ଭୁବନେଶ୍ବର: ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଟଙ୍କା ଅନୁଦାନର ଖୋଳତାଡ କରିବ ମୋହନ ସରକାର । ଏବେ କାହାକୁ ଛଡ଼ା ଯିବନାହିଁ । ଦୁର୍ନୀତିରେ ଯିଏ ଲିପ୍ତ ଥିବ, ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବୁଧବାର ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀ ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଏଭଳି କହିଛନ୍ତି ।
ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, "ପୂର୍ବ ସରକାରରେ ପଞ୍ଚାୟତିରାଜ ବିଭାଗର କାମ ବହୁ ପଛରେ ଅଛି । ବିଜେଡି କେନ୍ଦ୍ର ଯୋଜନାକୁ ଖାମଖିଆଲି ଭବରେ କାମ କରୁଥିବା ଦୃଷ୍ଟିରୁ କାମ ଠିକ୍ ଭାବେ ହୋଇପାରିନାହିଁ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଟଙ୍କା ଅନୁଦାନର ଖୋଳତାଡ କରାଯିବ । କାର୍ଯ୍ୟକାରୀ କରୁଥିଲେ ବ୍ଲକ ଓ DRDO । କିଛି ଯୋଜନା ନଥିଲା । ଜେଇ ମାନଙ୍କ ନାଁରେ କାର୍ଯ୍ୟାଦେଶ ଆସୁଥିଲା । ମନିଟରିଂ କରୁଥିଲା ତୃତୀୟ ମହଲା । ବିଭାଗୀୟ ସଚିବ କିଛି ଜାଣୁ ନଥିଲେ । ରାମଙ୍କ ଭରସାରେ ଚାଲିଥିଲା ଯୋଜନା । କିଏ କରୁଛି, କେତେ କାମ ହୋଇଛି, ତାର କିଛି ରେକର୍ଡ ନଥିଲା ।" ବିଭାଗରେ ଯେତେ ଅନିୟମିତତା ହୋଇଛି ତାର ଖୋଳତାଡ଼ ହେବ ଓ ଲୋକଲୋଚନକୁ ଅଣାଯିବ ବୋଲି ମନ୍ତ୍ରୀ ରବି ନାଏକ ପ୍ରତିକ୍ରିୟାରେ କହିଛନ୍ତି ।