ଭୁବନେଶ୍ବର: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ୨୫ ତାରିଖ ଅର୍ଥାତ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବା ଲାଗି ସେହିଦିନ ବିରୋଧୀ ଦଳ ବିଜେଡିର ବସିବ ବିଧାୟକ ଦଳ ବୈଠକ ।
କାଲି ସର୍ବଦଳୀୟ ବୈଠକ:
ଏନେଇ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, "ଆସନ୍ତା ୨୬ ତାରିଖରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଆସନ୍ତା ୨୫ ତାରିଖରେ ସର୍ବଦଳୀୟ ବୈଠକ ବସିବ । ପୂର୍ବାହ୍ନ ସାଢେ଼ ୧୦ରେ ବିଧାନସଭାର ବାଚସ୍ପତିଙ୍କ କକ୍ଷରେ ଏହି ବୈଠକ ବସିବ । ବିଧି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ । ସମସ୍ତ ରାଜନୈତିକ ଦଳ ବୈଠକରେ ସାମିଲ ହେବେ ।"
BJD ବିଧାୟକ ଦଳ ବୈଠକ:
ବିଧାନସଭା ଅଧିବେଶନ ପୂର୍ବରୁ ବସିବ ବିଜେଡିର ବିଧାୟକ ଦଳ ବୈଠକ । ଏନେଇ ଆଜି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ଘରେ ବସିଥିଲା ବିଜେଡିର ବରିଷ୍ଠ ନେତାଙ୍କ ବୈଠକ । ବୈଠକରେ ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଅରୁଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଆସନ୍ତା ଅଧିବେଶନରେ ଦଳ କେଉଁ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେବ ସେନେଇ ଆଲୋଚନା ହୋଇଛି । ଏ ବାବଦରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ ।
'ଜନସାଧାରଣଙ୍କ ସ୍ବର ଉଠାଇବୁ':
ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି, "ବିଧାନସଭାର ଆସନ୍ତା ଶୀତକାଳୀନ ଅଧିବେଶନ ପରିପ୍ରେକ୍ଷୀରେ ବିରୋଧୀ ଦଳ ଉପନେତା, ବିରୋଧୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକଙ୍କ ଉପସ୍ଥିତରେ ଆମେ କିଛି ଆଲୋଚନା କରିଛୁ । ବିଧାନସଭାରେ ବିଜେଡିର ଭୂମିକା କ'ଣ ରହିବ ସେନେଇ ଏକ ପ୍ରାଥମିକ ଆଲୋଚନା ହୋଇଛି । ଏ ସମସ୍ତ କଥାକୁ ଦଳର ସଭାପତିଙ୍କୁ ଅବଗତ କରାଯିବ । ଜନସାଧାରଣ ଆମକୁ ଏକ ଶକ୍ତିଶାଳୀ ବିରୋଧୀ ଦଳ ହେବାକୁ ଜନାଦେଶ ଦେଇଛନ୍ତି । ଜନସାଧାରଣଙ୍କ ସ୍ବର ହୋଇ ଆମେ ବିଭିନ୍ନ କଥା ଉଠାଇବୁ । ପ୍ରଭାବୀ ଢ଼ଙ୍ଗରେ ବିଜେଡି ବିରୋଧୀ ଦଳ ଭୂମିକା ନିଭାଉଛି । ଆଉ ଲଢେଇ ହେବ ।"
ଏହା ମଧ୍ୟ ପଢ଼ନ୍ତୁ...୨୬ରୁ ଶୀତ ଅଧିବେଶନ: ମାସେ ଯାଏଁ ଚାଲିବ ଗୃହ, ଆସିବ ୨୦୨୪/୨୫ ସପ୍ଲିମେଣ୍ଟାରୀ ବଜେଟ୍ ଏହା ମଧ୍ୟ ପଢ଼ନ୍ତୁ...ମନ୍ତ୍ରୀମଣ୍ଡଳରେ ସପ୍ଲିମେଣ୍ଟାରୀ ବଜେଟ ଓ କ୍ୟାବିନେଟରେ ୨ଟି ପ୍ରସ୍ତାବରେ ମୋହର |
କେଉଁ ପ୍ରସଙ୍ଗ ଉଠାଇବେ ବିରୋଧୀ:
ତେବେ ବିଧାନସଭାର ଶୀତକାଳୀନ ଅଧିବେଶନରେ କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ଜୋରଦାର ଉଠେଇବ ବିଜେଡି । ପିଡ଼ିଏସ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା ଦଳ ଅଭିଯୋଗ କରିଆସୁଛି । ରାୟଗଡ଼ା ଓ ଖପ୍ରାଖୋଲରେ ଶିଶୁ ବିକ୍ରି ପ୍ରସଙ୍ଗ ଉଠେଇବ ଦଳ । ଖାଦ୍ୟ ସାମଗ୍ରୀ, ଖାଇବା ତୈଳ ଓ ଔଷଧ ଦର ୨୦ରୁ ୩୦ ପ୍ରତିଶତ ବୃଦ୍ଧିକୁ ଦଳ ପ୍ରସଙ୍ଗ କରିବ । ମହିଳା ବିରୋଧୀ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ସରକାରଙ୍କୁ ଘେରିବ ବିଜେଡି । ସେପଟେ କଂଗ୍ରେସ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସ୍ତୁତି ଚଲାଇଛି । ବିରୋଧୀଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବିଜେପି ।
ଇଟିଭି ଭାରତ, ଭୁବନେଶ୍ବର