ନୂଆଦିଲ୍ଲୀ: ରାଜ୍ୟ ସହ ଭାଗିଦାରୀରେ 50ଟି ପର୍ଯ୍ୟଟନସ୍ଥଳୀର ହେବ ବିକାଶ । କେନ୍ଦ୍ରୀୟ ବଜେଟରେ ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ହୋମ ଷ୍ଟେ ପାଇଁ ମୁଦ୍ରା ଲୋନ ଛଡା ହୋଟେଲ ଗୁଡିକରେ ବି ସାମଞ୍ଜସ୍ୟପୂର୍ଣ୍ଣ ଯୋଜନାକୁ ସାମିଲ କରାଯିବ । କିଛି ବିଦେଶୀ ପର୍ଯ୍ୟଟକ ସମୂହଙ୍କ ପାଇଁ ଭିସା ଛାଡ ହେବ । ବେସରକାରୀ କ୍ଷେତ୍ରରେ ମିଳିତ ସହଭାଗିତାରେ ମେଡିକାଲ ଟୁରିଜିମ ଓ ହିଲ୍ ଇନ ଇଣ୍ଡିଆକୁ ଆଗକୁ ନେବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ରାଜ୍ୟର ପ୍ରଭାବୀ ଗନ୍ତବ୍ୟ ସ୍ଥଳର ପ୍ରବନ୍ଧନ ପାଇଁ ପ୍ରଦର୍ଶନୀ ଭଳି ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ 2025-26 ଉପସ୍ଥାପନା କରି କହିଛନ୍ତି ଏଥରର ବଜେଟ ସାଧାରଣ ଲୋକର ଖର୍ଚ୍ଚ କରିବାର କ୍ଷମତାକୁ ବୃଦ୍ଧି କରିଥାଏ । ଏହା ଛଡା ବଜେଟର ଉଦ୍ଦେଶ୍ୟ ଦେଶର ଅର୍ଥବ୍ୟବସ୍ଥାର ବିକାଶ ଦରକୁ ବୃଦ୍ଧି କରିବା, ସମାବେଶ ବିକାଶକୁ ସୁନିଶ୍ଚିତ କରିବା ପାଇଁ ବେସରକାରୀ କ୍ଷେତ୍ରରେ ନିବେଶ ବୃଦ୍ଧି, ଘରୋଇ ଭାବନାକୁ ଆଗକୁ ବଢାଇବା ଓ ବଢୁଥିବା ମଧ୍ୟମ ବର୍ଗର ଖର୍ଚ୍ଚ କ୍ଷମତା ବୃଦ୍ଧି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ଅର୍ଥମନ୍ତ୍ରୀ କହିଛନ୍ତି ବଜେଟ 2025ରେ ଗରିବ, ଯୁବବର୍ଗ, ଅନ୍ନଦାତା ଓ ମହିଳାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରି 10ଟି କ୍ଷେତ୍ରକୁ ସାମିଲ କରାଯାଇଛି । କୃଷି, ଏମଏସଏମଇ, ନିବେଶ ଓ ନିର୍ଯାତ ବିକାଶର ଇଞ୍ଜିନ ଅଟେ । ସେହିପରି ଏଥର ବଜେଟରେ କିଶାନ କ୍ରେଡିଟ କାର୍ଡ (କେସିସି) ଲିମିଟ୍ 3 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି କରାଯାଇଛି । ଏହା ଦ୍ବାରା ଚାଷୀଙ୍କୁ ଶସ୍ତା ଋଣ ପାଇବାରେ ସହାୟକ ହେବ । ଏହା ପୂର୍ବରୁ ଅର୍ଥମନ୍ତ୍ରୀ ଶୁକ୍ରବାର ସଂସଦରେ ଆର୍ଥିକ ସର୍ବେକ୍ଷଣ 2024-2025 ଉପସ୍ଥାପନା କରିଛନ୍ତି । ସର୍ବେକ୍ଷଣରେ କୁହାଯାଇଛି ଆର୍ଥିକ ବର୍ଷ 2025-26ରେ ବୈଶ୍ବିକ ଅନିଶ୍ଚିତତା ମଧ୍ୟରେ ଭାରତର ଜିଡିପି 6.3ରୁ 6.8 ପ୍ରତିଶତ ଦରରେ ଅଭିବୃଦ୍ଧି ହୋଇପାରିବ ।
ଏହା ମଧ୍ୟ ପଢନ୍ତୁ ବଜେଟ: ବଢିଲା କିସାନ କ୍ରେଡିଟ କାର୍ଡ ଲିମିଟ୍, ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ
ଏହା ମଧ୍ୟ ପଢନ୍ତୁ କେନ୍ଦ୍ର ବଜେଟ 2025; ଶସ୍ତା ହେବ ଟିଭି, ସ୍ମାର୍ଟଫୋନ ପରି ବୈଦ୍ୟୁତିକ ଉପକରଣ
ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ମୁତାବକ ମହଙ୍ଗା ନିୟନ୍ତ୍ରଣରେ ଅଛି । ଆର୍ଥିକ ବର୍ଷ ଏପ୍ରିଲ 25 ରୁ ଡିସେମ୍ବର ଅବଧି ମଧ୍ୟରେ ମହଙ୍ଗା ଦର କମ ହୋଇ 4.9କୁ ପହଞ୍ଚିଛି । ଆର୍ଥିକ ବର୍ଷ 24ରେ ଏହା 5.4 ପ୍ରତିଶତ ଥିଲା । ସର୍ବେକ୍ଷଣରେ କୁହାଯାଇଛି ମହଙ୍ଗା ଦରକୁ ସ୍ଥିର କରିବା ପାଇଁ ସରକାରଙ୍କ ସକ୍ରିୟ ନୀତିଗତ ହସ୍ତକ୍ଷେପ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଅନେକ ଚ୍ୟାଲେଞ୍ଜ ମଧ୍ୟରେ ଭାରତରେ ମହଙ୍ଗା ଦର ନିୟନ୍ତ୍ରଣ ପାଇଁ ସକରାତ୍ମକ ସଙ୍କେତ ମିଳୁଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ର ଅନୁମାନ ଯେ ଭାରତର ମହଙ୍ଗା ଦର ଧୀରେ ଧୀରେ ଆର୍ଥିକ ବର୍ଷ 2026 ସୁଦ୍ଧା ପାଖାପାଖି 4 ପ୍ରତିଶତ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ।