ସୁବର୍ଣ୍ଣପୁର: ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ରାଜନୈତିକ ଦଳ ଓ ରାଜନୈତିକ ବ୍ୟକ୍ତି ବିଶେଷ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ତେବେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଛି । ଆରମ୍ଭ ହୋଇଯାଇଛି ଜୋରଦାର ପ୍ରଚାର କାର୍ଯ୍ୟ ।
ବୀରମହାରାଜପୁର ଆସନରୁ ବିଜେଡିରୁ ବିଧାୟକ ପ୍ରାର୍ଥୀ ଭାବେ ଲଢୁଛନ୍ତି ଗତ 15 ବର୍ଷ ଧରି ବିଧାୟକ ଥିବା ତଥା ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ମନାଭ ବେହେରା । ପଦ୍ମନାଭ ସଭା ସମିତି ମାଧ୍ୟମରେ ଭୋଟରକୁ ଆକର୍ଷିତ କରିବା ପାଇଁ ଲାଗି ପଡିଛନ୍ତି । ପଦଯାତ୍ରା ତଥା ସଭାସମିତି ଓ ଶୋଭାଯାତ୍ରାର ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ।
ବୀରମହାରାଜପୁର ଆସନରୁ ଲଢିବା ପାଇଁ ପଦ୍ମନାଭ ବେହେରା ସମେତ ଆହୁରୀ ଅନେକ ବିଜେଡି ଆଶାୟୀ ରହିଥିବା ବେଳେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ପଦ୍ମନାଭ । ପଦ୍ନନାଭ ବେହେରାଙ୍କୁ ବିଜେଡି କର୍ମୀ ଓ ବିଜେଡି ସମର୍ଥକ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହିତ ଭରପୁର ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।
ପଦ୍ମନାଭ ବେହେରାଙ୍କ ରାଜନୈତିକ କ୍ୟାରିୟର:ବିଜୁ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ନନାଭ ବେହେରା ଗତ ତିନୋଟି ନିର୍ବାଚନରେ ବିଜୟୀ ହୋଇ ଆସୁଛନ୍ତି । ବିଧାନସଭା ଆସନ ପୁନଃର୍ଗଠନ ହେବା ପରେ ଫୁଲବାଣୀ ଲୋକସଭା ସାଂସଦ ଥିବା ପଦ୍ନନାଭ ବେହେରା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ।