ଭୁବନେଶ୍ବର: ରାଜ୍ୟ ବିଜେପି ନେତାଙ୍କର ମୁଣ୍ଡ କାମ କରୁନଥିବା କହି କଟାକ୍ଷ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ୨୦୧୯ ପରି ୨୦୨୪ରେ ଶୋଚନୀୟ ଭାବେ ହାରିବାକୁ ଯାଉଥିବା ଜାଣି ବିଜେପିର ଏଭଳି ଅବସ୍ଥା ବୋଲି ସେ କହିଛନ୍ତି । ତେଣୁ ବାଚଳାମି କରୁଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ତେଣୁ ବିଜେପିର ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରିରୁ ଯାହା ଲେଖା ଆସୁଛି, ସମୀର ଗଣମାଧ୍ୟମ ଆଗରେ ପଢି ଦେଉଛନ୍ତି ବୋଲି ସୁଲତା କହିଛନ୍ତି ।
ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଆଜି କଡ଼ା କାଉଣ୍ଟର କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ସୁଲତା କହିଛନ୍ତି, "ଆସନ୍ତା ନିର୍ବାଚନରେ ସେମାନେ ହାରିବାକୁ ଯାଉଛନ୍ତି ବୋଲି ଓଡ଼ିଶା ବିଜେପି ନେତା ଜାଣିଗଲେଣି । ୨୦୧୯ ଭଳି ୨୦୨୪ରେ ବି ଶୋଚନୀୟ ଭାବେ ହାରିବାକୁ ଯାଉଛନ୍ତି । ତେଣୁ ଓଡିଶା ବିଜେପିର ନେତା ମାନଙ୍କର ମୁଣ୍ଡ ଆଉ କାମ କରୁନାହିଁ । ଔଷଧ ବିକଳରେ ତାଟିଆ କାମୁଡ଼ିବା ଅବସ୍ଥା ତାଙ୍କର ହେଲାଣି । ଆମେ ସମସ୍ତେ ଜାଣିଛେ ବିଜେପିର ଫେକ୍ ନ୍ୟୁଜ୍ ଫ୍ୟାକ୍ଟ୍ରି ଅଛି । ସେହି ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରିରୁ ଯେତେବେଳେ ଯାହା ଲେଖା ଆସେ, ବିଜେପି ନେତା ସେଇଟା ଗଣମାଧ୍ୟମ ଆଗରେ ପଢି ଦିଅନ୍ତି । ସେ କଥାରେ କୌଣସି ସତ୍ୟାସତ୍ୟ ନଥାଏ । ଭିତ୍ତିହୀନ ଓ କପୋଳକଳ୍ପିତ କଥା ସବୁ ପଢିଥା'ନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି, "ସମୀର ମହାନ୍ତି ଯେତେବେଳେ ରାଜ୍ୟ ବିଜେପି ସଭାପତି ଥିଲେ, ସେତେବେଳେ ପଞ୍ଚାୟତ ଓ ପୌର ନିର୍ବାଚନରେ ସେମାନଙ୍କର ଶୋଚନୀୟ ପରାଜୟ ହୋଇଥିଲା । ସେହି ପରାଜୟ ପାଇଁ ତାଙ୍କୁ ନିନ୍ଦିତ ଓ ଲାଞ୍ଛିତ ହେବାକୁ ପଡିଥିଲା । ଅପମାନିତ କରି ତାଙ୍କୁ ଦଳ ସଭାପତି ପଦରୁ ବିତାଡିତ କରିଥିଲା । ତେଣୁ ସେବେଠାରୁ ତାଙ୍କର ମୁଣ୍ଡ କାମ କରୁନାହିଁ । ଏ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମୁଣ୍ଡ ଠିକ ହୋଇନାହିଁ । ତେଣୁ ତାଙ୍କର ବାଚଳାମୀ ଅଛି । ଯେତେବେଳେ ଯିଏ ଯାହା ଲେଖି ଦେଲା ପୋଷା ଶୁଆର ଘୋଷା କଥା ପରି ପଢି ଦେଇଗଲେ ।"