ଭୁବନେଶ୍ବର: ଆସନ୍ତାକାଲି (ଜାନୁଆରୀ 23) ଠାରୁ ମାର୍ଚ୍ଚ 5 ପର୍ଯ୍ୟନ୍ତ ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ । ନେତାଜୀ ଜୟନ୍ତୀରୁ ବିଜୁ ଜୟନ୍ତୀ ଯାଏଁ ପରିବାର ସମ୍ପର୍କ କାର୍ଯ୍ୟକ୍ରମ କରିବ ବିଜେଡି । ଘରେ ଘରେ ପହଞ୍ଚିବା, ଲିଫ୍ଲେଟ ମାଧ୍ୟମରେ କ୍ୟାମ୍ପେନ, ନବୀନ ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ ଖସଡ଼ା ପ୍ରସ୍ତୁତ କରିଛି ଦଳ । ସ୍ଥାନୀୟ ନେତୃତ୍ବ ଏହାକୁ ଅନୁପାଳନ କରିବାକୁ ଥିବାବେଳେ ତଦାରଖ କରିବେ ଜିଲ୍ଲା ପର୍ଯ୍ୟବେକ୍ଷକ । ଏନେଇ ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ।
ଦେବୀ ମିଶ୍ର କହିଛନ୍ତି, "ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ପରି ଗତବର୍ଷ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ହୋଇଥିଲା । ଜନ ସମ୍ପର୍କ ପଦଯାତ୍ରା ପରେ ପ୍ରତି ନିର୍ବାଚନ ମଣ୍ଡଳୀର 200 ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା । ଏନେଇ ଦଳୀୟ କାର୍ଯ୍ୟାଳୟରେ ନିଷ୍ପତ୍ତି ନିଆଯାଇଥିଲା । ବିଭିନ୍ନ ପ୍ରସଙ୍ଗ ଯେପରିକି ସାମାଜିକ ପ୍ରତିବଦ୍ଧତା, ରାଜନୈତିକ ଓ ଅର୍ଥନୈତିକ ପ୍ରସ୍ତାବ ଉପରେ ତାଲିମ ଦିଆଯାଇଥିଲା । ସବୁ ନିର୍ବାଚନ ମଣ୍ଡଳୀର କର୍ମୀ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । 32 ହଜାରରୁ ଅଧିକ କର୍ମୀ ଏଥିରେ ସାମିଲ ହୋଇ ତାଲିମ ନେଇଛନ୍ତି । ସେହିପରି ଜୋନସ୍ତରରେ 4 ଲକ୍ଷ କର୍ମୀଙ୍କୁ ତାଲିମ ଦିଆଯାଇଛି । ଡ଼ିସେମ୍ବର 25 ସୁଦ୍ଧା ଜୋନ ସ୍ତରୀୟ ଟ୍ରେନିଂ ସମ୍ପୂର୍ଣ୍ଣ ହୋଇଛି । ଡ଼ିସେମ୍ବର 26ରେ ବିଜେଡି ପ୍ରତିଷ୍ଠା ଦିବସ ପାଳିଲା ।"