ଭୁବନେଶ୍ବର:ଆଜି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ କମ୍ପିଲା ଗୃହ । ଉଠିଲା ASOଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତଙ୍କ ମାଡ଼ ମରା ଅଭିଯୋଗ ଘଟଣା । ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାରେ କେବେ କାର୍ଯ୍ୟାନୁଷ୍ଠାନ ନେଇ ନବୀନ ମୋହନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗ ତାଙ୍କୁ ଓ ତାଙ୍କ ଦଳକୁ ଆଘାତ ଦେଇଛି ବୋଲି କହିବା ସହ, ରାଜ୍ୟପାଳ ଅଭିଭାଷଣ ରଖୁଥିବା ସମୟରେ କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ ।
ମୋହନ ସରକାରକୁ ନବୀନଙ୍କ ପ୍ରଶ୍ନ:-
ଏନେଇ ବିରୋଧୀ ଦଳ ନେତା ନବୀନ କହିଛନ୍ତି, "ମୁଁ ଓ ମୋ ଦଳ ଅତି ଦୁଃଖିତ କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି, ଯିଏକି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ମୋତେ ଆଘାତ ଦେଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭାଙ୍ଗି ଯାଇଛି । ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ଵି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି । ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇ ଥିବାରୁ, ଆମେ ଗୃହ ପରିତ୍ୟାଗ କଲୁ ।"
ASO ମାଡ଼ ଘଟଣାରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ:-
ASO ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ମୁଁହ ଖୋଲିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, "ମୋହନ ସରକାର, ଲୋକଙ୍କ ସରକାର । ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବାକୁ ଦୀର୍ଘ ବର୍ଷ ହେବ ଚାଲିଥିବା ଲଢେଇର ପ୍ରତିଫଳନ ଏ ସରକାର । ପୂର୍ବରୁ ୨୪ ବର୍ଷର ସରକାର ଥିଲା । ନିଜ ଅକର୍ମ ପଣିଆକୁ ପାଇଁ ଅସହିଷ୍ଣୁ ହୋଇପଡିଛନ୍ତି ବିରୋଧୀ । ଆଇନ କାନୁନ କୌଣସି ଜାଗାରେ ବ୍ୟାହତ ହେବନି । ପୂର୍ବ ସରକାରରେ ଆଇନ କାନୁନ ବ୍ୟାହତ ହେଉଥିଲା । ASOଙ୍କୁ ମାଡ଼ ଘଟଣାରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ । ରିପୋର୍ଟ ଆଧାରରେ ଯେ କେହି ବି ଦୋଷୀ ସାବ୍ୟସ୍ତ ହେବେ, କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ । ଟିକେ ଧୈର୍ଯ୍ୟ ଧରନ୍ତୁ ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣ ଶୁଣିବା ଆବଶ୍ୟକ ଥିଲା ।"
'ଯେଉଁ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପୁଅ ଗିରଫ ହୋଇନି, ଆନ୍ଦୋଳନ ଜାରି ରହିବ'
ସେପଟେ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ନିଶାନା କରିଥିଲା । ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଲା ହେଲେ ଓଡ଼ିଆ ଅସ୍ମିତା ଭୁଲିଗଲେ ସରକାର । ମହାମହିମ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ପୁଅକୁ ମାଡ ମାରିଛନ୍ତି । ଓଡ଼ିଆ ପୁଅ ମାଡ଼ ଖାଇଲା ହେଲେ ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସରକାର ନା କିଛି ଉତ୍ତର ଦେଲେ ସରକାର । ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବା ଲାଗି ଆମେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲୁ । ଯଦି ତାଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି, ତେବେ ଆମେ ଗୃହତ୍ୟାଗ କରିବୁ ବୋଲି କହିଥିଲୁ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ରାଜ୍ୟପାଳ ଅଭିଭାଷଣ ରଖିବା ଆରମ୍ଭରୁ ଆମେ କକ୍ଷତ୍ୟାଗ କଲୁ । ତୁରନ୍ତ ତାଙ୍କ ପୁଅକୁ ଗିରଫ କରାଯାଉ ।"