ଓଡିଶା

odisha

By ETV Bharat Odisha Team

Published : Jan 24, 2024, 3:30 PM IST

Updated : Jan 24, 2024, 3:58 PM IST

ETV Bharat / politics

ବଢୁଛି ‘ଇଣ୍ଡିଆ’ ମେଣ୍ଟରେ ଫାଟ: ପଞ୍ଚାବରେ କଂଗ୍ରେସ ସହ ମେଣ୍ଟ କରିବନି AAP, ବଙ୍ଗରେ ମନା କରିସାରିଛନ୍ତି ଦିଦି

Another Jolt to INDIA: ପଞ୍ଚାବରେ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କଲା AAP । ପଶ୍ଚିମବଙ୍ଗ ଆସନ ବୁଝାମଣା ପାଇଁ ମନା କରି ସାରିଛନ୍ତି ଦିଦି । ଅଧିକ ପଢନ୍ତୁ

ପଞ୍ଚାବରେ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କଲା AAP, ବଙ୍ଗରେ ମନା କରିସାରିଛନ୍ତି ଦିଦି
ପଞ୍ଚାବରେ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କଲା AAP, ବଙ୍ଗରେ ମନା କରିସାରିଛନ୍ତି ଦିଦି

ଚଣ୍ଡିଗଡ:ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ କ୍ଷେତ୍ରରେ ବିଜେପି ଓ ଏନଡିଏ ମେଣ୍ଟର ସହଯୋଗୀ ଦଳ ଯାହା ଅନୁମାନ କରୁଥିଲେ, ବାସ୍ତବରେ ସେପରି ହେବାକୁ ଯାଉଛି । ବିଜେପି ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ଏକାଠି ହୋଇଥିବା ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟରେ ଆସନ ବୁଝମଣା ପାଇଁ ଫାଟ ବଢ଼ିବାରେ ଲାଗିଛି । ଆଜି ପୂର୍ବାହ୍ନରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ କଂଗ୍ରେସ ସହ କୌଣସି ଆସନ ବୁଝାମଣା ହେବନାହିଁ ବୋଲି କହିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଶାସକ ଆମ ଆଦମୀ ପାର୍ଟି ଲୋକସଭା ନିର୍ବାଚନରେ ରାଜ୍ଯରେ କଂଗ୍ରେସ ସହ ଆସନ ବୁଝାମଣା କରିବ ନାହିଁ ବୋଲି କହିଛି । ରାଜ୍ଯରେ ମୋଟ 13 ଲୋକସଭା ଆସନରେ ଆମ ଆଦମୀ ପାର୍ଟି ଏକାକୀ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି । ଏଥିପାଇଁ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ମଧ୍ୟ କରିସାରିଥିବା କୁହାଯାଉଛି ।

ଚଣ୍ଡିଗଡରେ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀ ଭାଗବତ ମାନ କହିଛନ୍ତି, 2024 ସାଧାରଣ ନିର୍ବାଚନରେ ଆମ ଆଦମୀ ପାର୍ଟି ଏକାକୀ ସମସ୍ତ 13 ଲୋକସଭା ଆସନରେ ଲଢିବାକୁ ଯାଉଛି । ଦଳ ସମସ୍ତ ଆସନରେ ଜିତିବ ମଧ୍ୟ । ଏଥିପାଇଁ ଦଳ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛି । ବିଭିନ୍ନ ମାପଦଣ୍ଡରେ 40 ପ୍ରାର୍ଥୀଙ୍କୁ ପ୍ରାଥମିକ ଭାବେ ବିଚାରକୁ ନିଆଯାଇଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଦଳ ସର୍ଭେ ମଧ୍ୟ ଜାରି ରଖିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ସଂକ୍ଷିପ୍ତିକରଣ କରାଯାଇ ପ୍ରାର୍ଥୀ ଚୂଡାନ୍ତ କରାଯିବ ।

ଆଜି ପୂର୍ବାହ୍ନର ମେଣ୍ଟର ଅନ୍ୟତମ ପ୍ରମୁଖ ନେତ୍ରୀ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିସ୍ଫୋରକ ଘୋଷଣା କରିଥିଲେ । ଚଳିତ ଲୋକସଭା ନିର୍ବାଚନରେ ଟିଏମସି ପଶ୍ଚିମବଙ୍ଗରେ କଂଗ୍ରେସ କିମ୍ବା ଅନ୍ୟ କୌଣସି ସହଯୋଗୀ ଦଳ ସହ ଆସନ ବୁଝାମଣା କରିବନାହିଁ । ସମସ୍ତ ସଂସଦୀୟ ଆସନରେ ଦଳ ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବ । କଂଗ୍ରେସ, ତୃଣମୂଳ କଂଗ୍ରେସର ପ୍ରସ୍ତାବକୁ ଗ୍ରହଣ ନକରିବାରୁ ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଛି ବୋଲି ମମତା କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- 'ଇଣ୍ଡିଆ' ମେଣ୍ଟକୁ ଦିଦିଙ୍କ ଝଟକା: ପଶ୍ଚିମବଙ୍ଗରେ 'ଏକଲା ଚଲୋ' ନାରା, ଜବାବ ରଖିଲା କଂଗ୍ରେସ

ଏବେ ମମତାଙ୍କ ଧାରାରେ କେଜ୍ରିଓ୍ବାଲ ମଧ୍ୟ ସାମିଲ ହୋଇଛନ୍ତି । ଦଳ ପଞ୍ଜାବରେ ଶାସନରେ ଥିବା ବେଳେ କଂଗ୍ରେସକୁ ଆସନ ଛାଡିବା ପାଇଁ ଅନିଚ୍ଛା ପ୍ରକାଶ କରିଛି । ଦଳ ସମସ୍ତ 13 ସଂସଦୀୟ ଆସନରେ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି । ଏବେ ଦିଲ୍ଲୀକୁ ନେଇ ଚର୍ଚ୍ଚା ବଢିଛି । ଦିଲ୍ଲୀରେ ମଧ୍ୟ ଆମ ଆଦମୀ ପାର୍ଟି କଂଗ୍ରେସ ବାଟ ନଛାଡିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2024, 3:58 PM IST

ABOUT THE AUTHOR

...view details