ଗଣତନ୍ତ୍ର ସୁରକ୍ଷା ଦାବିରେ ଭୁବନେଶ୍ଵରରେ ଆପ୍ ର ଏକଦିବସୀୟ ଉପବାସ ଭୁବନେଶ୍ବର: ଗଣତନ୍ତ୍ର ସୁରକ୍ଷା ଦାବିରେ ରାଜଧାନୀ ଭୁବନେଶ୍ଵର ଠାରେ ଆପ୍ ଦଳର ଏକ ଦିବସୀୟ ଉପବାସ । ଇଡି ଦ୍ଵାରା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପ୍ରତିବାଦରେ ଏବଂ ଗଣତନ୍ତ୍ର ରକ୍ଷା ଦାବିରେ ମାଷ୍ଟର କାଣ୍ଟିନ୍ ଠାରେ ଭୁବନେଶ୍ଵର ଆପ୍ ର ଗାନ୍ଧୀମାର୍ଗରେ ଉପାସ ରହି ଧାରଣାରେ ବସିଥିଲେ । ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ଜିଲ୍ଲା ତଥା ବିଧାନସଭା କ୍ଷେତ୍ରରେ ଆଜି ଆପ୍ କର୍ମୀଙ୍କ ଏକ ଦିବସୀୟ ଉପବାସ ଧାରଣା ଦିଆଯାଇଛି । ମୋଦି ଶାସନରେ ଯେଉଁଭଳି ଭାବେ ଭାରତବର୍ଷର ବିଜେପିର ଶକ୍ତ ବିରୋଧୀ ନେତାଙ୍କୁ ବିନା କାରଣରେ ଷଡଯନ୍ତ୍ର କରି ଇଡି ଦ୍ବାରା ବନ୍ଧାଯାଉଛି ।
ବିଶେଷ କରି ଡରରେ ନିର୍ଵାଚନଠୁ ଦୁରେଇ ରହିବା ପାଇଁ ଏଭଳି କରାଯାଉଥିବା ଅଭିଯୋଗ କରିଥିବା ବେଳେ ଆପ୍ ମୋଦି ସରକାରଙ୍କ ଡର ରାଜନୀତି ଦ୍ବାରା ଭାରତବର୍ଷର ଗଣତନ୍ତ୍ର ଆଜି ବିପଦରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର । ତେଣୁ ଗଣତନ୍ତ୍ରର ରକ୍ଷା କରିବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ଅଭିନବ ଉପାୟରେ ଉପାସରେ ରହି ଧାରଣା ଦେଇଛି ଦଳ ।
ଏହା ମଧ୍ୟ ପଢନ୍ତୁ...ଗୋପାଳପୁରରେ ଦଳୀୟ ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଦୀପ ପାଣିଗ୍ରାହୀ - Election Preparation By Bjp
ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଗତ ତା୨୧.୦୩.୨୪ ରାତି ୭.୩୦ ଘଟିକା ସମୟ ରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ ଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା । ନିର୍ବାଚନ ପୂର୍ବରୁ ଏହି ଗିରଫଦାରୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ଗତ ଦୁଇ ବର୍ଷ ଧରି ଇଡି ଦ୍ଵାରା ଯାଞ୍ଚ ଚାଲିଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ । ମାତ୍ର ନିର୍ବାଚନ ପୂର୍ବରୁ ଯେତେବେଳେ କି ଦେଶରେ ନିର୍ବାଚନ ଆଦର୍ଶ ଆଚାର ସଂହିତା ଲାଗୁଅଛି ସେତେବେଳେ କିଭଳି ଜଣେ ଜାତୀୟ ଦଳର ମୁଖ୍ୟ ଏବଂ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଗଲା ତାହା ଦେଶବାସୀଙ୍କୁ ଚକିତ କରିଛି । ନିର୍ବାଚନୀ ବଣ୍ଡର ଖୁଲାସା ପରେ ସମ୍ପୂର୍ଣ୍ଣ ଟଙ୍କା କାରବାର ଚେର ବିଜେପି ଆଡ଼କୁ ଯାଉଥିଲା ବେଳେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବା ଗଣତନ୍ତ୍ର ପ୍ରତି ଉପହାସ । ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳ ଉପରେ ଇଡି ଏବଂ ସିବିଆଇର ଚଢାଉ, ଆଜି ମୁକ୍ତ ଏବଂ ଅବାଧ ନିର୍ବାଚନ ହେବା ନେଇ ସଂଶୟ ସୃଷ୍ଟି ହୋଇଛି ।
ଗଣତନ୍ତ୍ରର ମୂଳ ନିର୍ବାଚନ ଯେତେବେଳେ ସମସ୍ତ ଦଳ ପାଇଁ ସମାନ ନୁହେଁ, ସେ କ୍ଷେତ୍ରରେ ଗଣତନ୍ତ୍ର ର ମର୍ଯ୍ୟାଦା କିପରି ରହି ପାରିବ? ଯେଉଁ ଗଣତନ୍ତ୍ର କୁ ପାଇବା ପାଇଁ ଦେଶ ଦୀର୍ଘଦିନ ଧରି ସଂଗ୍ରାମ କରିଥିଲା ସେହି ଗଣତନ୍ତ୍ରକୁ ବିଜେପି, ମୋଦି ଏବଂ ସାହାଙ୍କ ନେତୃତ୍ବରେ ହତ୍ୟା କରିବାକୁ ବସିଛି । ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିରୋଧୀ ଦଳର ନେତା ମାନଙ୍କ ବିରୋଧ ରେ ଇଡି ସିବିଆଇ ଲଗାଇ ଭୟଭୀତ କରାଯାଉଛି ବୋଲି କହିଛନ୍ତି । ତେଣୁ ଗଣତନ୍ତ୍ରର ସୁରକ୍ଷା ଏବଂ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ ସାରା ରାଜ୍ୟରେ ଆଜି ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏକ ଦିବସୀୟ ଉପବାସ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର