ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଆଜି ଗଣମାଧ୍ୟମ ଚେହେରା ସାମ୍ନାକୁ ଆସିଛି । ଦଳର ସଭାପତି ନବୀନ ପଟ୍ଟନାୟକ 16 ଜଣିଆ ମିଡ଼ିଆ ପ୍ୟାନାଲିଷ୍ଟ ଘୋଷଣା କରିଛନ୍ତି । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଟିମରେ ଯୁବ ବର୍ଗଙ୍କୁ ବିଶେଷ ଭାବେ ଗୁରୁତ୍ବ ଦିଆଯାଇଛି ।
ମୁଖପାତ୍ରଙ୍କ ତାଲିକା ପ୍ରକାଶ କରିଥିବା ବିଜେଡି ଆଜି ବିଧିବଦ୍ଧ ଭାବେ ମିଡ଼ିଆ ପ୍ୟାନାଲିଷ୍ଟଙ୍କ ନାଁ ଘୋଷଣା କରିଛି । 16 ଜଣିଆ ପ୍ୟାନାଲିଷ୍ଟ ତାଲିକାରେ ଉଭୟ ଅଭିଜ୍ଞ ଓ ଯୁବ ବର୍ଗଙ୍କୁ ଦେଖିବାକୁ ମିଳିଛି । ଏହି ଟିମରେ 4 ଜଣ ବର୍ତ୍ତମାନର ବିଧାୟକ ଓ 2 ଜଣ ପୂର୍ବତନ ବିଧାୟକ ରହିଛନ୍ତି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ବାଲିକୁଦା-ଏରସମା ବିଧାୟକ ସାରଦା ଜେନା, ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ନାଁ ତାଲିକାରେ ରହିଛି । ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ତାଲିକାରେ ରହିଛନ୍ତି । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, କଟକ ମେୟର ସୁବାସ ସିଂ ଓ ଦଳ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ତାଲିକାରେ ରହିଛନ୍ତି ।
ପୂର୍ବରୁ ଦଳର ମୁଖପାତ୍ର ଥିବା ତୁମ୍ବନାଥ ପଣ୍ଡା, ମିହିର ରାୟ, ଚିନ୍ମୟ ସାହୁ, ଇପ୍ସିତା ସାହୁ ଓ ସୋଫିଆ ଆଲାମଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି । ସେହିପରି ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଇରାନୀ ରାୟଙ୍କୁ ଦାୟିତ୍ୱ ମିଳିଛି । ଦଳର ଛାତ୍ର ସଂଗଠନ ସହ ଜଡିତ ଥିବା ବିଶ୍ବପ୍ରତାପ ସାହୁ, ଅରୂପ ଶ୍ରୀଚନ୍ଦନଙ୍କୁ ପୁରସ୍କୃତ କରିଛନ୍ତି ବିଜେଡି ସଭାପତି । ବିଭିନ୍ନ ଗଣମାଧ୍ୟମରେ ଉଭୟଙ୍କୁ ଦଳର ମତ ରଖିବାକୁ ସୁଯୋଗ ମିଳିଛି । ଗତ ନିର୍ବାଚନରେ ଉଭୟ ବିଭିନ୍ନ ସ୍ଥାନ ଦଳ ପ୍ରଚାର ଜୋରଦାର କରିଥିଲେ ।