ଭୁବନେଶ୍ବର: ଖୁସି ଖବର ଦେଲା ସିଂହୀ ରେୱା । ତୃତୀୟ ଥର ପାଇଁ ସିଂହୀ ରେୱା ମା’ ହେବା ସହ 3ଟି ଶାବକକୁ ଜନ୍ମ ଦେଇଛି । ପ୍ରଥମ ଶାବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଟି ଶାବକ ICUରେ ଭର୍ତ୍ତି ହୋଇଛନ୍ତି । ୨ ଜୀବିତ ଶାବକଙ୍କ ମଧ୍ୟରୁ ଗୋଟିଏ ମାଈ, ଅନ୍ୟଟି ଅଣ୍ଡିରା । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।
ସିଂହୀ ରେୱାର ତୃତୀୟ ଗର୍ଭଧାରଣ:
ସିଂହୀ ରେୱା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ତୃତୀୟ ଥର ପାଇଁ ୩ଟି ଶାବକକୁ ଜନ୍ମ ଦେଇଛି । ଗତକାଲି(ଶନିବାର) ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ରେୱା ତିନି ଛୁଆ ଜନ୍ମ ଦେଇଛି । ପ୍ରଥମ ଛୁଆଟି ସକାଳ ୯ ଟା ୩୩ ମିନିଟରେ ଜନ୍ମ ହୋଇଥିବା ବେଳେ ପ୍ରାଣ ହରାଇଥିଲା । ତେବେ ଦ୍ୱିତୀୟ ଶାବକଟି ୩ ଟା ୫୮ ମିନିଟରେ ଏବଂ ତୃତୀୟ ଶାବକଟି ୫ଟା ୫୬ ମିନିଟରେ ଜନ୍ମ ହୋଇଥିଲା । ଉଭୟ ଛୁଆଙ୍କୁ ରେୱା ଆପଣାଇଲା ନାହିଁ । ତେବେ ଦୁଇ ଶାବକଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଯେଉଁଠାରେ ସେମାନଙ୍କୁ ବର୍ତ୍ତମାନ ତୀକ୍ଷ୍ଣ ନଜର ରଖାଯାଇଛି ।

ଇନ୍ଦୋରରୁ ଆସିଥିଲା ସିଂହୀ ରେୱା:
୭ ବର୍ଷ ବୟସରେ ରେୱାଙ୍କୁ ୨୦ ଡିସେମ୍ବର ୨୦୨୦ରେ ମଧ୍ୟପ୍ରଦେଶର ଇନ୍ଦୋରର କମଲା ନେହେରୁ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ସିମ୍ବା, କେଶରୀ, ଶିବମ୍, ଏବଂ ମାୟା ଜୀବନ୍ତ ଏବଂ ନନ୍ଦନକାନନରେ ପାଳିତ ହେଉଛନ୍ତି ।
ସିଂହ ‘ଜିତ ଓ ସିଂହୀ ‘ରେୱା’ଙ୍କ ମିଳନରୁ ୩ଟି ଶାବକ:
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ କୁହାଯାଇଛି ଯେ, ସିଂହ ‘ଜିତ ଓ ସିଂହୀ ‘ରେୱା’ଙ୍କ ମିଳନରୁ ଗତକାଲି(ଶନିବାର) ୩ଟି ଶାବକ ଜନ୍ମ ନେଇଥିଲେ । ତିନି ଶାବକଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ହୋଇଥିବା ବେଳେ ଅନ୍ୟ ଦୁଇଟି ମାଈ ଅଟନ୍ତି । ଜନ୍ମିତ ଶାଵକ ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଶାବକକୁ ଯତ୍ନ ମା’ ରେୱା ନେଇ ନଥିଲା । ଯାହା ଫଳରେ ମା' ଠାରୁ ଛୁଆ ଦୁଇଟିକୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ହସ୍ତପାଳିତ କେନ୍ଦ୍ରକୁ ଅଣାଯାଇଛି । ଏମାନଙ୍କର ଗତିବିଧି ଉପରେ ନଜର ରଖିଛି ନନ୍ଦନକାନନ କର୍ତ୍ତୃପକ୍ଷ ।

ପୂର୍ବରୁ ସିଂହୀ ୫ଟି ସନ୍ତାନର ଜନନୀ:
୨୦୨୦ ମସିହା ଡିସେମ୍ବର ୨୦ ତାରିଖ ଦିନ ‘ରେୱା’କୁ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ସେହି ସମୟରେ ରେୱାକୁ ୭ ବର୍ଷ ବୟସ ହେଉଥିଲା । ରେୱା ପ୍ରଥମ ଥର ମା’ ହୋଇନାହିଁ । ପୂର୍ବରୁ ମଧ୍ୟ ଏହି ସିଂହୀ ୫ଟି ସନ୍ତାନର ଜନନୀ ହୋଇସାରିଛି । ଏମାନଙ୍କ ମଧ୍ୟରୁ ସିମ୍ବା, କେଶରୀ, ଶିଭମ୍ ଓ ମାୟା ଜୀବିତ ଅଛନ୍ତି । ନନ୍ଦନକାନନରେ ଏବେ ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର