ପୁରୀ: ଅଦିନିଆ ବର୍ଷା ସବୁ ସାରିଦେଲା... ପାଣିରେ ଲୋଟୁଛି ଧାନ ଫସଲ । କାଟିବୁ କଣ... କେମିତି ଚଳାଇବୁ ପରିବାର.. ସରକାର ସାହାଯ୍ୟ ନ କଲେ ଜୀବନ ହାରିବୁ....ଏ ବ୍ୟଥା ଅନ୍ନଦାତାଙ୍କର । ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହେବା ପରେ ଧର୍ଯ୍ୟ ଧରିପାରୁନି ଚଷା ପୁଅ । ଅଦିନିଆ ବର୍ଷାରେ କୃଷି ବିଭାଗର ଆକଳନ ଅନୁଯାୟୀ, ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ପ୍ରାୟ ୬୦ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କରିବେ କଣ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । ସରକାର ସହାୟତା ନଦେଲେ ଚରମ ନିଷ୍ପତ୍ତି ନେବେ ବୋଲି ସଫା ସଫା ଶୁଣାଇଛନ୍ତି ।
ଦୁଃଖ ଦେଇଗଲା ଅଦିନିଆ ବର୍ଷା:
ଅଦିନିଆ ବର୍ଷାରେ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ ହାନି ହୋଇଛି । ବର୍ଷା ଯୋଗୁ ବିଲରେ ଗଜା ହୋଇଯାଇଛି ଧାନ । ସେହିପରି ଯେଉଁ ଧାନ କଟାଯାଇନି ତାହା ବର୍ଷା ପାଣିରେ ବୁଡି ରହି ଗଜା ହୋଇଯାଇଛି । କେବଳ ଧାନ ଫସଲ ନୁହେଁ ପୁରୀ ଜିଲ୍ଲାରେ ପନିପରିବା, ଚିନାବାଦାମ, ମୁଗ, ବିରି ଆଦି ଫସଲ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ତେବେ ଏହି କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା କୃଷି ବିଭାଗ । ଆକଳନ ଅନୁଯାୟୀ ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ପ୍ରାୟ ୬୦ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ରିପୋର୍ଟରେ ଦର୍ଶାଇଛି ।
ପୁରୀର 2 ବ୍ଲକ କ୍ଷତିପୂରଣରୁ ପଡିଲା ବାଦ୍:
ପୁରୀ ଜିଲ୍ଲା କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ନିୟମ ଅନୁଯାୟୀ ଯେଉଁ ଅଞ୍ଚଳରେ ୩୩ ପ୍ରତିଶତ ଅବା ଏହାଠାରୁ ଅଧିକ ପରିମାଣର ଫସଲ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ପୁରୀ ଜିଲ୍ଲାରେ ମୋଟ ୧୧ଟି ବ୍ଲକରୁ ୯ଟି ବ୍ଲକ ଏହି ମାନଦଣ୍ଡ ପୂରଣ କରୁଛି । ୩୩ ପ୍ରତିଶତରୁ କମ୍ ଫସଲ କ୍ଷୟକ୍ଷତି ହୋଇଥିବାରୁ କାକଟପୁର ଓ ଅସ୍ତରଙ୍ଗ ବ୍ଲକ କ୍ଷତିପୂରଣ ତାଲିକାରୁ ବାଦ୍ ପଡ଼ିଛି ।
ପୁରୀରେ କେତେ ହେକ୍ଟରରେ ହେଉଛି ଚାଷ ?
ପୁରୀ ଜିଲ୍ଲାରେ ୧ ଲକ୍ଷ ୫୦ ହଜାର ୩୦ ହେକ୍ଟର ଜମିରେ ଚାଷବାସ ହେଉଛି । ଯେଉଁଥିରୁ ୧ ଲକ୍ଷ ୩୦ ହଜାର ୫୦ ହେକ୍ଟର ଜମିରେ ଧାନ ଫସଲ ଓ ୧୯ ହଜାର ୯୮୦ ହେକ୍ଟର ଜମିରେ ଚିନାବାଦାମ, ମୁଗ, ବିରି, ପନିପରିବା ଆଦି ଚାଷ ହେଉଛି । ତେବେ ଚଳିତବର୍ଷ ଖରିଫ ଫସଲ ଭଲ ହୋଇଥିଲା । ଧାନ ଅମଳ ବି ଭଲ ହୋଇଥାନ୍ତା । କିନ୍ତୁ ଡ଼ିସେମ୍ବର ମାସ ଶେଷ ଆଡ଼କୁ ଅଦିନିଆ ବର୍ଷା ଚାଷୀଙ୍କ ସ୍ବପ୍ନକୁ ଚୂରମାର କରିଦେଇଛି । ଅମଳ ପୂର୍ବରୁ ଫସଲ ଉଜାଡି ଦେଇ ସର୍ବସ୍ୱାନ୍ତ କରିଦେଇଛି । ଯାହାକୁ ନେଇ ଏବେ ଚାଷୀ କାନ୍ଦୁଥିବା ବେଳେ କିଭଳି କରଜ ସୁଖିବେ ଓ କିଭଳି ବର୍ଷ କର ଆହାର ଯୋଗାଡ କରିବେ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏହି ମହାବିପଦରେ ସରକାରୀ ସହାୟତାକୁ ଚାହିଁ ବସିଛି ଚାଷୀ।
ଚାଷୀଙ୍କ ଚେତାବନୀ, କ୍ଷତିପୂରଣ ନଦେଲେ ଜୀବନ ହାରିବୁ:
ମୋହନ ସରକାରଙ୍କଠୁ ଆମର ଆଶା ଅଛି:
ସେ ଆହୁରି କହିଛନ୍ତି, ‘ଗତକାଲି ମୋ ବିଲକୁ ଦେଖି ମୋ ଦେହ ଅସୁସ୍ଥ ହୋଇ ପଡ଼ିଲା । ପରିବାର ଲୋକେ ମତେ ମେଡିକାଲ ନେଇ ଚିକିତ୍ସା କରାଇ ଘରକୁ ଆଣିଲେ । ଆମ ଚାଷ ସମ୍ପୂର୍ଣ୍ଣ ଡୁବି ଯାଇଛି । ସରକାର ସାହାଯ୍ୟ ନ କଲେ ଆମେ ବୁଡ଼ିଯିବୁ । ନୂଆ ମୋହନ ସରକାରଙ୍କ ଉପରେ ଆମର ବହୁତ୍ ଆଶା ରହିଛି । ସେ ଆମ ଚାଷୀଙ୍କ ପାଇଁ କିଛି ନା କିଛି ବୁଝିବେ । ଯଦି ସରକାର କିଛି ନ ବୁଝନ୍ତି ଚାଷୀଙ୍କ ଜୀବନ ଯିବା ନିଶ୍ଚିତ ।’
ନିମାପଡ଼ା ଅଞ୍ଚଳର ଆଉ ଜଣେ ଚାଷୀ ଜଗବନ୍ଧୁ ବିଶ୍ଵାଳ କହିଛନ୍ତି, ‘ମୁଁ ତିନି ଏକର ବିଲ ଚାଷ କରିଥିଲି । ଋଣ କରି ଫସଲ କରିଥିଲି । ଅଧା ଧାନ ବିଲରେ କଟା ହୋଇ ରହିଥିବା ବେଳେ ଅଧା ଧାନ କଟା ହୋଇନଥିଲା । ଅଦିନିଆ ବର୍ଷା ଯୋଗୁଁ ପାଣିରେ ତାହା ବୁଡି ରହି ନଷ୍ଟ ହୋଇଯାଇଛି । କିଛି ଧାନ ଖଳାକୁ ଆଣି ଅମଳ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଧାନ ଓଦା ହୋଇ ଯାଇଥିବାରୁ ତାହା ମେସିନରେ ଅମଳ ହୋଇ ପାରିଲାନି । ତେବେ ଚାଷୀ ମାନେ ଅଦିନିଆ ବର୍ଷା ପାଇଁ ବହୁତ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଦ୍ଦିନରେ ସରକାର ଚାଷୀଙ୍କୁ କୌଣସି ସାହାଯ୍ୟ ହାତ ନ ବଢାଇଲେ ବାଧ୍ୟ ହୋଇ ଚାଷୀ ହତାଶ ହୋଇ ଆତ୍ମହତ୍ୟା କରିବେ । ଏହା ଛଡା କୌଣସି ଉପାୟ ନାହିଁ ।
ସେ ଆହୁରି କହିଛନ୍ତି, ‘ଆମେ ଏବେ ଋଣ ଶୁଝି ପାରିବୁନି କି ଆମ ପିଲାଙ୍କୁ ଖାଇବାକୁ ଦାନା ବି ଦେଇ ପାରିବୁନି । କ୍ଷତିପୂରଣ କିଛି ଦେଲେ ଆମେ କରିଥିବା ଋଣ ଶୁଝି ପାରିବୁ । ସରକାର ପ୍ରଶାସନିକ ଅଧିକାରୀଙ୍କୁ ପଠାଇ ସର୍ଭେ କରନ୍ତୁ । କ୍ଷୟକ୍ଷତିକୁ ଦେଖି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ । ଆମର ନୂଆ ସରକାର ଉପରେ ସମ୍ପୂର୍ଣ ଭରସା ରହିଛି । ସରକାର ଚାଷୀଙ୍କୁ ନିଶ୍ଚିତ ସାହାଯ୍ୟ କରିବେ।’
ଅଦିନିଆ ବର୍ଷାରେ ପୁରୀରେ ୫୯ ହଜାର ୯୨୩ ହେକ୍ଟର ଫସଲ ନଷ୍ଟ:
ପୁରୀ ଜିଲ୍ଲା କୃଷି ବିଭାଗର ସୂଚନା ଅନୁଯାୟୀ ଗତ ଡ଼ିସେମ୍ବରରେ ଅଦିନିଆ ବର୍ଷା ପାଇଁ ପୁରୀ ଜିଲ୍ଲାର ସର୍ବମୋଟ ୫୯ ହଜାର ୯୨୩ ହେକ୍ଟର ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି । କିନ୍ତୁ ୩୩ ପ୍ରତିଶତ କ୍ଷୟକ୍ଷତି ତାଲିକାରେ ୪୯୧୯୩.୨୬ ହେକ୍ଟର ଚାଷ ଜମି ରହିଛି । ଏହି ଫସଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ । ଏଥିରେ ୨୭୯୩୯.୦୬ ହେକ୍ଟର ଜଳ ସେଚିତ ଓ ୨୨୦୯୯.୩୫ ହେକ୍ଟର ଅଣ ଜଳସେଚିତ ଚାଷ ଜମି ରହିଛି ।
ପୁରୀ ଜିଲ୍ଲାର 11ଟି ବ୍ଲକର ଚାଷୀଙ୍କ ଫସଲହାନି:
ପୁରୀ ଜିଲ୍ଲାର ମୋଟ 11ଟି ବ୍ଲକରୁ ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ୩୩ ପ୍ରତିଶତ ତଳକୁ ଫସଲ କ୍ଷୟକ୍ଷତି ହୋଇଛି । ଏଣୁ ଏହି ଅଞ୍ଚଳର ଚାଷୀ କ୍ଷତିପୂରଣ ପାଇବେ ନାହିଁ । ତେବେ ବ୍ଲକକୁ ଦେଖିଲେ ପୁରୀ ଜିଲ୍ଲାର ନିମାପଡ଼ାରେ ସର୍ବାଧିକ ୧୨ ହଜାର ୬୨୫ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି । ତେବେ ପୁରୀ ଜିଲ୍ଲାର ସବୁ ବ୍ଲକ୍ ଫସଲ କ୍ଷତି ରିପୋର୍ଟ ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ତରଫରୁ ଏହି ରିପୋର୍ଟକୁ ଏସଆରସିଙ୍କୁ ପ୍ରଦାନ ସହ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିବାକୁ ନିବେଦନ କରାଯାଇଛି ।
ଭାଗ ଚାଷୀ କିଛି ପାଇବ ନାହିଁ:
ସେ ଆହୁରି କହିଛନ୍ତି, ‘ଆଜି ପର୍ଯ୍ୟନ୍ତ ଓଡ଼ିଆରେ ଭାଗ ଚାଷୀଙ୍କ ପାଇଁ ଆଇନ ହୋଇପାରିଲା ନାହିଁ । ଫଳରେ ଏବେ କେବଳ ଜମି ମାଲିକ ହିଁ କ୍ଷତି ପୂରଣ ପାଇବେ । ଏଣୁ ଭାଗଚାଷୀ ଟିଏ ଋଣ କରିକି ଚାଷ କରିଛି ସିଏ ସର୍ବସ୍ୱାନ୍ତ ହୋଇଥିବା ବେଳେ ତାକୁ କୌଣସି ସାହାଯ୍ୟ ମିଳିବ ନାହିଁ । ତେବେ ଏହି ସମୟରେ ଫସଲ ବିମା କମ୍ପାନୀ ସରକାରୀ କର୍ମଚାରୀଙ୍କୁ ପ୍ରଲୋଭନ ଦେଖାଇ ଚାଷୀଙ୍କ ଫସଲ କ୍ଷତି କମ ହୋଇଥିବା ରିପୋର୍ଟ କରାଇ ଚାଷୀଙ୍କୁ ବୀମା ଟଙ୍କା ନ ଦେବା ପାଇଁ ଚକ୍ରାନ୍ତ କରିପାରନ୍ତି ।୪୦ ପ୍ରତିଶତରୁ ଅଧିକ ଫସଲ କ୍ଷତି ହେଲେ ଫସଲ ବୀମା ଟଙ୍କା ମିଳିବାର ନିୟମ ରହିଛି ।
ଭାଗ ଚାଷୀଙ୍କ ପାଇଁ ଆଇନ ଆସୁ:
ସେ ଆହୁରି କହିଛନ୍ତି, ବୀମା କମ୍ପାନୀ ମାନେ ତଳ ସ୍ତରର ସରକାରୀ ଅଧିକାରୀଙ୍କୁ ପ୍ରଲୋଭନ ଦେଇ ଚାଷୀଙ୍କ ଫସଲ କ୍ଷତି ୪୦ପ୍ରତିଶତ ତଳକୁ ହୋଇଥିବା ରିପୋର୍ଟ କରିବାର ଆଶଙ୍କା ରହିଛି । ଏହା ଫଳରେ ଚାଷୀଙ୍କୁ ବୀମା କମ୍ପାନୀ କ୍ଷତି ପୂରଣ ରାଶି ଦେବେନି । ଏଣୁ ଏହି ଚଞ୍ଚକତା କାର୍ଯ୍ୟ ଯେଭଳି ନ୍ ହୁଏ ସେ ଦିଗରେ ସରକାର୍ ନଜର ରଖିବା ଉଚିତ୍ । ସରକାର୍ ପ୍ରକୃତ କ୍ଷତିର ଆକଳନ କରନ୍ତୁ । ଗ୍ରାମ ପଞ୍ଚାୟତ ନିକଟରେ ଭାଗ ଚାଷୀଙ୍କ ତଥ୍ୟ ରହିଛି । ପ୍ରକୃତ ଭାଗ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ । ଦରକାର ଭାଗ ଚାଷୀଙ୍କ ସୁରକ୍ଷା ପାଇଁ ତୁରନ୍ତ ଆଇନ କରନ୍ତୁ ।
ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ ଜିଲ୍ଲାରେ ଗତ ଡ଼ିସେମ୍ବରରେ ହୋଇଥିବା ଅଦିନିଆ ବର୍ଷା ଫଳରେ ଫସଲ କ୍ଷତି ହୋଇଛି । ତେବେ ଜିଲ୍ଲାର 11ଟି ବ୍ଲକରୁ ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ 33 ପ୍ରତିଶତରୁ କମ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି ଦୁଇ ବ୍ଲକର ଚାଷୀ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ପାଇବେ ନାହିଁ । ତେବେ ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକରେ ସେ ସର୍ବାଧିକ 16 ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି ।
ସେ ଆହୁରି କହିଛନ୍ତି, ‘କ୍ଷୟକ୍ଷତି ଆକଳନ କରାଯିବା ପରେ ଏହାକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଏହି ରିପୋର୍ଟକୁ ଏସ ଆରସି(SRC)ଙ୍କ ନିକଟକୁ ପଠାଇ ଦେଇଛନ୍ତି । ଜଳ ସେଚିତ ଓ ଅଣ ଜଳ ସେଚିତ ଜମିରେ ଫସଲ କ୍ଷତିକୁ ନେଇ ମୋଟ 65 କୋଟି ଟଙ୍କା ଚାଷୀ ଇନପୁଟ ସବସିଡି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।
ପୁରୀରେ ୧ଲକ୍ଷ ୨୩ ହଜାର ଚାଷୀ ଫସଲ ବୀମା କରିଛନ୍ତି:
ସେ ଆହୁରି କହିଛନ୍ତି, ‘ତେବେ ଫସଲ ବୀମା ପାଇଁ ସ୍ଵତନ୍ତ୍ର ଗାଇଡ ଲାଇନ ରହିଛି । ବିଲରେ ଫସଲ କଟାଯାଇ ଫସଲ ଥିଲେ 14 ଦିନ ଭିତରେ କ୍ଷତି ହେଲେ ଚାଷୀ ବୀମା କମ୍ପାନୀକୁ ଯୋଗାଯୋଗ କରିବେ । କୃଷି ଆପରେ ନିଜ ଫଟୋ ଦେଇ ସମସ୍ତ ତଥ୍ୟ ଦେଇ ଫସଲ କ୍ଷତିର ଅଭିଯୋଗ ଦେଇ ପାରିବେ । ତେବେ ଫସଲ ବୀମା କମ୍ପାନୀ ଏବେ ସର୍ଭେ କରୁଛନ୍ତି। ତେବେ ବ୍ଲକରେ ଥିବା ତହସିଲଦାରଙ୍କ ଦ୍ଵାରା ଥିବା କମିଟି ଏନେଇ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେବେ । ପରେ ଏ ନେଇ ସରକାର ପଦକ୍ଷେପ ନେବେ । ପୁରୀ ଜିଲ୍ଲାରେ ୧ଲକ୍ଷ ୨୩ ହଜାର ଚାଷୀ ଫସଲ ବୀମା କରିଛନ୍ତି । ତେବେ ଯେଉଁ ମାନେ ପନିପରିବା ଚାଷ ତଥା ଅଣ ଧାନ ଫସଲରେ କ୍ଷତି ସହିଛନ୍ତି ସେମାନଙ୍କୁ ସରକାର୍ ଇନପୁଟ ସବସିଡି ପ୍ରଦାନ କରିବେ।
ଇଟିଭି ଭାରତ, ପୁରୀ