ବୌଦ୍ଧ: ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ମାନେ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବଉଦ ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ସମସ୍ତ ଶିବିରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ଶୋଭାଯାତ୍ରା ସହିତ ଶକ୍ତି ପ୍ରଦର୍ଶନ କରାଯାଇଛି । କଣ୍ଟାମାଳ ବିଜେଡି ବିଧାୟକ ପ୍ରାର୍ଥୀ ମହୀଧର ରଣା ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସାହାଜପାଲ ଠାରୁ ନେଇ ଖୁଣ୍ଟିଗୋରା ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲିରେ ଯୋଗ ଦେଇଥିଲେ । ଏହି ରାଲିରେ ହଜାର ହଜାର ବିଜେଡି ନେତା ଓ କର୍ମୀ ଯୋଗଦାନ କରିଥିଲେ ।
କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, ଆଜିର ଏହି ବିଶାଳ ରାଲିକୁ କଣ୍ଟାମାଳ ବିଧାୟକ ପ୍ରାର୍ଥୀ ଆୟୋଜନ କରିଛନ୍ତି । ହଜାର ହଜାର ସଁଖ୍ୟାରେ ବିଜୁ ପ୍ରେମୀ ମାନେ ଯୋଗ ଦେଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ବିଜେଡି ନିଶ୍ଚିତ ଭାବେ ବିଜୟୀ ହେବ । ସେହିପରି କଣ୍ଟାମାଳ ବିଧାୟକ ଏଥର ଜିଲ୍ଲାରେ ତଥା ରାଜ୍ୟରେ ବିଜେଡିର ଏକ ତରଫା ବିଜୟ ହାସଲ କରିବ ବୋଲି କହିଛନ୍ତି । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଅସନ୍ତୁଷ୍ଟ ନେତା କର୍ମୀଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ସିଧାସଳଖ ଶାସକ ବିଜେଡ଼ି ଦଳର ଦୁଇ ଦୁଇ ଥରରେ ବିଧାୟକ ମହୀଧର ରଣା ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭେଟେରାନ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗଙ୍କ ମଧ୍ୟରେ ସିଧାସଳଖ କଡ୍ଡା ଟକ୍କର ହେବ ବୋଲି ଆଶା ପ୍ରକାଶ ପାଇଛି ।