ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ, ୬ ଜଣ ଚିକିତ୍ସିତ ଘଟଣାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ପାଇବାରେ ଉକ୍ତ ପରିବାର ୪ ମାସ ହେଲା ବଞ୍ଚିତ ଥିବା ବିଜେଡି ଅଭିଯୋଗ କରିଛି । ଆମ୍ବ ଟାକୁଆ ଖାଇବା ସ୍ଥାନୀୟ ଲୋକଙ୍କ ନିୟମିତ ଖାଦ୍ୟ ବୋଲି ଉପମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା । ସେପଟ ପୂର୍ବ ବିଜେଡି ସରକାରକୁ ଦୋଷ ଦେଇଛି ବିଜେପି ।
'ଘଟଣାକୁ ଚପାଇବାକୁ ରାଜ୍ୟଠୁ ଜିଲ୍ଲା ପର୍ଯ୍ୟନ୍ତ ଉଦ୍ୟମ'
ପୂର୍ବତନ ଯୋଗାଣ ମନ୍ତ୍ରୀ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମାକହିଛନ୍ତି, "ରାଜ୍ୟରେ ଏକ ଗୁରୁତର ଓ ସମ୍ବେଦନଶୀଳ ଘଟଣା ଘଟିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମଣ୍ଡିପଦା ଗାଁର ଘଟଣା । ଗତ ୨୯ ତାରିଖ ଦିନ ଆମ୍ବ ଟାକୁଆ ଖାଇ ୬ଟି ପରିବାରର ୮ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ଆଉ ୬ ଜଣ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ରାଜ୍ୟ ସରକାରଙ୍କର ଯେତିକି ସମ୍ବେଦନଶୀଳତା ରହିବା କଥା ରହିଲା ନାହିଁ । ଏଭଳି ଏକ ଘଟଣାକୁ ଚପାଇ ଦେବାକୁ ରାଜ୍ୟଠୁ ଜିଲ୍ଲା ପର୍ଯ୍ୟନ୍ତ ଉଦ୍ୟମ ହୋଇଛି । ବିଜେଡି ଏହାକୁ ତୀବ୍ର ନିନ୍ଦା କରୁଛି ।"
ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା:
ସଞ୍ଜୟ ଆହୁରି ମଧ୍ୟ କହିଛନ୍ତି, "ଉପମୁଖ୍ୟମନ୍ତ୍ରୀ ଘଟଣାକୁ ହାଲକା ଭାବେ ନେଇଛନ୍ତି । ଆମ୍ବ ଟାକୁଆ ସେ ଅଞ୍ଚଳର ଜନସାଧାରଣଙ୍କର ନିୟମିତ ଖାଦ୍ୟ ବୋଲି ଦେଇଥିବା ବିବୃତ୍ତି ଦୁର୍ଭାଗ୍ୟଜନକ । ଏହାକୁ କଡା ଭାଷାରେ ନିନ୍ଦା କଲେ କମ ହେବ । ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଛି । ଖାଦ୍ୟ ଅଭାବରୁ ଅନାହାରରେ ମୃତ୍ୟୁ ରୋକିବା ଏହାର ଲକ୍ଷ୍ୟ ଥିଲା । ଏହି ଯୋଜନା ରାଜ୍ୟରେ ଲାଗୁ କରିବା ସମୟରେ ଆହୁରି ଅନେକ ଲୋକ ଏଥିରୁ ବଞ୍ଚିତ ହେଉଥିବା ନଜରକୁ ଆସିଲା । ତେଣୁ ଓଡିଶା ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କଲେ । ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି ।"
ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇବାରୁ ବଞ୍ଚିତ :
ନୂତନ ସରକାର ନିଜକୁ ଡବଲ ଇଞ୍ଜିନର ସରକାର କହୁଛନ୍ତି । କେବଳ ପ୍ରଚାର ଏବଂ ପ୍ରସାର ଭିତରେ ଏ ସରକାର ରହିଛି । ୮ଟି ଆଦିବାସୀ ପରିବାରର ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଜୀବନ ସହିତ ସଂଗ୍ରାମ କରିବା ରାଜ୍ୟର ବିପର୍ଯ୍ୟସ୍ତ ବଣ୍ଟନ ବ୍ୟବସ୍ଥାର ଆଖି ଖୋଲି ଯାଇଛି । ଉକ୍ତ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ସ୍ଥାନୀୟ ଜିଲ୍ଲା ପ୍ରଶାସନ କହିଛି । କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ପାଇବାରେ ଉକ୍ତ ପରିବାର ୪ ମାସ ହେଲା ବଞ୍ଚିତ ହୋଇଛନ୍ତି । ତଦନ୍ତ ପରେ ପଦକ୍ଷେପ ନେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ରାଜ୍ୟର ବଣ୍ଟନ ବ୍ୟବସ୍ଥାର ପୋଲ ଖୋଲି ଯାଇଛି ।"
ନୂତନ ସରକାରଙ୍କ ଲାଗି ଲଜ୍ଜା ନୁହେଁ ଆହ୍ୱାନ:
ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଏଭଳି ଘଟଣା ପୁନରାବୃତ୍ତି ନହେଉ । ଏହା ରାଜ୍ୟ ଲାଗି ଲଜ୍ଜା । ନୂତନ ସରକାରଙ୍କ ଲାଗି ଏହା କେବଳ ଲଜ୍ଜା, ନୁହେଁ ଆହ୍ୱାନ । ନୂତନ ସରକାର ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରନ୍ତୁ । ପ୍ରଚାରରେ ନମାତି ଖାଦ୍ୟ ସୁରକ୍ଷା ଯୋଜନାକୁ ଲୋକଙ୍କ ପାଖକୁ ନେବା ଉପରେ ଗୁରୁତ୍ୱ ଦିଅନ୍ତୁ । କନ୍ଧମାଳର ଏହି ଘଟଣା, ଅପପୃଷ୍ଟି ଘଟଣା ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ କେଉଁ ଘଟଣା ଘଟିଲେ ଅପପୃଷ୍ଟି ବୋଲି ସରକାର ମାନିବେ ? ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଖାଦ୍ୟ ସୁରକ୍ଷା ଯୋଜନା ଯେପରି ସଠିକ ଦିଗରେ ଯିବ, ସେ ବାବଦରେ ସରକାର ଅଙ୍ଗୀକାରବଦ୍ଧତା ଦେଖନ୍ତୁ ।"
ବିଷାକ୍ତ ଖାଦ୍ୟ ଖାଇବା ପରେ ଏଭଳି ହୋଇଛି:
କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀକୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, "ମୁଁ କନ୍ଧମାଳ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛି । କନ୍ଧମାଳ ଜିଲ୍ଲାପାଳ ମୋତେ ରିପୋର୍ଟ ମଧ୍ୟ ଦେଇଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ୟ । ସେ ଖାଦ୍ୟ ସେମାନେ ସଦାବେଳେ ଖାଆନ୍ତି । ୩ରୁ ୪ ଦିନର ବାସି ଖାଦ୍ୟ ଖାଇଛନ୍ତି । ଯାହାଫଳରେ ଏହା ବିଷାକ୍ତ ହୋଇଯାଇଛି । ବିଷାକ୍ତ ଖାଦ୍ୟ ଖାଇବା ପରେ ଏଭଳି ଅସୁବିଧା ହୋଇଛି । ଡ଼ାକ୍ତରୀ ଟିମ ଯାଇ ଦେଖିଛନ୍ତି । ପରୀକ୍ଷା ମଧ୍ୟ କରିଛନ୍ତି । ଡାକ୍ତରଙ୍କ ରିପୋର୍ଟ ମଧ୍ୟ ସମାନ ରହିଛି ।"