ବ୍ରହ୍ମପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହା ସହ ବ୍ରହ୍ମପୁର ମୈଦାନରେ ଥମିଲା ପ୍ରଚାର । ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ନିଜର ସ୍ବତନ୍ତ୍ର ଇସ୍ତାହାର ପ୍ରକାଶ କରିଛନ୍ତି । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପ୍ରଦୀପ ଏହାର ଉନ୍ମୋଚନ କରିଛନ୍ତି । ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସାତୋଟି ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ଦାବିକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଛି । ଏହାସହ ସାଧାରଣ ଜନତା ମଧ୍ୟ ନିଜର ପ୍ରସ୍ତାବ ଦେଇ ପାରିବେ ବୋଲି କହିଛନ୍ତି ପ୍ରଦୀପ ।
ଏହି ଇସ୍ତାହାରରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ, ବ୍ରହ୍ମପୁରର ଟ୍ରାଫିକ ସମସ୍ୟା ସମାଧାନ, ଗୋପାଳପୁରରୁ ମୁମ୍ବାଇ ହାଇୱେ ନିର୍ମାଣ, ବ୍ରହ୍ମପୁରରେ ସ୍ପୋର୍ଟସ ହଷ୍ଟେଲ ସହ ସାଇ ଟ୍ରେନିଂ ସେଣ୍ଟର ନିର୍ମାଣ, ଏମକେସିଜିରେ ଉନ୍ନତୀକରଣ ତଥା ରେଡକ୍ରସ ବ୍ଲଡ ୟୁନିଟ ନବୀକରଣ, ଆୟୁଷ ଯୋଗ ରିସର୍ଚ୍ଚ ସେଣ୍ଟର, କେନ୍ଦ୍ରୀୟ ବିଦ୍ୟାଳୟ ଓ ପ୍ରଥମ ସୈନିକ ସ୍କୁଲ ପ୍ରତିଷ୍ଠା, କ୍ଲାଇମେଟ ସିସୋର୍ସ ରିସର୍ଚ୍ଚ ସେଣ୍ଟର, ସି ଫୁଡ ପ୍ରୋସେସିଙ୍ଗ ୟୁନିଟ ପ୍ରତିଷ୍ଠା, ଏମଏସଏମଇ କ୍ଲଷ୍ଟର ପ୍ରତିଷ୍ଠା, ଗୋପାଳପୁର ପୋର୍ଟର ବିକାଶ, ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା, ଗ୍ରୀନ ଏନର୍ଜି ରିସୋର୍ସ ରିସର୍ଚ୍ଚ ସେଣ୍ଟର ଭଳି ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠା ଦାବି ସାମିଲ ହୋଇଛି ।