ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ଗାଡ଼ି ବୁଲିବାକୁ ନେଇ ତେଜିଛି ରାଜନୀତି । ଘଟଣାକୁ ନେଇ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ସୋସିଆଲ ମିଡିଆ ଏକ୍ସ (X)ରେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦାୟିତ୍ଵ ଅପସାରିତ ଯିବା ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅଧିକ ସକ୍ରିୟ ଜଣାପଡୁଥିବା ସେ କହିଛନ୍ତି । ସେପଟେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ପୁଣିଥରେ ରାଜ୍ୟ ସରକରାଙ୍କୁ ଟାର୍ଗେଟ କରିଛନ୍ତି ତୁଷାରକାନ୍ତି ।
'ଏକ୍ସ'ରେ କ'ଣ ଲେଖିଥିଲେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ:
କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲାଇବାର ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଏନେଇ ସେ ନିଜ ଏକ୍ସ ହ୍ୟାଣ୍ଡେଲ ପୋଷ୍ଟ କରି ଲେଖିଛନ୍ତି, "ନବୀନ ପଟ୍ଟନାୟକଙ୍କ ସମୟରେ ଏହା ଅନ୍ତର୍ଜାତୀୟ ଖେଳାଳିଙ୍କ ଦୌଡ଼ିବା ଟ୍ରାକ୍ ଥିଲା । ହେଲେ ଏବେ ଏହା ଶାସକ ଦଳର ନେତାଙ୍କ ଗାଡ଼ି ବୁଲାଇବା ଟ୍ରାକରେ ପରିଣତ ହୋଇଛି । ଏହା ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଓ ଓଡ଼ିଶା ପାଇଁ ଲଜ୍ଜାଜନକ ।"
ପ୍ରତିକ୍ରିୟା ରଖିଲେ କ୍ରୀଡ଼ାମନ୍ତ୍ରୀ:
ସେପଟେ ତୁଷାରକାନ୍ତି ବେହେରାଙ୍କ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, "ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଜାଣିନାହାନ୍ତି ଯେ, ସେତେବେଳେ ସାଧାରଣ ସ୍ଥିତି ନଥିଲା । ମେଡିକାଲ ଇମର୍ଜେନ୍ସି କିମ୍ବା ଅସ୍ୱାଭାବିକ ସ୍ଥିତି ନ ଆସିଲେ ଏମିତି ହୁଏନାହିଁ । ଶୀର୍ଷ ନେତୃତ୍ଵମାନେ ଆଗରୁ ସେ ଜାଗାକୁ ଗାଡ଼ିରେ ଆସିଛନ୍ତି । ଆମର ସେତିକି ଅସୁବିଧା ନ ଥିଲେ ଆମେ ଗାଡ଼ି ନେଇନଥାନ୍ତୁ । ମୁଁ ଧନ୍ୟବାଦ ଦେବି ପୂର୍ବତନ କ୍ରୀଡାମନ୍ତ୍ରୀଙ୍କୁ ଯେ, ତାଙ୍କ ଦାୟିତ୍ଵ ଅପସରି ଯିବା ପରେ ସେ ଅଧିକ ସକ୍ରିୟ ଜଣାପଡୁଛନ୍ତି । କ'ଣ ଜରୁରୀ ପରିସ୍ଥିତି ଥିଲା, ତାହା ଖେଳାଳି ଓ କର୍ମଚାରୀଙ୍କ ଗୋପନୀୟତା ଦୃଷ୍ଟିରୁ ଏହାକୁ କୁହାଯିବ ନାହିଁ ।"