ଭୁବନେଶ୍ୱର: ଘର ବାହୁଡିଲେ ବିଶ୍ବଭୂଷଣ । କିଛି ଦିନ ତଳେ ବିଜେପିରେ ମିଶିଥିବା ବିଶ୍ବଭୂଷଣ ଦାସ ପୁଣିଥରେ କଂଗ୍ରେସକୁ ଫେରିଛନ୍ତି । କାକଟପୁର ବିଧାନସଭା ଆସନରୁ ଟିକଟ ଆଶାରେ ସେ ବିଜେପି ଯାଇଥିବା ବେଳେ ଟିକଟ ନମିଳିବାରୁ ୨୨ ତାରିଖରେ ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲେ । ଏହାପରେ ଏବେ ସେ କଂଗ୍ରେସକୁ ଫେରିଛନ୍ତି । ଗତକାଲି (ବୁଧବାର) ବିଧିବଦ୍ଧ ଭାବରେ ସେ ହାତ କ୍ୟାମ୍ପରେ ସାମିଲ ହୋଇଛନ୍ତି । ତେବେ କାକଟପୁର ଆସନରେ ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ ଏ ଯାଏଁ କଂଗ୍ରେସ କାହାରି ନାଁ ଘୋଷଣା କରିନାହିଁ । ତେଣୁ ବିଶ୍ବଭୂଷଣଙ୍କ ଘର ବାହୁଡା ପରେ ଆଉଥରେ ଦଳ ଭରସା କରିପାରେ ବୋଲି ଚର୍ଚ୍ଚା ହେଉଛି ।
ସୂଚନା ଥାଉକି, ବିଶ୍ବଭୂଷଣ ଦାସ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଥିଲେ । ସେ ଗତ ୨୦୧୯ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ ହେଁ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କ ଠାରୁ ହାରି ଯାଇଥିଲେ । ବିଶ୍ବଭୂଷଣ ଜଣେ ସକ୍ରିୟ ଯୁବ ନେତା ଭାବରେ କାର୍ଯ୍ୟ କରୁଥିଲେ । କାକଟପୁର ଅଞ୍ଚଳରେ ସେ ନିଜର ସଂଗଠନ ଓ ପତିଆରା ବଢାଇଥିଲେ । ହେଲେ ଗତ ନିର୍ବାଚନରେ ବିଜେଡିଠୁ ପରାଜିତ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ ।
ଗତ ୫ ଏପ୍ରିଲରେ ସେ କଂଗ୍ରେସ ସହ ସମ୍ପର୍କ ତୁଟାଇ ବିଜେପିରେ ମିଶିଥିଲେ । ବିଜେପି ତାଙ୍କୁ କାକଟପୁର ଟିକଟ ଦେବ ବୋଲି ପ୍ରତିଶ୍ରୁୃତି ଦେଇ ଦଳରେ ମିଶାଇଥିଲା, ହେଲେ ପରେ ଟିକଟ ଦେଇନଥିଲା । ଏହାକୁ ନେଇ ବିଜେପି ତାଙ୍କ ସହ ପ୍ରତାରଣା କରିଛି ବୋଲି କହି ସେ ବିଜେପି ଛାଡିଥିଲେ । ଆଉ ବୁଧବାର ପୁଣି ୨୯ ବର୍ଷ ଧରି କାର୍ଯ୍ୟ କରୁଥିବା କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ହାତ ଧରିବା ପରେ ସେ ବିଜେପି ବିରୋଧରେ ବିଷୋଦ୍ଗାର କରିଛନ୍ତି ।