ଭୁବନେଶ୍ବର:ଦୁଇ ଦିନିଆ ଓଡି଼ଶା ଗସ୍ତରେ ଆସି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ବିଜେପି ସରକାରରେ ଆସିଲେ 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା' ହେବ ବୋଲି କହିଛନ୍ତି । ତେବେ ଏହି ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି, "ନବୀନ ଗ୍ୟାରେଣ୍ଟିରେ ବିଜେପିକୁ ଲାଗିଛି ବିଜୁଳି ଝଟକା । ତେଣୁ ନିର୍ବାଚନବେଳେ ପ୍ରଧାନମନ୍ତ୍ରୀ ଜୁମଲା କହୁଛନ୍ତି । ନବୀନ ଗ୍ୟାରେଣ୍ଟିରେ ମାଗଣା ବିଦ୍ୟୁତ ଦେବା ବିଜେପିକୁ ଜୋରରେ ସକ୍ ଦେଇଛି । ତେଣୁ ଓଡ଼ିଶାର ଜନସାଧାରଣଙ୍କୁ ଭ୍ରମିତ କରିବାକୁ ସେମାନେ ଚିନ୍ତିତ ଓ ବିବ୍ରତ ହୋଇପଡିଛନ୍ତି ।
"ମୁଖ୍ୟମନ୍ତ୍ରୀ ନବୀନ ଗ୍ୟାରେଣ୍ଟିରେ 100 ୟୁନିଟ ମାଗଣା ବିଦ୍ୟୁତ ରାଜ୍ୟବାସୀଙ୍କୁ ଦିଆଯିବ । ଏଥିରେ 90 ପ୍ରତିଶତ ଓଡ଼ିଶାର ଜନସାଧାରଣ ଉପକୃତ ହେବେ । ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟରେ କହିଛନ୍ତି ଯେ, ଓଡ଼ିଶାରେ ବିଜୁଳି ଜିରୋ ହୋଇଯିବ । ବାସ୍ତବରେ ଓଡ଼ିଶାବାସୀ ଏହା ଜାଣିବା ଦରକାର । କେଉଁଠି ବିଜୁଳି ଜିରୋ ହେବାର ନାହିଁ । ବିଜୁ ଜନତା ଦଳ ଏହାର ବାସ୍ତବତା ଜଣାଇବ । ପ୍ରଧାନମନ୍ତ୍ରୀ ଆଜି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବାବଦରେ କହିଛନ୍ତି । ଏହି ଯୋଜନାରେ ମାଗଣା ବିଜୁଳି ମିଳିବ ନାହିଁ । ଭାରତବର୍ଷର ୧ କୋଟି ଘରକୁ ଏହି ସୁବିଧା ମିଳିବ । ଅର୍ଥାତ 90% ଭାରତବର୍ଷ ଏହି ଯୋଜନାର ଲାଭ ପାଇବ ନାହିଁ । ସେହିପରି 90% ଓଡ଼ିଶା ଏହାର ଲାଭ ପାଇବ ନାହିଁ । ଏହା ହେଉଛି ପ୍ରଥମ ଜୁମଲା । ଏହି ଯୋଜନାରେ ଭେଣ୍ଡର ପ୍ୟାନେଲ ଲଗାଇବେ । ଯାହା ପାଇଁ 40 ହଜାର ଟଙ୍କା ଖର୍ଚ୍ଚ କରିବ ଲୋକେ । ଏହା ଗରିବଙ୍କ ପାଇଁ ନୁହେଁ । ଓଡ଼ିଶାର ଗରିବ, ଆଦିବାସୀ 40 ହଜାର କେମିତି ଦେବେ ? ଏହା କେବଳ ଧନୀ ଲୋକଙ୍କ ପାଇଁ ଯୋଜନା, ଯେଉଁମାନେ ସୋଲାର ପ୍ୟାନେଲ ଲଗେଇବେ । ଏହା କ'ଣ ମାଗଣା ? କାହିଁକି ପ୍ରଧାନମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ?" ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ।