ଭୁବନେଶ୍ବର:ଆଜି ଦିନ ତମାମ ନବୀନ ନିବାସରେ ଲାଗି ରହିଛି ନେତାଙ୍କ ଭିଡ଼ । ଟିକେଟ ପାଇବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସରେ ଭିଡ଼ ଲଗେଇଛନ୍ତି ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି ଟିକେଟ ପାଇଥିବା ନେତା । ସେହିପରି ଆସନ୍ତା ନିର୍ବାଚନରେ ମଇଦାନକୁ ଓହ୍ଲାଇବା ପୂର୍ବରୁ ନେତାଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ନବୀନ । ସେପଟେ ଟିକେଟ କଟିବା ସମ୍ଭାବନା ଥିବା ଟିକେଟ ହୋଲଡ଼ ହୋଇଥିବା ନେତା ମଧ୍ୟ ହାଜର ହୋଇଛନ୍ତି ।
ଗତକାଲି ପ୍ରଥମ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ୭୨ ଜଣ ବିଧାୟକ ଏବଂ ୧୫ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଟିକେଟ ପାଇଥିବା ନେତା । ପୁଣି ଥରେ ଅସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେତା । ସେହିପରି ନୂଆ କରି ଟିକେଟ ପାଇଥିବା ନେତା ନବୀନଙ୍କ ଆଶୀର୍ବାଦ ନେଇଛନ୍ତି । ଏହା ଅନୁଷ୍ଠିତ ହୋଇଛି ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସମନ୍ବିତ ବୈଠକ । ବୈଠକରେ ନିର୍ବାଚନ ରଣନୀତି, କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବେ, ବିରୋଧୀଙ୍କ ଅପପ୍ରଚାରକୁ କେମିତି ରୋକିବେ ଏ ନେଇ ଆଲୋଚନା ହୋଇଛି ।
ରାଜ୍ୟ ସରକାରଙ୍କ ବିକାଶର ମୁଦ୍ଦା, ଲୋକଙ୍କ ଲାଗି ରାଜ୍ୟ ସରକାର କରିଥିବା ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜଣାଇ ଭୋଟ ଭିକ୍ଷା କରିବା ପାଇଁ ପ୍ରାର୍ଥୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଅଞ୍ଚଳର ପ୍ରତିଟି ଲୋକ ପାଖରେ ପହଁଚିବା ପାଇଁ ସେ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଥମଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବାଲେଶ୍ଵର ଜିଲ୍ଲା ବସ୍ତାର ନିର୍ବାଚନ ମଣ୍ଡଳୀର ସୁବାସିନୀ ଜେନା କହିଛନ୍ତି ଯେ, ମୋତେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି । ମୁଖ୍ୟମନ୍ତ୍ରୀ ଓ ବସ୍ତା ବାସୀଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି । ଲୋକଙ୍କ ପାଖକୁ ଯିବା ଓ ଲୋକଙ୍କ ସମସ୍ୟା ସହିତ ଜଡିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ତୁରନ୍ତ ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି ।
ଏହା ବି ପଢନ୍ତୁ- ୨୪ ରଣ ପାଇଁ ବିଜେଡି ଯୋଦ୍ଧା ତୟାର: ସୁପ୍ରିମୋଙ୍କୁ ଦେଲେ ଧନ୍ୟବାଦ, ଝୁମିଲେ ସମର୍ଥକ
ସେହିପରି ବସ୍ତାର ବର୍ତ୍ତମାନର ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଆଶୀର୍ବାଦ ମୋ ପ୍ରତି ରହିଛି । ଗତ ୧୦ ତାଙ୍କ ପାଇଁ କାମ କରି ଆସିଛି । ତାଙ୍କର ପ୍ରଚ୍ଛନ୍ନ ହାତ ମଧ୍ୟ ମୋ ମୁଣ୍ଡ ଉପରେ ଅଛି । ସେହିପରି ଦ୍ବିତୀୟ ବାର କଟକ ଚୌଦ୍ବାରରୁ ଟିକେଟ ପାଇଥିବା ସୌଭିକ ବିଶ୍ବାଳ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ପୁନର୍ବାର ଅସ୍ଥା ପ୍ରକଟ କରିଛନ୍ତି । ଆଜି ଓଡିଶା ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ପାଇଁ ସମ୍ଭବ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମାଟିର ପୁଅ । ତେଣୁ ସଦା ସର୍ବଦା ସାଧାରଣ ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହି ଆସିଛି । ଆଗକୁ ମଧ୍ୟ ରହିବ । କେହି ଦଳ ଛାଡିଲେ ବି ବିଜେଡି ଉପରେ କିଛି ପ୍ରଭାବ ପଡିବ ନାହିଁ । ଚୌଦ୍ବାରରେ ସେମିତି କେହି ରାଜନୈତିକ ବିରୋଧୀ ନାହାନ୍ତି । ବାପା ଡାକ୍ତର ପ୍ରଭାତ ବିଶ୍ବାଳ ଓ ମୁଁ ରହି ଆସିଛୁ ।