ଭୁବନେଶ୍ବର:ବିଜେପି ନେତା ଓ କର୍ମୀ ସବୁବେଳେ ଆଇନ୍ ଉଲ୍ଲଙ୍ଘନ କରୁଛନ୍ତି । ଖାସ କରି କାର୍ଯ୍ୟରତ ସରକାରୀ ଅଧିକାରୀ ବିଡ଼ିଓ, ତହସିଲଦାର, ଡିଏସପି ଓ ଆଇଆଇସି ମାନଙ୍କୁ ଜାତୀୟ ନିର୍ବାଚନ କମିସନଙ୍କ ନାଁ ନେଇ ଧମକାଉଛନ୍ତି । ଯଦି ସେମାନେ ବିଜେପି ପାଇଁ କାମ ନ କରନ୍ତି, ବଦଳି ଧମକ ମିଳୁଛି । ଧମକଚମକ ଦ୍ୱାରା ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗି ଯାଉଛି । ତେଣୁ ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଜେପି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।
ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ କହିଛନ୍ତି,"ନିର୍ବାଚନ ସମୟରେ ବିଜେପି ନେତା ଓ କର୍ମୀ ସଦାସର୍ବଦା ଆଇନ ଉଲ୍ଲଙ୍ଘନ କରନ୍ତି । ନିର୍ବାଚନ ପ୍ରକ୍ରିୟାର 4 ମାସରେ ଲଗାତର ଭାବେ ଆଇନ ଉଲ୍ଲଙ୍ଘନ କରନ୍ତି । ଏହା ଆମେ ସମସ୍ତେ ଦେଖିଛେ । ଏଥର ମଧ୍ୟ କରୁଛନ୍ତି । ବିଜେପି ନେତା ଓ କର୍ମୀ ମାନେ ସରକାରୀ ଅଧିକାରୀ ତଥା ବିଡ଼ିଓ, ତହସିଲଦାର, ଆଇଆଇସି ଓ ଡିଏସପିଙ୍କୁ ଧମକ ଚମକ ଦେଉଛନ୍ତି । ଇସିଆଇଙ୍କ ନାଁ ନେଇ ଏହି ଧମକ ମିଳୁଛି । ବିଜେପି ଦଳ ଓ ବିଜେପି ପ୍ରାର୍ଥୀଙ୍କ ଲାଗି କାର୍ଯ୍ୟ କରିବାକୁ କୁହାଯାଉଛି । ଓଡ଼ିଶା ବିଜେପି ନେତା ଓ କର୍ମୀଙ୍କ ପାଇଁ କାମ ନକଲେ ସେମାନଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । ସେମାନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ଟ୍ରାନ୍ସଫର କରି ଦେବାକୁ ଧମକ ଦିଆଯାଉଛି ।"