ଭୁବନେଶ୍ବର:ବିଜୁ ଜନତା ଦଳ ପକ୍ଷରୁ ଆଜି ବିଧାନସଭା ପାଇଁ ଷଷ୍ଠ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ ଜଣିଆ ତାଲିକା ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ସହ ସେ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି । ଏହି ଛୋଟ ତାଲିକାରେ ବହୁ ରୋଚକ ଚିତ୍ର ଦେଖିବାକୁ ମିଳିଛି । ବିଜେଡିରେ ସନାତନ ମହାକୁଡ଼ଙ୍କ କମବ୍ୟାକ ହୋଇଛି । ନିକଟରେ ଦଳରେ ସାମିଲ ହୋଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡି ଟିକେଟ ଦେଇଛି ।
ବିଜେଡି ସଭାପତି ଘୋଷଣା କରିଥିବା ପ୍ରାର୍ଥୀ ତାଲିକା ଅନୁସାରେ ଚିଲିକାରୁ ମୈଦାନକୁ ଓହ୍ଲାଇବେ ରଘୁନାଥ ସାହୁ । ରଘୁନାଥ ସାହୁ ହେଉଛନ୍ତି ପୂର୍ବତନ ବିଧାୟକ । ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଚିଲିକାରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ପ୍ରଶାନ୍ତ ଜଗଦେବ । ଜଗଦେବ ଏବେ ବିଜେପିରେ ଥିବାରୁ ତାଙ୍କୁ ଟକର ଦେବାକୁ ବିଜେଡି ରଘୁନାଥଙ୍କୁ ପ୍ରାର୍ଥୀ କରିଛି । ଆନନ୍ଦପୁରରେ ଅଭିମନ୍ୟୁ ସେଠୀଙ୍କୁ ଭରସା କରିଛି । ବିଧାୟକ ଭାଗିରଥୀ ସେଠୀଙ୍କ ଟିକେଟ ଦଳ କାଟି ଦେଇଛି । ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲେ । ଦଳ ସାରସକଣା ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଦେବାଶିଷ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ । ସେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଠାରୁ ହରିଥିଲେ ।
କରଞ୍ଜିଆରେ ଦଳ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ରିପିଟ କରିଛି । ବିଭିନ୍ନ ସମିକରଣ ଦୃଷ୍ଟିରୁ ଦଳ ଏହି ଆସନ ପାଇଁ ଟିକେଟ ଘୋଷଣା ନକରି ହୋଲଡ଼ କରିଥିଲା । ଷଷ୍ଠ ପର୍ଯ୍ୟାୟରେ ଏହା କ୍ଲିୟର ହୋଇଛି । ଦଳ ବାଲେଶ୍ଵର ଜିଲ୍ଲା ରେମୁଣା ଆସନରେ ନୂଆ ଚେହେରାକୁ ଭରସା କରିଛି । ବିଜେଡି ବିଦୁସ୍ମିତା ମହାଳିକଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ବିଦୁସ୍ମିତା ଜଣେ ବିଜେଡି ସମର୍ଥିତ ସରପଞ୍ଚ । ପୂର୍ବରୁ ତାଙ୍କ ସ୍ୱାମୀ ମଧ୍ୟ ସରପଞ୍ଚ ଥିଲେ । ସିମୁଳିଆରେ ବିଜେଡି ପରିବାରବାଦକୁ ବଡ଼ ପ୍ରହାର କରିଛି । ଦୀର୍ଘ ଦିନ ହେଲା ଏଠାରେ ପାଣିଗ୍ରାହୀ ପରିବାରରୁ ବାହାରି ଦଳ ନୂଆ ପ୍ରାର୍ଥୀ ଦେଇଛି । ଦଳ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଟିକେଟ କାଟି ଦେଇଛି । ଏଠାରେ ଦଳ ସୁଭାସିନୀ ସାହୁଙ୍କୁ ଟିକେଟ ଦେଇଛି ।
ବିଜେଡି ବଡ଼ଚଣା ଆସନରେ ବଡ଼ ଏକ୍ସପେରିମେଣ୍ଟ କରିଛି । ବିଧାୟକ ଅମର ଶତପଥୀଙ୍କ ଟିକେଟ ଦଳ କାଟିଛି । ଟିକେଟ ପାଇଁ ଅମରଙ୍କ ସବୁ ଚେଷ୍ଟା ଫେଲ୍ ମାରିଛି । ତାଙ୍କ ପୁଅ କିମ୍ବା ପରିବାରରୁ ଟିକେଟ ନଦେଇ ନୂଆ ଚେହେରାଙ୍କୁ ଦଳ ଭରସା କରିଛି । ସେ ନୂଆ ଚେହେରା ହେଉଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । କିଛି ଦିନ ତଳେ ବିଜେଡିରେ ମିଶି ଥିବା ବର୍ଷାଙ୍କୁ ବଡ଼ଚଣାରେ ଓହ୍ଲେଇଛି । ସେହିପରି କେନ୍ଦ୍ରାପଡାରେ ପୂର୍ବତନ ମନ୍ତ୍ରୀ ତଥା ଭେଟରାନ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ନିରାଶ ହେବାକୁ ପଡିଛି । ଦଳ କେନ୍ଦ୍ରାପଡାରେ ଆଉ ଜଣେ ଭେଟରାନ ଗଣେଶ୍ୱର ବେହେରାଙ୍କୁ ଭରସା କରିଛି । ଗଣେଶ୍ୱର କଂଗ୍ରେସ ଛାଡି ନିକଟରେ ବିଜେଡିରେ ଯୋଗ ଦେଇଛନ୍ତି ।
ତେବେ ଏହି ତାଲିକାରେ ହାଇପଏଣ୍ଟ ହେଉଛନ୍ତି ଚମ୍ପୁଆରେ ସନାତନ ମହାକୁଡ଼ । ୨୦୧୯ ନିର୍ବାଚନ ପୂର୍ବରୁ ଦଳ ଗଠନ, ଦଳ ଭାଙ୍ଗିବା, ବିଜେଡିରେ ବଲୟ ହେବା ନେଇ ଚର୍ଚ୍ଚାରେ ଥିଲେ । ନିର୍ବାଚନ ନଲଢି ସମର୍ଥନଙ୍କୁ ବିଜେଡିରୁ ପ୍ରାର୍ଥୀ କରାଇଥିଲେ । ଏଥର ସନାତନଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଟିକେଟ ଦେଇନଥିଲା । ସନାତନଙ୍କୁ ନେଇ ସସ୍ପେନସ ଥିଲା । ସେ ଉଭୟ ବିଜେଡି ଓ ବିଜେପି ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଥିଲା । ସନାତନ ବିଜେପିରେ ସାମିଲ ହୋଇଥିଲେ ବିଜେଡି ପାଇଁ ଅନେକ ପକ୍ଷରୁ ସମସ୍ୟା ହୋଇଥାନ୍ତି । କେନ୍ଦୁଝର ଓ ମୟୁରଭଞ୍ଜର କିଛି ଆସନରେ ସନାତନଙ୍କ ସିଧାସଳଖ ପ୍ରଭାବ ରହିଛି । ତେଣୁ ସନାତନଙ୍କୁ ବିଜେଡି ସନ୍ତୁଷ୍ଟ କରି ପ୍ରାର୍ଥୀ କରିଥିବା ଜଣାପଡୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବ ଥର ପରି ଆଜି ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀ ଘୋଷଣା କରିଛନ୍ତି ।