ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଅପରାଧ ବୃଦ୍ଧି ପାଇଥିବା ଅଭିଯୋଗ କରିଛି ବିଜେଡି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ବିଜେଡି କର୍ମୀଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି । ବିଜେପି କର୍ମୀ ଏହି ଆକ୍ରମଣ କରିବା ପରେ ତାହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରି ନିର୍ବାଚନ ଫଳାଫଳର ଏକ ମାସ ପରେ ଗୋପାଳପୁରରେ ଅପରାଧିକ ତତ୍ତ୍ବ ବୃଦ୍ଧି ପାଉଥିବା ଅଭିଯୋଗ କରି ବ୍ରହ୍ମପୁର ପୋଲିସ ମୁଖ୍ୟାଳୟକୁ ଏକ ଶୋଭାଯାତ୍ରାରେ ଯାଇ ବିଜେଡି ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଗଣମାଧ୍ୟମ ଜରିଆରେ ଆରୋପ ଓ ପ୍ରତ୍ୟାରୋପ କରାଯାଇଥିବା ଦେଖିବାକୁ ମିଳିଛି ।
ଗୋପାଳପୁର ବିଜେଡି ପକ୍ଷରୁ ଦଳର ନିର୍ବାଚନ ସମୀକ୍ଷା ନାମରେ ଏକ ବୈଠକ କରାଯାଇ ଗତ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଜେପି ରାଜନୈତିକ ହିଂସା କରୁଥିବା ଦର୍ଶାଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦିଆଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଗତ 1 ମାସ ମଧ୍ୟରେ 7ଟି ଅପରାଧିକ ଘଟଣା ଘଟିଥିବାବେଳେ ହିଂସା ଘଟାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଏପରି ଘଟଣା ଆଗକୁ ଘଟିଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ଦଳର ପରାଜୟ ବରଣ କରିଥିବା ଗୋପାଳପୁରର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଏବଂ ବ୍ରହ୍ମପୁରର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ବିଜେଡି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣାଙ୍କ ସହ ବହୁ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଅତିରିକ୍ତ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
'ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି':-ଗୋଟିଏ ପଟେ ବିଜେପି ନାଁ'ରେ ବିଜେଡି ଏପରି ଅଭିଯୋଗ ଆଣିଥିବାବେଳେ ଏହାକୁ ନେଇ ଦଳର ବରିଷ୍ଠ ନେତା କାହ୍ନୁ ଚରଣ ପତି ଏହାକୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି, "ଭାରତୀୟ ଜନତା ପାର୍ଟି ହିସାଂକୁ କେବେ ପ୍ରଶୟ ଦିଏ ନାହିଁ । ପୂର୍ବରୁ ବିଜେଡିର ଅସଲ ମୁଖା ରାଜ୍ୟବାସୀ ଦେଖିସାରିଛନ୍ତି । ଗୋପାଳପୁରର ପୂର୍ବତନ ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ସମୟରେ ଯେପରି ବିଜେଡିର ଗୁଣ୍ଡାମାନେ ଢେଲା ପଥର ମାଡ କରି ଅଟକାଇ ରଖିଥିଲେ, ସେଥିରୁ ସ୍ପଷ୍ଟ କିଏ ଅସାମାଜିକ ତତ୍ତ୍ବକୁ ଘଣ୍ଟ ଘୋଡାଇ ରଖିଥିଲା । ଶାସନରେ ଥାଇ ଅଣ୍ଟିଛୁରୀ ତଣ୍ଟି କାଟିବା ପରି ତାହା ଘଟୁଥିଲା । ଗତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟକୁ ତାଙ୍କ ଦଳର କିଛି ନେତା ଆଜି ବି ଗ୍ରହଣ କରିପାରୁନଥିବା ଅନୁଭବ ହେଉଛି । ପରାଜୟର ଗ୍ଲାନିରୁ ମୁକୁଳି ପାରୁନଥିବା ନେତାମାନେ ନିଜର ଦୋଷ, ଦୁର୍ବଳତା ଓ ଜନବିରୋଧୀ ନୀତିକୁ ନିଜେ ଜାଣିବା ପରିବର୍ତ୍ତେ ବିଜେପି ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରି ହାରିଥିବା ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ମନ୍ତବ୍ୟ ଅରୁଚିକର ଓ ବିଭ୍ରାନ୍ତିକର ।"