଫ ସଂଶୋଧନ ବିଲରେ କେନ୍ଦ୍ର ସରକାର 44ଟି ପରିବର୍ତ୍ତନ କରିଛନ୍ତି । ଏଥିରେ ୱାକଫ ବୋର୍ଡରେ ମୁସଲିମ ମହିଳା ଓ ଅଣ ମୁସଲିମ ସଦସ୍ୟ ବାଧ୍ୟତାମୂଳକ ବ୍ୟବସ୍ଥା ରହିଛି । କେନ୍ଦ୍ର ଓ ରାଜ୍ୟ ୱାକଫ ବୋର୍ଡରେ ସ୍ବଚ୍ଛତା ଆଣିବା ସରକାର ୱାକଫ ସଂଶୋଧିତ ବିଲ ଆଣିଥିବା ଦାବି କରୁଛନ୍ତି । 1995 ଓ 2023ର ୱାକଫ ନିୟମରେ ସଂଶୋଧନ କରିବା ପାଇଁ ଏହି ବିଲରେ ବ୍ୟବସ୍ଥା ହୋଇଛି । ଏହି ବିଲରେ 1995ର ୱାକଫ ଆକ୍ଟର ନାମକୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ ରଖାଯିବ । ବିଲରେ ଦର୍ଶାଯାଇଛି ଯେ 1995 ଓ 2013ର ଆଇନ ସତ୍ତ୍ବେ ରାଜ୍ୟ ୱାକଫ ବୋର୍ଡର କାର୍ଯ୍ୟରେ କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ନାହିଁ । ୱାକଫ ସମ୍ପତ୍ତି ପରିଚାଳନାରେ ସ୍ବଚ୍ଛତାର ଅଭାବ ରହିଛି । ତେଣୁ ସଂଶୋଧନ ମାଧ୍ୟମରେ ଏସବୁର ସୁଧାର ଆଣିବାକୁ କେନ୍ଦ୍ର ସରକାର ଏହି ବିଲ ଆଣିଥିବା କୁହାଯାଇଛି ।
ପୂର୍ବରୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି:
ମୋଦି ସରକାରଙ୍କ ୱାକଫ ସଂଶୋଧନ ବିଲକୁ ପୂର୍ବରୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି । ପୂର୍ବରୁ ସମାଜବାଦୀ ପାର୍ଟିର ସୁପ୍ରିମୋ ତଥା ସାଂସଦ ଅଖିଳେଶ ଯାଦବ କହିଥିଲେ, ଏହା ଅଧିନିୟମ ସୁଚିନ୍ତିତ ରାଜନୈତିକ ଅଭିସନ୍ଧି ରଖି ପ୍ରସ୍ତୁତ କରାଯାଇଛି । ବୋର୍ଡରେ ନିର୍ବାଚନ ପ୍ରକ୍ରିୟା ରହିଛି । ତଥାପି ସଦସ୍ୟ ମନୋତିତ କରିବାର କଣ ଆବଶ୍ୟକତା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର