ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇ ସାରିଥିଲେ ବି ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଏଥିପାଇଁ ଗାଁ ଗାଁରୁ ଭକ୍ତଙ୍କ ଠାରୁ ସଂଗ୍ରହ ହୋଇଥିବା ଗୁଆ ଓ ଚାଉଳ କୁଆଡ଼େ ଗଲା ବୋଲି ପ୍ରଶ୍ନ କରୁଛନ୍ତି ବିରୋଧୀ । ପ୍ରଭୁ ଜଗନ୍ନାଥଙ୍କ କାମରେ ଲାଗିବା ପାଇଁ ଲୋକେ ଶ୍ରଦ୍ଧାରେ ଚାଉଳ ଦେଇଥିଲେ । କିନ୍ତୁ ସରକାର ତାକୁ ଯେମିତି ବ୍ୟବହାର କରିବା ପାଇଁ କହିଛନ୍ତି, ତାହା ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି । ଜଗନ୍ନାଥଙ୍କ ନାଁ'ରେ ଚାଉଳ ମାଗି ରାଜ୍ୟ ସରକାର ଲୋକଙ୍କ ଶ୍ରଦ୍ଧା ସହ ଖେଳ ଖେଳିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏଥିପାଇଁ ଲୋକେ ଏ ସରକାରକୁ କେବେ ବି କ୍ଷମା କରିବେନାହିଁ ବୋଲି ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି । ସେପଟେ ଏହାର କଡ଼ା ଜବାବ ରଖିଛି ଶାସକ ଦଳ ।
ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ଜନସାଧାରଣ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଅରୁଆ ଚାଉଳ ଓ ଗୁଆ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଏହାକୁ ବିନିଯୋଗ ନକରାଯିବାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ରାଜନୈତିକ ଉଦ୍ଦେଶ୍ୟ ରଖି ଶାସକ ଦଳ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । କିନ୍ତୁ ଏହି ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ ବୋଲି ସୂଚନା ମିଳିଛି । ଆସିଥିବା ଏହି ଅରୁଆ ଚାଉଳ ଓ ଗୁଆ ସୁଆର ମହାସୁଆର ନିଯୋଗ ଗ୍ରହଣ କରିବ । ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ସମସ୍ତ ସାମଗ୍ରୀ ଚାଉଳ, ଗୁଆ ଓ ଶ୍ରୀଫଳ ଆଦି ଅର୍ଘ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଭକ୍ତଙ୍କଠାରୁ ବିଭିନ୍ନ ମାନର ଅରୁଆ ଚାଉଳ ସଂଗ୍ରହ ହୋଇଥିବାରୁ ଏଥିରେ ଅନ୍ନପ୍ରସାଦ ପ୍ରସ୍ତୁତ ହୋଇପାରିବ ନାହିଁ । ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଲାଗି ଯୋଜନା କରାଯାଇଛି । ଖେଚୁଡ଼ି ସହିତ କିଛି ଚାଉଳରୁ ପିଠା ଓ ଝୋଟି ପାଇଁ ଚିତାପିଠଉ ପ୍ରସ୍ତୁତ କରାଯିବ । ଆଉ କିଛି ଚାଉଳର ଆଳତି ବଟା ଓ ବନ୍ଦାପନା କାର୍ଯ୍ୟରେ ବ୍ୟବହୃତ ହେବ । ସେହିପରି ସଂଗୃହିତ ଗୁଆ ଶ୍ରୀଜିଉମାନଙ୍କ ପାଇଁ ପ୍ରସ୍ତୁତ ବିଡ଼ିଆପାନରେ ବ୍ୟବହାର କରାଯିବ । ସେଥିପାଇଁ ଗୁଆ ସବୁ ହଡ଼ପ ନାଏକ ସେବାୟତଙ୍କୁ ପ୍ରଦାନ କରାଯିବ । ଏନେଇ ସ୍ପଷ୍ଟୀକରଣ ମିଳିବା ପରେ ମଧ୍ୟ ରାଜନୈତିକ ବୟାନବାଜି ଜାରି ରହିଛି । ଶାସକ ଦଳ ଉପରେ ଏଥିପାଇଁ ଜୋରଦାର ହମଲା କରିଛି ବିଜେପି । ଅଭିଯୋଗର ଜବାବ ମଧ୍ୟ ରଖିଛି ଶାସକ ଦଳ ।